ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ନୂଆ ତରିକାରେ ଚାଲିଛି ଚୋରା ଗଞ୍ଜେଇ ବେପାର। ଗଞ୍ଜେଇ ବ୍ୟାଗ ନିର୍ଦ୍ଧାରିତ ସ୍ଥାନରେ ପହଂଚାଇ ଦେଲେ ମିଳିବ ପାଇଁ ୩ ହଜାର ଟଙ୍କା। ଏମିତିକା ଲୋଭରେ ପଡିଥିବା ଦୁଇ ଯୁବକଙ୍କୁ ଧରିଛି ଭଦ୍ରକ ରେଳବାଇ ସୁରକ୍ଷା ବଳ ( ଆରପିଏଫ) ଏବଂ ତାଙ୍କ ନିକଟରୁ ୩୦ କିଲୋ ଗଞ୍ଜେଇ ଭର୍ତି ବ୍ୟାଗ ମଧ୍ୟ ଜବତ ହୋଇଛି। ତେବେ ଚୋରା ବେପାରର ମାଷ୍ଟର ମାଇଣ୍ଡ ଖସିଯିବାରେ ସମର୍ଥ ହୋଇଛି। ସୂଚନାନୁଯାୟୀ ଭଦ୍ରକ ରେଳ ଷ୍ଟେସନରେ ରେଳ ସୁରକ୍ଷା ବଳ ଦ୍ୱାରା ନିୟମିତ ଯାଂଚ ବେଳେ ଗତିବିଧି ସନ୍ଦେହଜନକ ଥିବା ଦୁଇ ଯୁବକଙ୍କ ନିକଟରେ ଥିବା ବ୍ୟାଗକୁ ଯାଂଚ କରାଯାଇଥିଲା । ବ୍ୟାଗରେ ଗଞ୍ଜେଇ ଥିବାରୁ ଦୁଇ ଯୁବକଙ୍କୁ କାବୁ କରିବା ବେଳେ କିଛି ଦୂରରେ ଥିବା ମାଷ୍ଟର ମାଇଣ୍ଡ ସେଠାରୁ ଫେରାର ହୋଇଯାଇଥିଲା । ତେବେ ବ୍ୟାଗରୁ ୩୦ କିଲୋରୁ ଅଧିକ ଓଜନର ଗଞ୍ଜେଇ ଜବତ ହୋଇଥିବା ନେଇ ଆରପିଏଫ ଥାନାଧିକାରୀ ଏମ ମହେଶ ସୂଚନା ଦେଇଛନ୍ତି । ଆରପିଏଫ ଦ୍ୱାରା ଗିରଫ ଦୁଇ ଯୁବକ ପଶ୍ଚିମବଙ୍ଗ ରାଜ୍ୟର ମୁର୍ଶିଦାବାଦ ଅଧିନ ସଲାର ଅଂଚଳର ଏସ କେ ବାଦଲ ଓ ନୁର ଇସଲାମ ବୋଲି ସୂଚନା ମିଳିଛି । ମାଷ୍ଟର ମାଇଣ୍ଡର ନାମ ଏସ କେ ହିଲାଲ ଓ ସେ ଆରପିଏଫ କୁ ଦେଖି ଭଦ୍ରକ ଷ୍ଟେସନ ରୁ ଫେରାର ହୋଇ ଯାଇଛି ବୋଲି କୁହାଯାଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ସୂଚନା ଅନୁଯାୟୀ ଗଞ୍ଜେଇ ବ୍ୟାଗକୁ ହାଓଡା ଷ୍ଟେସନରେ ରେ ପହଞ୍ଚାଇବା ପାଇଁ ସେମାନଙ୍କୁ ୩ ହଜାର ଟଙ୍କା ଦିଆଯାଇଥିଲା, ପରେ ସେଠାରୁ ଅନ୍ୟ ଏଜେଂଟ ଦ୍ୱାରା ଗୁଜୁରାଟ ପର୍ଯ୍ୟନ୍ତ ଗଞ୍ଜେଇ ଚାଲାଣ ହୋଇଥାନ୍ତା।