Home ଜିଲ୍ଲା ପରିକ୍ରମା ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ, ଯୋଜନାର କାର୍ଯ୍ୟକାରୀତା କ୍ଷେତ୍ର ସ୍ତରରେ ତଦାରଖ...

ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ, ଯୋଜନାର କାର୍ଯ୍ୟକାରୀତା କ୍ଷେତ୍ର ସ୍ତରରେ ତଦାରଖ କରାଯିବ – ବିଧାୟକ

9

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସହରାଂଚଳ ଓ ଗ୍ରାମାଂଚଳରେ ବିଭିନ୍ନ ବିଭାଗୀୟ ସରକାରୀ ଯୋଜନା ସବୁ ର କାର୍ଯ୍ୟକାରୀତା ନେଇ ସଫଳତା, ସମସ୍ୟା ଓ ସଚେତନତା ସମ୍ବନ୍ଧୀୟ ସମୀକ୍ଷା ପାଇଁ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, କାର୍ଯ୍ୟକ୍ରମର ସଂଯୋଜକ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ପରିଚାଳନା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ମହେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ, ଅତିରିକ୍ତ ଏସ୍‌.ପି. ବାସୁଦେବ ସ୍ୱାଇଁ, ଭଦ୍ରକ ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ ଓ ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ୍ ପ୍ରମୁଖ ଯୋଗଦେଇ ଥିଲେ। ସାଧାରଣ ଜନତାଙ୍କ ଜୀବନ ଜୀବିକା ସହ ଜଡ଼ିତ ରହୁଥିବା କୃଷି, ଉଦ୍ୟାନକୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ଓ ମୃତିକା ସଂରକ୍ଷଣ ପ୍ରମୁଖ ୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୁବିଧା ସୁଯୋଗ ବିଷୟରେ ଅଧିକରୁ ଅଧିକ ସଚେତନ କରାଯାଇ ଆଗ୍ରହୀ ହିତାଧିକାରୀ ମାନଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ପାର୍ଟିଠାରୁ ଉର୍ଦ୍ଧ୍ୱରେ ରହି ମାଟି ପାଇଁ କାମ କରି ଭଦ୍ରକର ସର୍ବାଙ୍ଗୀନ ବିକାଶରେ ସହାୟକ ହେବା, ଭଦ୍ରକ ନିର୍ବାଚନ ମଣ୍ଡଳୀକୁ ଓଡ଼ିଶାର ଏକ ବିକଶିତ ନିର୍ବାଚନ ମଣ୍ଡଳୀରେ ପରିଣତ କରିବା ଏବଂ ଏ ଦିଗରେ କୌଣସି ବିଭାଗରେ କୌଣସି ପ୍ରକାର ଅବ୍ୟବସ୍ଥାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଧାୟକ ବୈଠକକୁ ଅବଗତ କରାଇଥିଲେ। ୨୦୩୬ ରେ ବିକଶିତ ଓଡ଼ିଶା ଓ ୨୦୪୭ ରେ ବିକଶିତ ଭାରତ ଗଠନ ଆଭିମୁଖ୍ୟରେ ଯୋଜନା ପ୍ରସ୍ତୁତ କରିବା ଓ ସେ ଦିଗରେ କାମ କରିବାକୁ ଆହ୍ୱାନ ଦିଆଯାଇଥିଲା। ବୈଠକରେ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ପ୍ରଦତ ସୂଚନା ଅନୁଯାୟୀ କ୍ଷେତ୍ର ସ୍ତରରେ ସଠିକ୍ କାର୍ଯ୍ୟକାରୀତାର ପରୀକ୍ଷଣ ପାଇଁ ବିଧାୟକଙ୍କୁ କ୍ଷେତ୍ର ସ୍ତରରେ ପରିଦର୍ଶନ କରାଇବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। କୃଷି ବିଭାଗ ଜରିଆରେ ଆଗାମୀ ରବି ଋତୁ ପାଇଁ ମୁଗ, ବିରି, ସୂର୍ଯ୍ୟମୁଖୀ, ରାଶି ଆଦି ଚାଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ, ଉଦ୍ୟାନ କୃଷିରେ ଫଳ ବୃକ୍ଷ ଚାରା ରୋପଣ, ଉନ୍ନତ କିସମର ଶଙ୍କର ଜାତୀୟ ପରିବା ଚାଷ, ତାଳତେଲ ଚାଷ, ରବି ଆଳୁ ଚାଷ ପାଇଁ କ୍ଷେତ୍ର ଓ ହିତାଧିକାରୀ ଚିହ୍ନଟ, ପ୍ରାଣୀ ସମ୍ପଦ ବିଭାଗର ଭ୍ରାମ୍ୟମାଣ ଚିକିତ୍ସ. ଟୀକାକରଣ, କୁକୁଡ଼ା, ଛେଳି, ମଇଁଷି, ଗୋପାଳନ, ଗୁହାଳ ଯୋଜନା, ଗୋଶାଳାକୁ ସହାୟତା ପ୍ରଦାନ, ମୃତିକା ସଂରକ୍ଷଣ ବିଭାଗର ଫାର୍ମ ପଣ୍ଡ ଯୋଜନା ସହିତ ସଂପୃକ୍ତ ଅନ୍ୟ ପ୍ରମୁଖ ୪ଟି ବିଭାଗର ସହାୟତାରେ ସମନ୍ୱିତ କୃଷି ଯୋଜନା ଆଦି ସମ୍ବନ୍ଧରେ ବିଭାଗୀୟ ଅଧିକାରୀମାନେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ସେହିପରି ଆଗ୍ରୋଇଣ୍ଡଷ୍ଟ୍ରିଜ୍ ବିଭାଗର ଟ୍ରାକ୍ଟର ପ୍ରଦାନ ଯୋଜନା, ସୋଲାର ଜଳ ସେଚନ ଯୋଜନା, ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ଯୋଜନାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା, ଆନ୍ତଃ ଜାତି ମଧ୍ୟରେ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ ନେଇ ସୁମଙ୍ଗଳ ଯୋଜନା, ହଷ୍ଟେଲ ଓ କମ୍ୟୁନିଟି ସେଂଟର ନିର୍ମାଣ, ଡ. ଆମ୍ବେଦକର ଯୋଜନା, ଉଠାଜଳ ସେଚନ ବିଭାଗ ଜରିଆରେ ଥିବା ୧୪୦ ଟି ପ୍ରକଳ୍ପରୁ ସଚଳ ଥିବା ୯୪ ଟି ପ୍ରକଳ୍ପ ଓ ପାଣି ପଂଚାୟତ ଦ୍ୱାରା ବିଦ୍ୟୁତ ବିଲ ପଇଠ ଜନିତ ସମସ୍ୟା, ସହରାଂଚଳରେ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜଳଯୋଗାଣ ବ୍ୟବସ୍ଥାରେ ଅଳ୍ପ ବ୍ୟବଧାନରେ ପାଇପ୍ ଲିକ୍ ହେବା, ପାଇପ୍ ବିଛାଇବା ପାଇଁ ଖୋଳାଯାଉଥିବା ରାସ୍ତା ମରାମତି ନହେବା, ଆର୍‌.ଡ଼ି.-୧ ଅଧୀନରେ ନିର୍ମାଣାଧୀନ ରାସ୍ତା, ସେତୁ, ସବ୍‌ସେଂଟର, କଲ୍ୟାଣମଣ୍ଡପ ଆଦିର ନିର୍ମାଣ ନେଇ ଜାଗା ସମସ୍ୟା ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇ ଆବଶ୍ୟକ ମତେ ସମାଧାନ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ଓରମାସ୍‌, କ୍ଷୁଦ୍ରଜଳ ସେଚନ, ନିୟୋଜନ ଓ ଦକ୍ଷତା ବିକାଶ, ଯୋଗାଣ, ସାମାଜିକ ସୁରକ୍ଷା ବିଭାଗର ଯୋଜନା ସମ୍ବନ୍ଧୀୟ କାର୍ଯ୍ୟକାରୀତା ଓ ସୁବିଧା ସୁଯୋଗ ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଜିଲ୍ଲା ଯୋଜନା ବିଭାଗର ଅନ୍ୟତମ ଅଧିକାରୀ ହରିହର ଗୁଇଁ, ଭଗବାନ ବାରିକ୍‌, ସରୋଜ ଦାସ, ରଶ୍ମିତା ପୃଷ୍ଟି ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.