Home ଜିଲ୍ଲା ପରିକ୍ରମା ଭଦ୍ରକ ପୌରାଞ୍ଚଳରେ ‘ଉନ୍ନତି’ ଯୋଜନାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରହସନରେ ପରିଣତ : ବୃକ୍ଷରୋପଣ, ବର୍ଷାଜଳ ସଂରକ୍ଷଣ...

ଭଦ୍ରକ ପୌରାଞ୍ଚଳରେ ‘ଉନ୍ନତି’ ଯୋଜନାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରହସନରେ ପରିଣତ : ବୃକ୍ଷରୋପଣ, ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପକୁ ଅଣଦେଖା ; ଶତାଧିକ ଚିତ୍ରଶିଳ୍ପୀ ନିରାଶ

99

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନା ସଂକ୍ରମଣକୁ ରୋକିବା ଦିଗରେ ଲକଡାଉନ୍‌, ସଟଡାଉନ୍ ଭଳି ସରକାରୀ କଟକଣା ବିଶେଷକରି ମଧ୍ୟବିତ୍ତ ଓ ନିମ୍ନବର୍ଗର ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଫଳରେ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତିି। ଏହାର ପ୍ରଭାବରେ ଆମ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଏକ ତୃତୀୟାଂଶ ଲୋକ କର୍ମ ସଂସ୍ଥାନ ହରାଇ ଅସହାୟ ଭାବେ ସମୟ ଅତିବାହିତ କରୁଥିବାରୁ ସେମାନଙ୍କ ପାଇଁ ରାଜ୍ୟ ସରକାର ‘ଉନ୍ନତି’ ଯୋଜନା ଅଧିନରେ ଅରବାନ ୱେଜ ଏମ୍ପ୍ଲଏମେଣ୍ଟ ଇନିସିଏଟିଭ(ୟୁଡବ୍ଲ୍ୟୁଇଆଇ) ସ୍କିମ ଲାଗୁ କରିଛନ୍ତି। ରାଜ୍ୟର ୧୧୪ ମହାନଗର, ପୌରାଞ୍ଚଳରେ ଏହି ଯୋଜନାକୁ ଲାଗୁ କରାଯିବା ସହ ଏଥି ନିମତ୍ତି ଅର୍ଥ ମଞ୍ଜୁର ହୋଇଛି। ଏ ସମ୍ପର୍କିତ ଏକ ପତ୍ର ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଗତ ଏପ୍ରିଲ ମାସ ୧୮ ତାରିଖରେ ଅବଗତ କରାଇଥିବାବେଳେ ଏହି ଯୋଜନା ଦ୍ୱାରା ସହରାଞ୍ଚଳର ଗରିବ ଶ୍ରେଣୀର ଶ୍ରମଜୀବୀଙ୍କ ପାଇଁ କାର୍ଯ୍ୟ ଦିବସ ସୃଷ୍ଟି କରି ସେମାନଙ୍କୁ ତୁରନ୍ତ ମଜୁରୀ ପ୍ରଦାନ ପାଇଁ ମଧ୍ୟ ଉକ୍ତ ସରକାରୀ ଚିଠିରେ ଉଲ୍ଲେଖ ରହିଛି। ତେବେ ଭଦ୍ରକ ପୌରାଞ୍ଚଳରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ହୋଇଥିବା ଉଦ୍ୟମ ‘ବହୁ ଆଡମ୍ବରେ ଲଘୁକ୍ରିୟା’ ସଦୃଶ ହୋଇଛି। ଏପରିକି ଏହି ଯୋଜନାର ସଫଳ ରୂପାୟନରେ ପ୍ରିୟାପ୍ରୀତି ତୋଷଣ ଜନିତ କଳଙ୍କର ଛିଟା ଲାଗିଛି। କାହିଁକିନା ଏହି ସ୍କିମରେ ପୌର କର୍ତ୍ତୃପକ୍ଷ ମୋଟ ୧୦୯ଟି ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ଦେଇଥିଲେ। ସମସ୍ତ କାର୍ଯ୍ୟାଦେଶ ଥିଲା ସ୍ୱଂୟ ସହାୟିକା ଗୋଷ୍ଠିଙ୍କ ନାମରେ। ସେଥି ମଧ୍ୟରେ ସହରର ସୌନ୍ଦର୍ଯ୍ୟକରଣ ପାଇଁ ୪୭, ପରିମଳ ସମ୍ପର୍କୀତ ୫୧ ପ୍ରକଳ୍ପ ସ୍ଥାନ ପାଇଥିବାବେଳେ, ୧୧ଟି ମାଇକ୍ରୋ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଉକ୍ତ ସ୍କିମକୁ ନେଇ ସରକାର ଯେଉଁ ମାର୍ଗଦର୍ଶିକା ଜାରୀ କରିଛନ୍ତି, ସେଥିରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ପ୍ରକଳ୍ପରେ। ବୃକ୍ଷରୋପଣ, ବର୍ଷା ଜଳ ସଂରକ୍ଷଣ ପରି ବହୁ ପ୍ରକଳ୍ପକୁ ଅଣଦେଖା କରାଯାଇଛି। ଅପରପକ୍ଷେ ସହରର ସୌନ୍ଦର୍ଯ୍ୟକରଣ ଦିଗ ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି ପୌର କର୍ତ୍ତୃପକ୍ଷ। କିନ୍ତୁ ଏସମସ୍ତ ପ୍ରକଳ୍ପର ସୁଫଳ ପାଇ ପାରୁ ନାହାନ୍ତି ସହରର ଗରିବ ଶ୍ରେଣୀର ଶ୍ରମଜୀବୀ। ସୂଚନାଯୋଗ୍ୟ ସହରର ସୌନ୍ଦର୍ଯ୍ୟକରଣ ପାଇଁ ସମସ୍ତ ୱାର୍ଡ଼ରେ ଥିବା ସରକାରୀ କାର୍ଯ୍ୟାଳୟ, ବିଭାଗୀୟ ଅଧିକାରୀଙ୍କ ବାସଭବନ, କର୍ମଚାରୀଙ୍କ ବାସଭବନର ପାଚେରୀକୁ ବିଭିନ୍ନ ଢଙ୍ଗରେ ଚିତ୍ରିତ କରାଯାଉଛି। ପ୍ରାୟ ସମସ୍ତ ୱାର୍ଡ଼ରେ ଏହି ୱାଲ ପେଣ୍ଟିଂ ଚାଲିଥିବାବେଳେ, କେତେକ ୱାର୍ଡ଼ରେ ରହିଛି ଏକାଧିକ ପ୍ରକଳ୍ପ। ପ୍ରତ୍ୟେକ ୱାଲ ପେଣ୍ଟିଂ ପ୍ରକଳ୍ପର ମୂଲ୍ୟ ୧ଲକ୍ଷ ଟଙ୍କାରୁ ଅଳ୍ପ କିଛି କମ୍। ମୋଟ ପ୍ରକଳ୍ପର ମୂଲ୍ୟ ପୌର କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁଯାୟୀ ୮୫ଲକ୍ଷରୁ ଉର୍ଦ୍ଧ୍ୱ। କେବଳ ବନ୍ତ ଛକ ଓଭରବ୍ରିଜ ଉଭୟ ପାଶ୍ୱର୍ରେ ଅଙ୍କା ଯାଇଥିବା ପେଣ୍ଟିଂର ମୂଲ୍ୟ ୬ଲକ୍ଷରୁ ଉର୍ଦ୍ଧ୍ୱ। କିନ୍ତୁ ପୌରାଞ୍ଚଳର ଶତାଧିକ ଚିତ୍ରଶିଳ୍ପୀ ଏହି ସ୍କିମ ଦ୍ୱାରା ଉପକୃତ ହୋଇ ପାରି ନାହାନ୍ତି। ଭଦ୍ରକ କଲେଜ ଅଫ ଆର୍ଟର ମନୋଜ ଭଟ୍ଟାଚାର୍ଯ୍ୟଙ୍କ କହିବାନୁଯାୟୀ ତାଙ୍କ ଶିକ୍ଷାନୁଷ୍ଠାନରୁ ୨ଶହରୁ ଉର୍ଦ୍ଧ୍ୱ ପିଲା ଚିତ୍ରକଳାରେ ଡ଼ିଗ୍ରୀ ହାସଲ କରିଛନ୍ତି। ଏହି ଚିତ୍ରଶିଲ୍ପୀମାନେ ସରକାରଙ୍କ ଉକ୍ତ ଯୋଜନା ଦ୍ୱାରା ଉପକୃତ ହୋଇ ପାରି ନାହାନ୍ତି। ଅପରପକ୍ଷେ ଏହି ଯୋଜନା ୬ମାସ ଅର୍ଥାତ୍ ସେପ୍ଟେମର ୩୦ ପର୍ଯ୍ୟନ୍ତ ଚାଲିବ ବୋଲି ସରକାରୀ ଚିଠିରେ ସ୍ପଷ୍ଟ ଉଲ୍ଲେଖ ରହିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପୌରାଞ୍ଚଳରେ ୩୦ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ। କାରଣ ୱାଲ ପେଣ୍ଟିଂ କାର୍ଯ୍ୟ ପାଇଁ କେତେ ଅର୍ଥ ମଞ୍ଜୁର ହୋଇଛି, କେତେ ପ୍ରକଳ୍ପ ସରିଛି ସେସମ୍ପର୍କରେ ପୌର କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ତଥ୍ୟ ନାର୍ହି। ଏପରିକି ଏହି କାର୍ଯ୍ୟକୁ ତଦାରଖ କରୁଥିବା ଦୁଇ ପୌର କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ମଧ୍ୟ ନିର୍ଦ୍ଧିଷ୍ଟ ତଥ୍ୟ ନାହିଁ। ତେବେ ପୌରାଞ୍ଚଳର ସ୍ୱୀକୃତିପ୍ରାପ୍ତ ଚିତ୍ରଶିଳ୍ପୀଙ୍କୁ ଅଣଦେଖା କରି ଏକ ନିର୍ଦ୍ଧିଷ୍ଟ ସଂସ୍ଥାକୁ ପୌର କର୍ତ୍ତୃପକ୍ଷ ଅନୁକମ୍ପା ଦେଖାଇଥିବାର ଅଭିଯୋଗ ହୋଇଛି। ଫଳରେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଅନ୍ୟଏକ ତଥ୍ୟ ଅନୁଯାୟୀ ୱାଲ ପେଣ୍ଟିଂର ସମସ୍ତ କାର୍ଯ୍ୟାଦେଶ କେବଳ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ହୋଇଛି। କିନ୍ତୁ ଏହି ବହୁ ଲକ୍ଷ ଟଙ୍କାର କାର୍ଯ୍ୟକୁ ପୌର କାର୍ଯ୍ୟାଳୟର କେତେକ ପ୍ରଭବଶାଳୀ ବ୍ୟକ୍ତି ପ୍ରଛଦପଟ୍ଟରେ ରହି ପରିଚାଳନା କରୁଛନ୍ତି। ତେଣୁ ପୌର କର୍ତ୍ତୃପକ୍ଷଙ୍କର ଏପରି କାର୍ଯ୍ୟଶୈଳୀକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ସରକାରଙ୍କ ଏହି ମହତ୍ ଯୋଜନାର ବାସ୍ତବ ଦିଗ ଉପରେ ବହୁ ଚିତ୍ର ଶିଳ୍ପୀ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି। ଏପରି ଅଭିଯୋଗ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀଙ୍କ ମତାମତ ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.