Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ଚୋରା କୋଇଲା ସିଣ୍ଡିକେଟ୍ ଓ ଚୋରା ଗୋ ଚାଲାଣ ରୋକିବା ନେଇ ଏସ୍‌ପିଙ୍କ...

ଭଦ୍ରକ ଜିଲାରେ ଚୋରା କୋଇଲା ସିଣ୍ଡିକେଟ୍ ଓ ଚୋରା ଗୋ ଚାଲାଣ ରୋକିବା ନେଇ ଏସ୍‌ପିଙ୍କ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ, ତିହିଡି ଅଂଚଳରୁ ୧୧୨ କ୍ୱିଂଟାଲ କୋଇଲା ଜବତ, ବୋଲେରୋ ଓ ୨ ବାଇକ୍ ସହ ୩ ଗିରଫ

10

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରୁ ରେଳପଥରେ ରାଜ୍ୟ ଓ ରାଜ୍ୟ ବାହାରକୁ କୋଟି କୋଟି ଟଙ୍କାର କୋଇଲା ପରିବହନ ହେଉଥିବାବେଳେ ପାଶ୍ୱର୍ବର୍ତୀ ଗ୍ରାମଗୁଡିକର ବହୁ କୋଇଲା ମାଫିଆ ତାହା ଚୋରି କରି ମାଲେ ମାଲେ ହେଉଛନ୍ତି। ଏପରିକି ଏହି ଚୋରା କୋଇଲା ମାଫିଆଙ୍କର ଏକ ଆନ୍ତଃରାଜ୍ୟ ସିଣ୍ଡିକେଟ୍ କାର୍ଯ୍ୟ କରୁଛି। ବହୁ କୁଖ୍ୟାତ ଅପରାଧୀ ଏହି ସିଣ୍ଡିକେଟ୍‌କୁ ଚଳାଇ ଆସୁଥିବାବେଳେ ବିଗତ ଦିନରେ ଏହି ରାକେଟ୍ ପଛରେ ଜିଲା ପୁଲିସ୍ ପ୍ରଶାସନର ପ୍ରଛନ୍ନ ହାତ ରହିଥିଲା। ରେଳପଥ ସନ୍ନିକଟ ଥାନା ଓ ଫାଣ୍ଡି ଗୁଡିକ ଏହି ମାଫିଆଙ୍କ ସହ ସୁସଂପର୍କ ରଖି ବିଗତ ଦିନରେ କୋଟି କୋଟି ଟଙ୍କା ରୋଜଗାର କରିଆସୁଥିଲେ। ଯେଉଁଥିପାଇଁ ପୂର୍ବ ସରକାରଙ୍କ ସମୟରେ ବହୁ ପୁଲିସ୍‌ଙ୍କୁ ଏଥିପାଇଁ ବଦଳି ହେବାର ନଜିର ରହିଛି। ତେବେ ବର୍ତମାନର ବିଜେପି ସରକାର ଆସିବା ପରେ ଭଦ୍ରକରେ ନୂତନ ଭାବେ ଯୋଗଦେଇଥିବା ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପତଙ୍କ ନିର୍ଦ୍ଦେଶ କ୍ରମେ ଉପରୋକ୍ତ ଚୋରା କୋଇଲା ସିଣ୍ଡିକେଟ ଓ ଗୋରୁ ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଗତକାଲି ରାତିରେ ଚଢାଉ କରି ସିଣ୍ଡିକେଟ୍‌ରେ ବ୍ୟବହୃତ ଏକ କୋଇଲା ବୋଝେଇ ବୋଲେରୋ ଓ ଦୁଇଟି ବାଇକ୍ ଜବତ ସହ ଗାଡି ମାଲିକ, ଚାଳକ ଓ ଜଣେ କୋଇଲା ମାଫିଆକୁ ଗିରଫ କରିଥିବା ବିଷୟ ଆଜି ଭଦ୍ରକ ପୁରୁଣାବଜାର ଥାନାରେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଜିଲାସ୍ତରୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ଦ୍ୱିବେଦୀଙ୍କ ସୂଚନା ଅନୁସାରେ ଗତକାଲି ରାତିରେ ତିହିଡିର ନନ୍ଦପୁର ଅଂଚଳରୁ ଏକ ବୋଲେରୋ ଗାଡିରେ ଏହି ଚୋରା କୋଇଲା ଆସୁଥିବାବେଳେ ପୁରୁଣାବଜାର ଥାନାର ସ୍ୱତନ୍ତ୍ର ଟିମ୍ ତାହାକୁ ଧରି ସେ ଯେଉଁଠାରୁ ଆସୁଥିଲା ଓ ଯାଉଥିଲା, ସେ ସ୍ଥାନ ଉପରେ ମିଳିତ ଚଢାଉ କରିଥିଲା। ବିଶେଷକରି ସାବରଙ୍ଗ ଥାନା ଅଧୀନସ୍ଥ ଚଣ୍ଡିଗାଁ ଓ ତିହିଡି ନନ୍ଦପୁରର ଡିପୋ ଉପରେ ଏହି ଟିମ୍ ଚଢାଉ କରି ଲକ୍ଷାଧିକ ଟଙ୍କାର ୨୮୦ ବସ୍ତା କୋଇଲା (ଯାହାର ଓଜନ ୧୧୨ କ୍ୱିଂଟାଲ) ଜବତ କରିଛି। ଏହି ଘଟଣାରେ ତିହିଡି ଅଂଚଳର କୋଇଲା ଯୋଗାଉଥିବା ଜଣେ ମାଫିଆକୁ ଗିରଫ କରାଯାଇଥିବାବେଳେ ଏଥିରେ ସଂପୃକ୍ତ ବ୍ୟକ୍ତିବିଶେଷ ଓ ସିଣ୍ଡିକେଟ୍ ଉପରେ କେଶ୍ କରାଯାଇଛି। ଏବଂ ଆଗାମୀ ଦିନରେ ସେମାନଙ୍କୁ ଗିରଫ କରାଯିବାର ଲକ୍ଷ୍ୟ ରଖାଯାଇଥିବାବେଳେ ଉଭୟ କୋଇଲା ଚୋରି ଗ୍ୟାଙ୍ଗ ଓ ଗୋରୁ ଚୋରା ଚାଲାଣ ରୋକିବା ଦିଗରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ୯୪୩୮୯୧୬୩୭୦ ନମ୍ବରରେ କୌଣସି ଅପରାଧିକ ସୂଚନା ଦେଇପାରିବେ ବୋଲି ଶ୍ରୀ ଦ୍ୱିବେଦୀ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୁରୁଣାବଜାର ଥାନାଧିକାରୀ ନିରଜ ସାମଲଙ୍କ ସମେତ ଅନ୍ୟ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.