Home ଜିଲ୍ଲା ପରିକ୍ରମା ଭଦ୍ରକରେ ବେଆଇନ୍ ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ , ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ...

ଭଦ୍ରକରେ ବେଆଇନ୍ ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ , ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ସାମଗ୍ରୀ ଜବତ

48

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଗତ ଦୁଇ ଦଶନ୍ଧି ଧରି ଭଦ୍ରକରେ ଥିବା ଗ୍ରାମାଞ୍ଚଳ, ସହରାଞ୍ଚଳ ଓ ପୁରୁଣାବଜାର ଭଳି ତିନୋଟି ଥାନା ଅଂଚଳରେ ବେଆଇନ୍ ନକଲି ଜର୍ଦ୍ଦା କାରଖାନା କୁଟୀର ଶିଳ୍ପରେ ପରିଣତ ହୋଇଥିବାବେଳେ ପୁଲିସ୍ କେବଳ ମଝିରେ ମଝିରେ ସେଗୁଡିକ କାଁ ଭାଁ ଜବତ କରିଆସୁଛି । ତେବେ ଗତ ବର୍ଷକ ମଧ୍ୟରେ ଏହି ୩ଟି ଥାନା ପୁଲିସ୍ ନିଜ ଅଂଚଳରେ ବହୁବାର ଏହି ବେଆଇନ୍ କାରଖାନା ଠାବ କରି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ, ନାମୀଦାମୀ କଂପାନୀର ଲେବୁଲ, ଡବା, ଷ୍ଟିକର ଓ ସାମଗ୍ରୀ ଜବତ କରିଆସୁଥିବାବେଳେ ଏହା ଥମିବାର ନାଁ ଗନ୍ଧ ଧରୁନାହିଁ । ଗତକାଲି ରାତିରେ ପୁଣିଥରେ ଭଦ୍ରକ ପୁରୁଣାବଜାର ଥାନା ପୁଲିସ୍ ପଠାଣମହଲା ଗ୍ରାମର ଅବଦୁଲ କରିମ ଖାଁ ନାମକ ଜଣେ ବ୍ୟକ୍ତିର ଘର ପଛପଟେ ନକଲି ଜର୍ଦ୍ଦା ତିଆରି ହେଉଥିବାର ଖବର ପାଇ ଚଢାଉ କରିଥିଲା । ଏହି ଚଢାଉରେ ଅବଦୁଲ କରିମ ଖାଁ ଫେରାର ହୋଇଯାଇଥିବାବେଳେ ଅନ୍ୟଜଣେ ଅଭିଯୁକ୍ତ ରାଜୁ ଖାଁଙ୍କୁ ପୁଲିସ୍ ଗିରଫ କରିଛି । ଏବଂ ଅନ୍ୟଜଣେ ଫେରାର ହୋଇଯାଇଛି । ତେବେ ଏହି ଚଢାଉ ସମୟରେ ପୁଲିସ୍ ପ୍ରାୟ ୨ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ ସାମଗ୍ରୀ ଜବତ କରିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ୩ଟି ଥାନା ଅଂଚଳରେ ଏହି ବେଆଇନ୍ ନକଲି ଜର୍ଦ୍ଦା କାରଖାନା ଘରେ ଘରେ ତିଆରି ହେଉଥିବାବେଳେ, ପୁଲିସ୍ ସବୁ ଜାଣି ମଧ୍ୟ ନୀରବ ରହୁଛି । ଏ ସଂପର୍କରେ ସ୍ଥାନୀୟ ଲୋକଙ୍କ କହିବା ମୂଳେ ଜର୍ଦ୍ଦା ବ୍ୟବସାୟୀମାନେ ପୁଲିସ୍ ସହ ଭିତିରିଆ ସଂପର୍କ ରଖି ମାସିକ କୋଟା ଦେଇ ଏହି ବ୍ୟବସାୟ ଚଳାଇ ଆସୁଛନ୍ତି । କେବଳ କେତେକ ସ୍ଥଳରେ ଏମାନଙ୍କ ମଧ୍ୟରେ ଟଙ୍କା ଭାଗବଣ୍ଟୁରାକୁ ନେଇ କଥା ନଛିଡୁଥିବାବେଳେ ପୁଲିସ୍ କେବଳ ବାହାଦୁର ନେବା ପାଇଁ ସେହି ସ୍ଥାନମାନଙ୍କରେ ଚଢାଉ କରୁଛି । କାହିଁକି ନା ଏକଦା ପୁରୁଣାବଜାର ଅଂଚଳରେ ଏହିଭଳି କେତେକ ଅସାଧୁ ବ୍ୟବସାୟ ଜର୍ଦ୍ଦା କାରଖାନା ମାନ ପୁଲିସ୍ ଜାଣତରେ ଚଳାଇଆସୁଥିବାବେଳେ କଟକରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଆସି ସେମାନଙ୍କୁ କାବୁ କରି କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଓ ସାମଗ୍ରୀ ଜବତ କରିଥିଲା । ଯାହା ଦୁଇ ଦଶନ୍ଧି ତଳେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.