Home ଜିଲ୍ଲା ପରିକ୍ରମା ଭଦ୍ରକରେ କରୋନାର କରୁଣ ଅବସ୍ଥା : ଅସୁସ୍ଥ ବ୍ୟବସ୍ଥା ମଧ୍ୟରେ ସ୍ଥିତି ଅସମ୍ଭାଳ, : କୋଭିଡ୍...

ଭଦ୍ରକରେ କରୋନାର କରୁଣ ଅବସ୍ଥା : ଅସୁସ୍ଥ ବ୍ୟବସ୍ଥା ମଧ୍ୟରେ ସ୍ଥିତି ଅସମ୍ଭାଳ, : କୋଭିଡ୍ ହସ୍‌ପିଟାଲରେ ଭେଣ୍ଟିଲେଟର ଥାଇ ମଧ୍ୟ କାମରେ ଲାଗୁନି

186

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନା ଏବେ ବିଶ୍ୱବ୍ୟାପୀ ତାର କରାଳ ରୂପ ଦେଖାଇଥିବାବେଳେ ଆମ ଦେଶ ଦ୍ୱିତୀୟ ସ୍ଥାନରେ ରହିଛି । ବିଶେଷକରି ଓଡ଼ିଶା ଏହା କବଳରୁ ମୁକୁଳି ପାରିନାହିଁ । ଯଦିଓ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି, ମାତ୍ର ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ତେବେ ଏହି କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଭଦ୍ରକ ଜିଲାର ସଦର ମହକୁମାରେ ସରକାରୀ ଭାବେ ଘୋଷଣା ହୋଇଥିବା ଘରୋଇ ‘ସାଳନ୍ଦୀ ହସ୍‌ପିଟାଲ’ର ଚିକିତ୍ସା ବ୍ୟବସ୍ଥାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଗୋର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଗୋଟିଏ ପଟେ ସରକାର ସଂକ୍ରମିତଙ୍କ ପାଇଁ କୋଟି କୋଟି ଟଙ୍କା ଏହି ହସ୍‌ପିଟାଲକୁ ଜିଲା ପ୍ରଶାସନ ମାଧ୍ୟମରେ ଦେଇଆସୁଥିବାବେଳେ ଏହାର ଚିକିତ୍ସା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକି ନା ସରକାରଙ୍କ ପକ୍ଷରୁ ଏହି ହସ୍‌ପିଟାଲକୁ ଯୋଗାଇ ଦିଆଯାଇଥିବା ୪ଟି ଭେଣ୍ଟିଲେଟରର ପ୍ୟାକିଂ ଜରି ବର୍ତ୍ତମାନ ସୁଦ୍ଧା ଖୋଲା ଯାଇନାହିଁ । ଏ ସଂପର୍କରେ ଏହି ଡାକ୍ତରଖାନାର ପରିଚାଳକ ଡାକ୍ତର ପ୍ରଭାସ ମହାନ୍ତିଙ୍କୁ ଏ ସଂପର୍କରେ ଏ ପ୍ରତିନିଧି ପଚାରିବାରୁ ସେ କୋଭିଡ୍ ଦାୟିତ୍ୱରେ ଥିବା ଡାକ୍ତର ମହାରଣାଙ୍କ ସହ ଯୋଗାଯୋଗ କରିବାକୁ କହିଥିବାବେଳେ ଡାକ୍ତର ମହାରଣା ନିଜ ଉପରୁ ଦୋଷ ଛଡାଇ ସମସ୍ତ ଖବର ଜିଲାପାଳଙ୍କ ମୁଣ୍ଡରେ ଥାପିଛନ୍ତି । ଏବଂ ଜିଲା ପ୍ରଶାସନ ପକ୍ଷରୁ ଏ ସଂପର୍କରେ ଯେଉଁ ତଥ୍ୟ ମିଳିଛି, ତଦନୁଯାୟୀ ଚାରିଟି ଭେଣ୍ଟିଲେଟର ଅଛି ସତ, ମାତ୍ର ଏହାକୁ ପରିଚାଳନା କରିବା ପାଇଁ ଡାକ୍ତର ନଥିବାର ଜଣାପଡିଛି । ଏଣୁ ଭଦ୍ରକ ଜିଲାରେ ସରକାରଙ୍କ ପକ୍ଷରୁ ଏହି ହସ୍‌ପିଟାଲକୁ ଯେଉଁ କୋଟି କୋଟି ଟଙ୍କାର ଅର୍ଥ ଆସିଛି, ତାହା କିଭଳି ଖର୍ଚ୍ଚ ହୋଇଛି, ସେଥିନେଇ ସାଧାରଣରେ ତାର ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । କରୋନାର ଭୟାବହତା ପ୍ରତି ଆଗଭଳି ଆଉ କିଛି କଟକଣା ନାହିଁ କି ଚିକିତ୍ସା ବ୍ୟବସ୍ଥା ନାହିଁ । ଯେତେବେଳେ ଭଦ୍ରକ ସହରରେ ଜଣେ କୋଭିଡ ପଜିଟିଭ ଚିହ୍ନଟ ହେଲା ସେତେବେଳେ ସାରା ପୁରୁଣା ବଜାର ସିଲ୍ ହେଲା । ଯେତେବେଳେ ସଂଖ୍ୟା ୩ ଛୁଇଁଲା ସେତେବେଳେ ସାରା ସହର ସିଲ ହେଲା । ଯେତେବେଳେ ସଂଖ୍ୟା ୮/୯ ହୋଇଥିଲା ସେତେବେଳେ ସାରା ଜିଲାକୁ ସଟ ଡାଉନ କରି ଦିଆଗଲା । ଏବେ ଜିଲାର ସଂଖ୍ୟା ୪ହଜାର ଟପିଲା ବେଳକୁ ସବୁ ଖୋଲାମେଲା । ଆଗରୁ ତହସିଲଦାର, ଥାନା ପୁଲିସ ଲୋକଙ୍କୁ ଗୋଡାଉ ଥିଲେ । ଯେଉଁମାନେ ଗୋଡାଉଥିଲେ ତାଙ୍କ ଭିତରୁ ଅଧିକାଂଶ ପଜିଟିଭ ଚିହ୍ନଟ ହେଲେଣି । ଆହୁରି ବଡ ଅଫିସରଙ୍କୁ ବି କେରାନା । ପ୍ରାୟ ସବୁ ଥାନାକୁ ଛୁଇଁ ସାରିଲାଣି କରୋନା । ଏଣୁ ଆଗଭଳି କେହି ଆଉ ଗୋଡାଗୋଡି କରୁନାହାଂତି କି ଲୋକେ ବି ଆଉ ଭୟାତୁର ନାହାଂତି । ଟିଭିରେ, ଖବରକାଗଜରେ ସଂଖ୍ୟା ଦେଖି, ଶୁଣି, ପଢି ଲୋକେ ହାଲିଆ ହୋଇଗଲେଣି । ଏଣୁ ବେପରୱାମି ବଢିଯାଇଛି ।

୧୦ ପ୍ରତିଶତଙ୍କୁ ଛାଡିଦେଲେ ପ୍ରାୟ ୯୦ ପ୍ରତିଶତ ବିନା ମାସ୍କରେ ବଜାର ଘାଟରେ ଗହଳି କରୁଛନ୍ତି । ଆଉ ଏ ଦିଗରେ ମୁଖ୍ୟ ପ୍ରସଙ୍ଗ ଚିକିତ୍ସା ବିଷୟ ଜାଣିଲେ ସମସ୍ତଙ୍କ ମୁଣ୍ଡ ଗୁଡୁମ୍ ହୋଇଯିବ । ଆଗରୁ ଗୋଟେ ପ୍ରକାର ଚିକିତ୍ସା ଥିଲା । ପଜିଟିଭ ଚିହ୍ନଟ ହେଲେ ଘରୁ ଆସି ରାତି ଅଧରେ ବି ରୋଗୀକୁ କୋଭିଡ ହସପିଟାଲ ନେଇ ଯାଉଥିଲେ । ଏବେ ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ଅନେକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି । ଆଗରୁ କଂଟାକ୍ଟ ଟ୍ରେସିଂକୁ ପ୍ରାଥମିକତା ଦିଆଯାଉଥିଲା । ଏବେ ସେ ସବୁକୁ ଭୁଲିଯାଇଛି ପ୍ରଶାସନ । ରୋଗୀ ସଂଖ୍ୟା ବଢିବା ବେଳକୁ ସମ୍ଭବତଃ ସରକାରଙ୍କ ସମ୍ବଳ କମିଛି । ଏଣୁ ପଂଚାୟତ ସ୍ତରରେ ଖୋଲିଥିବା ଟିଏମ୍‌ସି, ବ୍ଲକସ୍ତରରେ ସିସିଏଚଏସ ଏବଂ କୋଭିଡ କେୟାର ସେଂଟର ସବୁକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଆସିଗଲାଣି । ବାକି ରହିଲା କୋଭିଡ ହସପିଟାଲରେ ଚିକିତ୍ସା କଥା । ଏଠି ବି କିଛି ଆଗଭଳି ନାହିଁ । ଭଦ୍ରକରେ ଏକ ଘରୋଇ ହସପିଟାଲ ‘ସାଳନ୍ଦୀ ହସପିଟାଲ’କୁ କୋଭିଡ ହସପିଟାଲ କରାଗଲା । ନୂଆ ନୂଆ ଏଠାରେ ଆଡମିଶନ ପରେ ଯଦି କେହି ସାମାନ୍ୟ ଗୁରୁତର ହେଲା ତାକୁ କଟକ/ଭୁବନେଶ୍ୱରର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଉଥିଲା । କିନ୍ତୁ ଏବେ ସ୍ଥିତି ଅଲଗା । ଏବେ ରୋଗୀ ଗୁରୁତର ହେଲେ ବି ସହଜରେ ସ୍ଥାନାନ୍ତର ମନା । ରେଫର ପୂର୍ବରୁ ଯେଉଁଠିକୁ ଯିବେ ସେଠାକାର ହସପିଟାଲ କର୍ତୃପକ୍ଷଙ୍କ ଆଗୁଆ ଅନୁମତି ଲୋଡା । ସେଠାରୁ ଅନୁମତି ଆସିଲେ ଯାଇ ସାଳନ୍ଦୀରୁ ରୋଗୀ ଯିବ ନହେଲେ ନାହିଁ । ସେଠାକାର ‘ବେଡ’ ସ୍ଥିତି କହିବ ଏଠାରୁ ରୋଗୀ ଯିବ ନା ଏଇଠି ରହିବ । ସମସ୍ତେ ଜାଣନ୍ତି ଗୁରୁତର କୋଭିଡ ରୋଗୀକୁ ଭେଂଟିଲେଟର ଭରସା । ଏଥିପାଇଁ ସରକାର ବହୁ ଟଙ୍କା ଖର୍ଚ୍ଚ କରି ଭେଂଟିଲେଟର କିଣିଲେ । ଭଦ୍ରକର କୋଭିଡ ହସପିଟାଲକୁ ବି ୪ଟା ଭେଂଟିଲେଟର ଦେଲେ । କିନ୍ତୁ ତା’କୁ ଚଳାଇବା ପାଇଁ ଡାକ୍ତର ନାହାଂତି । ଗୁରୁତର ରୋଗୀ ଏଠି ଭେଂଟିଲେଟର ଚିକିତ୍ସା ପାଇବ ନାହିଁ କି ସହଜରେ କଟକ/ଭୁବନେଶ୍ୱର ରେଫର ହୋଇଇପାରିବ ନାହିଁ । ଏମିତି ବହୁ ରୋଗୀ ଚିହ୍ନଟ ପରେ ବି ଘରେ ରହୁଛନ୍ତି । ଘରୁ କୋଭିଡ ହସପିଟାଲ ଯାଉଛନ୍ତି । ପୁଣି ସେଠାରୁ କଥିତ ଭଲ ହୋଇ ଫେରୁଛନ୍ତି, ପୁଣି ଅସୁସ୍ଥ ହେଉଛନ୍ତି । ଅନେକ ଜୀବନ ହାରୁଛନ୍ତି । କୋଭିଡ ମୃତକଙ୍କ ସଂଖ୍ୟା ଏହା ଭିତରେ ବହୁଗୁଣିତ ହୋଇଛି । କିନ୍ତୁ ସରକାରୀ ତାଲିକାରେ ଜିଲାର ମୃତ୍ୟୁ ସଂଖ୍ୟା ୧୦ରେ ଅଟକିଛି । ପରିସ୍ଥିତି ଦେଖି ସରକାରଙ୍କ ହାବଭାବ ବଦଳିବା ସହ ଅଧିକାରୀମାନଙ୍କ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସିଛି । ତଥ୍ୟ ଲୁଚାଇବାର ପ୍ରତିଯୋଗିତା ଚାଲିଛି, ମିଛ ବାହାବା ନେବାର ଅପଚେଷ୍ଟା ଲାଗିଛି । ଏଭଳି ପରିସ୍ଥିତିରେ ସାଧାରଣ ଲୋକେ ଯାହା ସନ୍ତୁଳିତ ହେଉଛନ୍ତି । ଚିକିତ୍ସା ବ୍ୟବସ୍ଥା କ୍ରମଶଃ ଅସୁସ୍ଥ ହେଲାଣି । ସ୍ଥିତି ଅସମ୍ଭାଳ ଆଡକୁ ଗତି କଲାଣି । ଏଣୁ ଆଗକୁ କେବଳ ଭଦ୍ରକକୁ ‘ମା’ ଭଦ୍ରକାଳୀ’ ଭରସା ବୋଲି ଲୋକେ କହୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.