ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଅନ୍ତର୍ଗତ ବେତାଳି ଗାଁ ବଜାର ଏକ ବ୍ୟସ୍ତବହୁଳ ବଜାର ତଥା ଜନଗହଳି ସ୍ଥାନ ଭାବେ ପରିଚିତା ଏହା ନିକଟବର୍ତୀ ପ୍ରାୟ ୨୦ଟି ଗ୍ରାମ ସହିତ ପଡ଼ୋଶୀ ତିହିଡ଼ି ବ୍ଳକ୍?ର କିଛି ଗାଁ, ଚାନ୍ଦବାଲି ବ୍ଲକ ର କିଛି ଗ୍ରାମ, ଧାମନଗର ବ୍ଲକ ର ଗ୍ରାମାଞ୍ଚଳ ଓ ଯାଜପୁର ଜିଲ୍ଲାର ସୀମାନ୍ତ ଗ୍ରାମଗୁଡିକ ର ଲୋକମାନେ ନିଜର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପନିପରିବା ଆଦି ପାଇଁ ଏହି ବଜାର ଉପରେ ନିର୍ଭରଶୀଳ ପରିବା ଚାଷ ପାଇଁ ବେତାଳି ଗାଁ ଅଂଚଳ ର ସ୍ୱତନ୍ତ୍ର ପରିଚୟ ବି ରହିଛି। ବଜାରରେ କ୍ରମବର୍ଦ୍ଧିଷ୍ଣୁ ଜନଗହଳି ଓ ଟ୍ରାଫିକ ସମସ୍ୟା ଚିନ୍ତାର କାରଣ ହୋଇଛି। ସାପ୍ତାହିକ ହାଟ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ନବସି ଭଦ୍ରକ -ଆଖଣ୍ଡଳମଣି ମୁଖ୍ୟ ରାସ୍ତାରବଜାର ମଝିରେ ବସୁଥିବାରୁ ଅସମ୍ଭାଳ ଭିଡ଼ ହେଉଛି। ଫଳରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି। ଉଭୟ ପାର୍ଶ୍ୱରେ ପରିବା ବ୍ୟବସାୟୀ, ଉଠା ଦୋକାନୀ ବସିବା ଯୋଗୁଁ ମୁଖ୍ୟରାସ୍ତାଟି ସଂକୀର୍ଣ୍ଣ ହୋଇଯାଉଛି। ଫଳରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ପୁଲିସ ଏସବୁ ଦେଖି ମଧ୍ୟ ନିରବଦ୍ରଷ୍ଟା ସାଜୁଛି। ହାଟ ଟି ହନୁମାନ ଛକ ଠାରୁ ଆରମ୍ଭ କରି କଲେଜ୍ ଛକ ପର୍ଯ୍ୟନ୍ତ ବସିଥାଏ।ଗ୍ରାହକମାନେ ରାସ୍ତାଉପରେ ସାଇକେଲ, ଗାଡ଼ି ଆଦି ରଖି କିଣାବିକାକରୁଥିବାରୁ ଜଟିଳ ସମସ୍ୟା ସୃଷ୍ଟି ହେଉଛି। ପରିବା ବ୍ୟବସାୟୀଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଥିଲେ ବି ପ୍ରାୟ ୨୦ରୁ ଅଧିକ ପରିବା ଦୋକାନୀ କଲେଜ୍ ଛକ ନିକଟ ରାସ୍ତା କଡ଼ରେ ଅତି ଅସ୍ୱାସ୍ଥ୍ୟକର ପରିବେଶରେ ପରିବା ବିକିବା ସହିତ ରାସ୍ତାରେ ଭିଡ଼ ସୃଷ୍ଟି କରି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି । ହନୁମାନ ଛକ ଠାରୁ କଲେଜ୍ ଛକ ଯାଏଁ ରାସ୍ତା ବହୁତ ସଂକୀର୍ଣ୍ଣ ହେବା ଯୋଗୁଁ କଲେଜ୍ ପଢ଼ୁଆଁ ଛାତ୍ର ଛାତ୍ରୀ ଗଣ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଯାନଗୁଡ଼ିକୁ ୨୦ରୁ ୩୦ ମିନିଟ ସମୟ ଲାଗୁଛି। ଫଳରେ ଯାତ୍ରୀ, ସାଧାରଣ ଲୋକ, ସମସ୍ତେ ହଇରାଣ ହେଉଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମାର୍କେଟ୍ ସ୍ଥାନାନ୍ତର କରିବା ସହିତ ଜବରଦଖଲ ହଟାଇ ବଜାରରୁ ଟ୍ରାଫିକ ସମସ୍ୟା ଦୂର କରିବାକୁ ଦାବି ହୋଇଛି।