Home ଜିଲ୍ଲା ପରିକ୍ରମା ବେକାବୁ କଲାଣି ବ୍ରାଉନସୁଗାର କାରବାର , ୩ ମାସରେ ୩ କୋଟି ଟଙ୍କାର ଧଳା ଜହର...

ବେକାବୁ କଲାଣି ବ୍ରାଉନସୁଗାର କାରବାର , ୩ ମାସରେ ୩ କୋଟି ଟଙ୍କାର ଧଳା ଜହର ଜବତ, ୨୩ ଗିରଫ

38

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଏବେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କ ଚରାଭୂଇଁ ପାଲଟିଛି । ଗତ ୩ ମାସ ମଧ୍ୟରେ ଉଭୟ ପୁଲିସ୍ ଓ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ୩ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ବିଶେଷକରି ଭଦ୍ରକ ପୁଲିସ୍ ପାଇଁ ବ୍ରାଉନସୁଗାର ବ୍ୟବସାୟରେ ରୋକ ଲଗାଇବା ଏକ ଚ୍ୟାଲେଞ୍ଜ ହୋଇପଡିଛି । କାରଣ ବର୍ତ୍ତମାନ ସମୟରେ ଯୁବପିଢି ଏହି ନିଶା ପାଇଁ ପାଗଳ ହୋଇଯାଇଥିବା ଦେଖିବାକୁ ମିଳୁଛି । ଏଥିପାଇଁ ଅର୍ଥର ଆବଶ୍ୟକତା ଥିବାରୁ ସେମାନେ ଛୋଟବଡ ଅପରାଧ ଘଟାଇବାକୁ ପଛାଉ ନାହାଁନ୍ତି । ଗତବର୍ଷର ଲକଡାଉନ୍ ସମୟରୁ ଏହି ଉତ୍କଟ ନିଶା କାରବାରରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳୁଛି । ଲକଡାଉନ୍ ସମୟରେ ସମସ୍ତ ମଦ ଦୋକାନ ବନ୍ଦ ଥିବା ବେଳେ କେତେକ ବ୍ରାଉନସୁଗାର ବେପାରୀ ଜିଲାରେ ସେମାନଙ୍କ କାୟା ବିସ୍ତାର କରିଛନ୍ତି । ଅଳ୍ପ ପରିଶ୍ରମରେ ବହୁତ ଲାଭ ମିଳୁଥିବାରୁ କେତେକ ଯୁବକ ଏହି ବେପାର ପ୍ରତି ଆଗ୍ରହୀ ହୋଇ ପଡୁଛନ୍ତି । ଏହି ନିଶା ବେପାରୀମାନେ ଏବେ ଗ୍ରାମାଞ୍ଚଳ ଅଭିମୁଖୀ ହୋଇ ସାରିଛନ୍ତି । ଯାହାର ପୁଲିସ୍ ପରିସଂଖ୍ୟନରୁ ସ୍ପଷ୍ଟ । ତେଣୁ ଜିଲାରେ ବ୍ରାଉନସୁଗାର କାରବାରର ଅନ୍ତ ଘଟାଇବାକୁ ଜିଲା ପୁଲିସ୍ ଏବେ ଅଣ୍ଟା ଭିଡିଛି । ବିଶେଷକରି ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଚରଣ ସିଂ ମୀନା ଯୋଗଦେବା ପରେ ବ୍ରାଉନସୁଗାର ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଛି । ଜିଲା ପୁଲିସ୍ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଜାନୁଆରୀ ମାସ ପୁଲିସ୍ ୪ଟି ଘଟଣାରେ ୯୪.୧୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ୮ଜଣ ଯୁବତୀଙ୍କୁ ଗିରଫ କରିଥିଲା ।

ଫେବୃୟାରୀ ମାସରେ ଗୋଟିଏ ଘଟଣାରେ ୫୧.୬ ଲକ୍ଷ ଟଙ୍କାରେ ବ୍ରାଉନସୁଗାର ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଥିଲା । ମାର୍ଚ୍ଚ ମାସରେ ଦୁଇଟି ଘଟଣାରେ ପୁଲିସ୍ ୫୯.୫ ଲକ୍ଷ ଟଙ୍କାର ଧଳ ଜହର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା । ସେହିପରି ଚଳିତ ମାସ ଏପର୍ଯ୍ୟନ୍ତ ଦୁଇଟି ମାମଲାରେ ୨.୪୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି ଓ ସଂପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରିଥିବା ମିଳିଥିବା ସୂଚନାରୁ ପ୍ରକାଶ । ସବୁଠାରୁ ଉଲ୍ଲେଖନୀୟ ଓ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ୯ଟି ସ୍ଥାନରୁ ପୁଲିସ୍ ଏ ସମସ୍ତ ନିଶା ମାଫିଆଙ୍କୁ ଗିରଫ କରି ବ୍ରାଉନସୁଗାର ଜବତ କରିଛି । ସେଗୁଡିକ ମଧ୍ୟରୁ କେବଳ ୨ଟି ସହରାଞ୍ଚଳ ଥାନାର ହୋଇଥିବାବେଳେ ଅନ୍ୟଗୁଡିକ ଅନ୍ୟ ଥାନା ଇଲାକାରେ । ସହରାଞ୍ଚଳ ଥାନା ପକ୍ଷରୁ ଗତ ଜାନୁଆରୀ ୨୬ ତାରିଖ ୬୧ ଗ୍ରାମ ଓ ଚଳିତ ମାସ ୨ ତାରିଖ ୧୪ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । ସେହିପରି ଜାନୁଆରୀ ୧୪ ତାରିଖ ପୁରୁଣାବଜାର ପୁଲିସ୍ ୨୨.୫ ଗ୍ରାମ, ସେହି ମାସ ୭ ତାରିଖ ବନ୍ତ ଥାନା ପକ୍ଷରୁ ୧୧.୧୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଅନୁରୂପ ଗ୍ରାମାଞ୍ଚଳ ପୁଲିସ୍ ଫେବୃୟାରୀ ମାସ ୯ ତାରିଖ ୫୧୬ ଗ୍ରାମ, ମାର୍ଚ୍ଚ ୩୧ ତାରିଖ ପୁରୁଣାବଜାର ପୁଲିସ୍ ୩୩୦ ଗ୍ରାମ, ମାର୍ଚ୍ଚ ୨ ତାରିଖ ଧୁଷୁରୀ ପୁଲିସ୍ ୨୬୫ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । ଚଳିତ ମାସ ୧୦ ତାରିଖ ଗ୍ରାମାଞ୍ଚଳ ପୁଲିସ୍ ୧୦.୫ ଗ୍ରାମ ଓ ସହରାଞ୍ଚଳ ପୁଲିସ୍ ୧୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏ ସମସ୍ତ ବ୍ରାଉନସୁଗାର ପରିମାଣ ୧.୨୨୯ କେଜି ଓ ଯାହାର ବଜାର ମୂଲ୍ୟ ୧ କୋଟି ୨୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଅନ୍ୟପକ୍ଷରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ମଧ୍ୟ ଏହି ସମୟ ମଧ୍ୟରେ ୨ କୋଟିରୁ ଅଧିକ ମୂଲ୍ୟରେ ବ୍ରାଉନସୁଗାର ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.