Home ଓଡ଼ିଶା ବେଆଇନ କାର୍ଯ୍ୟକଳାପ (ନିରୋଧୀ) ସଂଶୋଧନ ବିଲ, ୨୦୧୯ ସଂସଦରେ ଗୃହୀତ

ବେଆଇନ କାର୍ଯ୍ୟକଳାପ (ନିରୋଧୀ) ସଂଶୋଧନ ବିଲ, ୨୦୧୯ ସଂସଦରେ ଗୃହୀତ

171

– ଭାରତରୁ ଆତଙ୍କବାଦର ମୂଳୋତ୍ପାଟନ ଲାଗି ଏକ କଠୋର ଆଇନର ଆବଶ୍ୟକତା ରହିଛି ଓ ଆମ ସରକାର ଏହାକୁ ସବୁବେଳେ ସମର୍ଥନ କରିବ : ଶ୍ରୀ ଅମିତ ଶାହ

– ସଂଗଠନ ନୁହେଁ ବରଂ ବ୍ୟକ୍ତି ହିଁ ଆତଙ୍କବାଦୀ କାର୍ଯ୍ୟ କରିଥାଏ; ଆତଙ୍କବାଦର କୌଣସି ଧର୍ମ ନାହିଁ : ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) ଶୁକ୍ରବାରଦିନ ରାଜ୍ୟସଭାରେ ବେଆଇନ କାର୍ଯ୍ୟକଳାପ (ନିରୋଧୀ) ସଂଶୋଧନ (ୟୁଏପିଏ) ବିଲ, ୨୦୧୯ ଗୃହୀତ ହୋଇଛି। ଏହି ବିଲ ଉପରେ ହୋଇଥିବା ବିତର୍କରେ ଉତର ରଖି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଏହି ବିଲକୁ ସର୍ବସମ୍ମତିକ୍ରମେ ଗୃହୀତ କରିବା ଲାଗି ସଦନକୁ ଆହ୍ୱାନ କରିଥିଲେ। ସେ କହିଥିଲେ ଏହି ବିଲ ମାଧ୍ୟମରେ ସାରା ବିଶ୍ୱକୁ ଏକ ବାର୍ତ୍ତା ଯାଉ ଯେ ଆତଙ୍କବାଦୀମାନେ ମାନବତାର ଶତ୍ରୁ ଏବଂ ଭାରତ ନିଜ ମାଟିରୁ ଆତଙ୍କବାଦର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଲାଗି ସଂକଳ୍ପବଦ୍ଧ।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ଏହି ବିଲକୁ ବିରୋଧ କରୁଛନ୍ତି ସେମାନେ ମନେ ରଖିବା ଉଚିତ ଯେ ମୂଳ ଆଇନ ବର୍ତମାନର ସରକାର ଆଣିନଥିଲେ। ଆମେ ସବୁବେଳେ ଆତଙ୍କବାଦ ବିରୋଧରେ ଏକ କଠୋର ଆଇନ ଆଣିବା ପ୍ରତି ସମର୍ଥନ ଜଣାଇ ଆସିଛୁ। ଏହି ବିଲରେ ଅଣାଯାଇଥିବା ସଂଶୋଧନ ପାଇଁ ଆମେ ପୂର୍ବରୁ ମଧ୍ୟ କହିଆସିଛୁ। ଭାରତରୁ ଆତଙ୍କବାଦର ମୂଳୋତ୍ପାଟନ ଲାଗି ଏକ କଠୋର ଆଇନର ଆବଶ୍ୟକତା ରହିଛି ଏବଂ ଆମେ ସବୁବେଳେ ଏହାକୁ ସମର୍ଥନ କରିଆସିଛୁ।

ଏଥିସହିତ ଶ୍ରୀ ଶାହ କହିଥିଲେ ଯେ ଆତଙ୍କବାଦର କୌଣସି ଧର୍ମ ନାହିଁ ଏବଂ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ ଆତଙ୍କବାଦରେ ବଳି ପକାଇବା ଉଚିତ ନୁହେଁ। ସରକାର ସମସ୍ତ ନାଗରିକମାନଙ୍କ ମୌଳିକ ଅଧିକାରର ସୁରକ୍ଷା ଲାଗି ପ୍ରତିବଦ୍ଧ ବୋଲି ସେ ଗୃହକୁ ଆଶ୍ୱାସନା ଦେଇଥିଲେ।

ଶ୍ରୀ ଶାହ ଆହୁରି କହିଥିଲେ ଯେ ଆତଙ୍କବାଦୀ କାର୍ଯ୍ୟକଳାପ କୌଣସି ସଂଗଠନ ନୁହେଁ ବରଂ ବ୍ୟକ୍ତି କରିଥାନ୍ତି।

ଗୋଟିଏ ସଂଗଠନକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଦେଲେ ଏହା ପଛରେ ଥିବା ବ୍ୟକ୍ତିକୁ ଅଟକାଇ ହେବ ନାହିଁ। ଏପରି କାର୍ଯ୍ୟରେ ସମ୍ପୃକ୍ତ ରହୁଥିବା ଜଣେ ବ୍ୟକ୍ତିକୁ ଆତଙ୍କବାଦୀ ଘୋଷଣା କରାନଯିବା ପର୍ଯ୍ୟନ୍ତ ସେ ଆଇନରେ ଥିବା ଦୁର୍ବଳତାର ଫାଇଦା ଉଠାଇ ଭିନ୍ନ ଭିନ୍ନ ନାଁରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇପାରିବ।

ମନ୍ତ୍ରୀ କହିଥିଲେ ଯେ ଆତଙ୍କବାଦ କାର୍ଯ୍ୟକଳାପରେ ସମ୍ପୃକ୍ତ ରହୁଥିବା ବ୍ୟକ୍ତି ହିଁ ଏପରି କାର୍ଯ୍ୟକଳାପରେ ସମ୍ପୃକ୍ତ ଲୋକମାନଙ୍କୁ ସହାୟତା ଯୋଗାଇ ଥାଏ ଏବଂ ଆତଙ୍କବାଦର ପ୍ରଚାରପ୍ରସାର କରିଥାଏ। ତେଣୁ ବିଲରେ ସଂଶୋଧନ କରାଯିବା ଫଳରେ ଆତଙ୍କବାଦୀ ସଂଗଠନର ସଦସ୍ୟମାନଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରାଯାଇପାରିବ। ସେ ଆହୁରି କହିଥିଲେ ଯେ ଆତଙ୍କବାଦ ଏକ ବୈଶ୍ୱିକ ସମସ୍ୟା। ଜଣେ ବ୍ୟକ୍ତିକୁ ଆତଙ୍କବାଦୀ ବୋଲି ଘୋଷଣା କରିବା ଲାଗି ମିଳିତ ଜାତିସଂଘ ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକର ଆଇନରେ ବ୍ୟବସ୍ଥା ରହିଛି।

ବିଲ୍ ରେ ସଂଶୋଧନ ଅଣାଯାଇ ଆତଙ୍କବାଦ କାର୍ଯ୍ୟକଳାପ ଘଟାଇ ଅର୍ଜନ କରାଯାଇଥିବା ସମ୍ପତି ବାଜ୍ୟାପ୍ତି କରିବାର କ୍ଷମତା ଏନଆଇଏ ଡିଜିଙ୍କୁ ପ୍ରଦାନ କରାଯାଇଛି। ଏହି ପ୍ରସଙ୍ଗରେ ଶ୍ରୀ ଶାହ କହିଥିଲେ ଯେ ଏହି ଆଇନ ରାଜ୍ୟ ପୋଲିସର କ୍ଷମତା ଛଡ଼ାଇ ନେଉନାହିଁ। ଏନଆଇଏ ଯେତେବେଳେ ଅନ୍ତର୍ଜାତୀୟ ଓ ଆନ୍ତଃରାଜ୍ୟ ପ୍ରଭାବ ଥିବା ମାମଲାର ତଦନ୍ତ କରିଥାଏ, ମାମଲା ସହିତ ଜଡ଼ିତ ସମସ୍ତ ପ୍ରାସଙ୍ଗିକ ତଥ୍ୟ ରାଜ୍ୟ ପୋଲିସ ନିକଟରେ ନୁହେଁ, ବରଂ ଏନଆଇଏ ନିକଟରେ ଥାଏ। ଆତଙ୍କବାଦ କାର୍ଯ୍ୟକଳାପରେ ଜଡ଼ିତ ବ୍ୟକ୍ତିଙ୍କ ସମ୍ପତି ବାଜ୍ୟାପ୍ତି କରିବା ଲାଗି ବର୍ତମାନ ଏନଆଇଏକୁ ସମ୍ପୃକ୍ତ ରାଜ୍ୟ ପୁଲିସ ଡିଜିଙ୍କ ଠାରୁ ଅନୁମତି ନେବାକୁ ହେଉଛି। ଏହା ପ୍ରକ୍ରିୟାକୁ ବିଳମ୍ବିତ କରିଥାଏ କାରଣ ଅଧିକାଂଶ ସମ୍ପତି ଭିନ୍ନ ଭିନ୍ନ ରାଜ୍ୟରେ ଥାଏ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଏନଆଇଏର ଦକ୍ଷତାକୁ ପ୍ରଶଂସା କରି ମନ୍ତ୍ରୀ କହିଥିଲେ ଯେ ୯୧% ମାମଲାରେ ଏନଆଇଏ ଦୋଷ ପ୍ରମାଣିତ କରିବାରେ ସଫଳ ହୋଇଛି, ବିଶ୍ୱ ମାନକ ଦୃଷ୍ଟିକୋଣରୁ ଏହା ଏକ ଅସାଧାରଣ ଉପଲବ୍ଧି। ପୂର୍ବରୁ ୟୁଏପିଏର ଧାରା ୪୩ ଅନୁଯାୟୀ ଡିଏସପି କିମ୍ବା ତଦୁର୍ଦ୍ଧ୍ୱ ର୍ୟାଙ୍କର ଅଧିକାରୀଙ୍କ ନିକଟରେ ମାମଲାର ତଦନ୍ତ କ୍ଷମତା ରହୁଥିଲା। ଏବେ ସଂଶୋଧନ ବଳରେ ଇନ୍ସପେକ୍ଟର କିମ୍ବା ସମାନ ପାହ୍ୟାର ଅଧିକାରୀମାନେ ତଦନ୍ତ କରିବାର କ୍ଷମତା ପାଇପାରିବେ। ଏହି ପ୍ରସଙ୍ଗରେ ମତବ୍ୟକ୍ତ କରି ଶ୍ରୀ ଶାହ କହିଥିଲେ ଯେ ଏହା ଏନଆଇଏରେ ମାନବ ସମ୍ବଳ ଅଭାବ ସମସ୍ୟା ଦୂର କରିପାରିବ। ସମୟକ୍ରମେ ଇନ୍ସପେକ୍ଟର ପାହ୍ୟାର ଅଧିକାରୀମାନେ ୟୁଏପିଏସ ସଂକ୍ରାନ୍ତ ମାମଲାର ତଦନ୍ତ କରିବା ଲାଗି ଦକ୍ଷତା ହାସଲ କରିସାରିଲେଣି। ଶ୍ରୀ ଶାହ ଆହୁରି ଉଲ୍ଲେଖ କରିଥିଲେ ଯେ ଏହି ପଦକ୍ଷେପ ଦ୍ୱାରା ୟୁଏପିଏ ମାମଲାରେ ତ୍ୱରିତ ନ୍ୟାୟ ପ୍ରଦାନ ସମ୍ଭବ ହୋଇପାରିବ, ଯାହାକୁ ବିଭିନ୍ନ ସ୍ତରରେ ବରିଷ୍ଠ ଅଧିକାରୀମାନେ ସମୀକ୍ଷା କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.