Home ଜିଲ୍ଲା ପରିକ୍ରମା ବୁଢା ଗଣେଶଙ୍କୁ ମେଲାଣି : କଟକଣା ମଧ୍ୟରେ ସରିଲା ଭସାଣି

ବୁଢା ଗଣେଶଙ୍କୁ ମେଲାଣି : କଟକଣା ମଧ୍ୟରେ ସରିଲା ଭସାଣି

127

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୨୨ ଦିନ ଧରି ପୁରୁଣାବଜାର ସ୍ଥାୟୀ ମଣ୍ଡପରେ ପୂଜା ପାଇବା ପରେ ବୋଇତଯୁଗୀୟ ବାବା ବୁଢା ଗଣେଶଙ୍କ ଭସାଣି ଉତ୍ସବ ସଂପନ୍ନ ହୋଇଛି । ତେବେ ଚଳିତବର୍ଷର ଭସାଣି ଥିଲା ଅଲଗା । କୋଭିଡ କଟକଣା ପାଇଁ ଭସାଣି ଶୋଭାଯାତ୍ରା ଏହାର ଆକର୍ଷଣ ହରାଇଥିଲା । ପ୍ରଶାସନ ପକ୍ଷରୁ ଜାରି କଟକଣାକୁ ପାଳନ କରିଥିଲେ ପୂଜା କମିଟିର ସଦସ୍ୟ ଓ ସ୍ଥାନୀୟ ଶ୍ରଦ୍ଧାଳୁ । ଡିଜେ ବାଜା କିମ୍ବା ରାଜ୍ୟର ବିଭିନ୍ନ ଜିଲାରୁ ଆସୁଥିବା ବିଭିନ୍ନ ବାଦ୍ୟ ଦଳଙ୍କ ସ୍ୱର ଶୁଣିବାକୁ ମିଳିନଥିଲା । ତେଣୁ ଆଜିର ଏହି ଭସାଣି ଉତ୍ସବ ସଂପୂର୍ଣ୍ଣ ନିରାଡମ୍ବର ଓ ଶାନ୍ତିପୂର୍ଣ୍ଣ ଥିଲା । ପାରମ୍ପରିକ ଘଣ୍ଟ ନାଦ, ମହିଳାଙ୍କ ଶଙ୍ଖ, ହୁଳହୁଳି ଧ୍ୱନୀ ମଧ୍ୟରେ ବାବା ବୁଢା ଗଣେଶଙ୍କ ମୂର୍ତ୍ତି ତାଙ୍କ ସ୍ଥାୟୀ ମଣ୍ଡପରୁ ବାହାରି ବାଙ୍କାବଜାର, ଅଲାଲପୁର ଦେଇ ଅତିକ୍ରମ କରିବ।। ପରେ ଗରଦପୁର କୁମ୍ଭାରସାହି ଘାଟ ଅଭିମୁଖେ ଆଗେଇଥିଲା । ସନ୍ଧ୍ୟା ପୂର୍ବରୁ ବିସର୍ଜନ ପର୍ବ ସଂପନ୍ନ ହୋଇଥିଲା । କୋଭିଡ୍ କଟକଣା ମଧ୍ୟରେ ରହି ହଜାର ହଜାର ଶ୍ରଦ୍ଧାଳୁ ଶୋଭାଯାତ୍ରାରେ ସାମିଲ ହୋଇନଥିଲେ ମଧ୍ୟ ଘରର ଛାତ ବାଲକୋନି ଓ ଦୁଆର ମୁହଁରେ ରହି ବାବାଙ୍କୁ ଅଶ୍ରୁଳ ବିଦାୟ ଜଣାଇଥିଲେ । ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୁଲିସ୍ ମୁତୟନ କରାଯାଇଥିଲା । ଅପରପକ୍ଷେ ପୂଜା କମିଟିରୁ ମୁଖ୍ୟ ଉପଦେଷ୍ଟା ବିଦ୍ୟାଧର ସାହୁ ଚଳିତ ବର୍ଷରପୂଜା ପରମ୍ପରାକୁ ନେଇ ନିଜର ଅବସୋସ ଜାହିର କରିଛନ୍ତି । ବାବା ଦୀର୍ଘ ୧ ମାସ ଧରି ପୂଜା ପାଇଥାଆନ୍ତି । କିନ୍ତୁ ଚଳିତ ବର୍ଷ ୨୨ ଦିନରେ ଭସାଣି ଉତ୍ସବ ଅନୁଷ୍ଠିତ ହେଉଛି । କରୋନା ଆତଙ୍କ ଯୋଗୁଁ ସମଗ୍ର ବିଶ୍ୱର ପ୍ରଗତିର ଚକ ଅଟକି ଯାଇଛି । ଐତିହାସିକ ବୁଢା ଗଣେଶଙ୍କ ଭସାଣି ମୋଗଲ ସମୟରୁ ଚାଲି ଆସିଛି । ଯେଉଁ ଭସାଣି ଉତ୍ସବ ପୁରୁଣାବଜାରରେ ରଥଯାତ୍ରାର ଭ୍ରମ ସୃଷ୍ଟି କରେ । ତାହା ଚଳିତ ବର୍ଷ ସମ୍ଭବ ହୋଇପାରିନି । ତେବେ ଏହି ବାବା ବୁଢା ଗଣେଶ ମାନବ ଜାତିକୁ କରୋନା କବଳରୁ ରକ୍ଷା କରିବେ ବୋଲି ଶ୍ରୀ ସାହୁ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.