ad
ଓଡ଼ିଶା

ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତଙ୍କ ପ୍ରତି ଅବହେଳା,ଦୀର୍ଘ ୪୨ ବର୍ଷ ପରେ ଇନ୍ଦ୍ରାବତୀର ବିଜୁଳିରେ ଝଲସିବ କଳାହାଣ୍ଡି

କଳାହାଣ୍ଡି ୦୫ -୧୦ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଏକଦା ମରୁଡି ପ୍ରପୀଡିତ କଳାହାଣ୍ଡି ଆଜି ଶସ୍ୟଶ୍ୟାମଳା ହୋଇଉଠିଛି। କଳାହାଣ୍ଡିର ଗଙ୍ଗା ଇନ୍ଦ୍ରାବତୀରୁ ଜଳସେଚନ ବ୍ୟବସ୍ଥା କଳାହାଣ୍ଡିର ଅର୍ଥନୈତିକ ବିକାଶ ଇତିହାସରେ ପୃଷ୍ଠା ପରେ ପୃଷ୍ଠା ଯୋଡିବାରେ ଲାଗିଛି। ଗତ ଗାନ୍ଧୀ ଜୟନ୍ତୀ ଦିବସ ଅବସରରେ କଳାହାଣ୍ଡି ଜୁନାଗଡରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଉଦ୍ୟମରେ ଇନ୍ଦ୍ରାବତୀରୁ ଉତ୍ପାଦିତ ବିଜୁଳି କଳାହାଣ୍ଡିର ଜନସାଧାରଣଙ୍କୁ ଯୋଗାଇଦେବା ବ୍ୟବସ୍ଥା ମାନ୍ୟବର ମୁଖ୍ୟମନ୍ତୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପଣ ହେବା ପରେ କଳାହାଣ୍ଡି ବିକାଶ ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଯାଇଛି। ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଠାରେ ୨୯ ଏକର ପରିମିତ ଅଂଚଳରେ ୮୨ କୋଟୀ ଟଙ୍କା ବ୍ୟୟ ଅଟକଳରେ ଗତ ୨୦୧୬ ରୁ ଆରମ୍ଭ କରାଯାଇଥିବା୨୨୦/୧୩୨/୩୩ କେଭି ଗ୍ରୀଡ ସବଷ୍ଟେସନର ଉଦଘାଟନ ପରେ ଦୁଇଟି ୩୩ କେଭି ଲାଇନ ଫିଡର ମାଧ୍ୟମରେ କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ଠାରେ ୩୩ କେଭି ର ଏବଂ କଲମପୁର ବ୍ଲକ ଅନ୍ତର୍ଗତ ବଡକୁଟ୍ରୁ ଠାରେ ୩୩ କେଭିର ଗ୍ରୀଡ ଷ୍ଟେସନ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୩୦ ହଜାର ଗ୍ରାହକଙ୍କୁ ବୁଦ୍ୟୁତ ସଂଯୋଗ କରାଯିବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ଅବଶ୍ୟ ଗତ ୨୦୨୦ ଜାନୁଆରୀ ମାସ ଠାରୁ ଇନ୍ଦ୍ରାବତୀ ଉଠାଜଳସେଚନ ଯୋଜନା କୁ ପରୀକ୍ଷା ମୂଲକ ଭାବେ ବିଦ୍ୟୁତ ସଂଯୋଗ କରାଯାଇ ୬ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ କରାଯାଇଥିଲା। ବାନେର ଠାରେ ନିର୍ମିତ ଏହି ଗ୍ରୀଡ ସବ ଷ୍ଟେସନ ମାଧ୍ୟମରେ କଳାହାଣ୍ଡି ବାସୀ ଇନ୍ଦ୍ରାବତୀ ଯୋଜନାର ପରିକଳ୍ପନାର ଦୀର୍ଘ ୪୨ ବର୍ଷ ପରେ ଇନ୍ଦ୍ରାବତୀ ଯୋଜନାର ବିଦ୍ୟୁତ ଶକ୍ତି ପାଇପାରିବେ। ଆଗାମୀ ଦିନରେ ୪୭ କି-ମି- ଦୀର୍ଘ ଆଉ ଏକ ୧୩୨ କେଭି ଡବଲ ସର୍କିଟ ଲାଇନ ଜୁନାଗଡକୁ ସଂଯୁକ୍ତ କରାଯିବାର ଯୋଜନା ରହିଥିବା ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସୂତ୍ରରୁ ପ୍ରକାଶ।

ଉଲ୍ଲେଖ ଯୋଗ୍ୟ ଯେ, ତକ୍ରାଳୀନ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ୧୯୪୨ ମସିହାରେ ଇନ୍ଦ୍ରାବତୀ ନଦୀବନ୍ଧ ଯୋଜନାର ପରିକଳ୍ପନା କରିଥିବା ବେଳେ ଇଂ- ଭୁବନେଶ୍ୱର ବେହେରାଙ୍କ ତତ୍ୱାବଧାନରେ ଏହାର ମାଷ୍ଟର ପ୍ଲାନ କରାଯାଇଥିବା ପ୍ରକାଶ। ପରବର୍ତ୍ତୀ ସମୟରେ ଦେଶ ସ୍ୱାଧିନ ହେବାପରେ ମହାରାଜା ପ୍ରତାପ କେଶରୀ ଦେଓ କଳାହାଣ୍ଡି ସାଂସଦ ଭାବେ କ୍ରମାନ୍ୱୟରେ ନିର୍ବାଚିତ ହୋଇଥିବା ବେଳେ ତାଙ୍କରି ଉଦ୍ୟମରେ ୧୯୭୮ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଦ୍ୱାରା ଇନ୍ଦ୍ରାବତୀ ଜଳବିଦ୍ୟୁତ ଯୋଜନାର ଶିଳନ୍ୟାସ କରାଯାଇଥିଲା।

ଇନ୍ଦ୍ରାବତୀ ଜଳବିଦ୍ୟୁତ ଯୋଜନାରୁ ୧୯୯୯ ମସିହାରୁ ୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ଓଡିଶା ଜଳବିଦ୍ୟୁତ ନିଗମ ( ଓଏଚପିସି) ଦ୍ୱାରା ଏହାର ପରିଚାଲନା ଦ୍ୱାରା ଅନ୍ୟ ରାଜ୍ୟ ଗୁଡିକୁ ଯୋଗାଣ କରାଯାଇଆସୁଛି।

ଗତ ୨୦୦୧ ମସିହାଠାରୁ ଜଳସେଚନ ବ୍ୟବସ୍ଥା ପାଇଁ ଶହ ଶହ ହେକ୍ଟର ଜମି ଅଧିଗ୍ରହଣ କରାଯାଇ କେନାଲ ନିର୍ମାଣ ହୋଇଥିବା ବେଳେ ବାମ କେନାଲ ମାଧ୍ୟମରେ ପ୍ରାୟ ୮୨ ହଜାର ହେକ୍ଟର ଓ ଡାହାଣ କେନାଲ ପାଇଁ ପ୍ରାୟ ୪୫ ହଜାର ହେକ୍ଟର ଜମିକୁ ପ୍ରାଥମିକ ପର୍ଯ୍ୟାୟରେ ଜଳସେଚନ ବ୍ୟବସ୍ଥା କରାଯାଇଥିଲା। ସେହିପରି ହାତୀ ନଦୀକୁ ଏହାର ଆଉଟଲେଟ ଭାବେ ବ୍ୟବହାର କରାଯାଇ ବଳକା ପାଣି ବର୍ଷତମାମ ଛାଡି ଦେଉଥିବା ହେତୁ ନଦୀକୂଳ ପ୍ରବଳ ମାତ୍ରାରେ ଖାଇଯାଇ ଅନେକ ଜମି ନଦୀ ଗର୍ଭରେ ଲୀନ ହୋଇଯାଇଥିବା ବେଳେ ଅନେକ ଚାଷଜମି ଇନ୍ଦ୍ରାବତୀ କେନାଲ ପାଣି ଯୋଗୁଁ ନଷ୍ଟ ହେବାରେ ଲାଗିଛି।

ଇନ୍ଦ୍ରାବତୀ ଜଳବିଦ୍ୟୁତ ଯୋଜନା ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ନିମନ୍ତେ ଅବିଭକ୍ତ କୋରାପୁଟ ଜିଲ୍ଲା ବର୍ତମାନର ନବରଙ୍ଗପୁର ଜିଲ୍ଲାର ୪୪ ଖଣ୍ଡ ଗ୍ରାମ ଓ କଳାହାଣ୍ଡିର ୫୩ ଖଣ୍ଡ ଗ୍ରାମକୁ ସଂପୂର୍ଣ୍ଣ ବିସ୍ଥାପିତ ହୋଇଥିବା ବେଳେ କଳାହାଣ୍ଡିର ୪୪ ଖଣ୍ଡା ଗାଁ ଓ ନବରଙ୍ଗପୁରର ୧୦ ଟି ଗାଁ ଜଳଭଣ୍ଡାର ଭିତରେ ବୁଡି ରହିଥିବା ସହିତ ୯ ଟି ଗ୍ରାମ ଆଂଶିକ ଭାବେ ବୁଡି ରହିଥିବା ପ୍ରକାଶ। ଏହିସବୁ ଗ୍ରାମ ମାନଙ୍କରୁ ୩ ହଜାର ୫୦୦ ପରିବାରର ପ୍ରାୟ ୧୧ ହଜାର ଲୋକେ ୧୦୮୯ ରୁ ୧୯୯୨ ମସିହା ମଧ୍ୟରେ ବିସ୍ଥାପିତ ହୋଇଥିବା ଜଣାପଡିଛି। ଆଜି ମଧ୍ୟ କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକର ୨ଟି ଗ୍ରାମପଂଚାୟତର ୧୭ ଖଣ୍ଡ ଗ୍ରାମର ନୀରିହ ଆଦିବାସୀ ଜଳବନ୍ଦୀ ଘେରରେ ରହି ଭୌଗୋଲିକ ପରିସୀମାରେ ନିଜର ପରିଚୟ ଖୋଜୁଥିବା ଜଣାପଡିଛି। ଥୁଆମୁଲ ରାମପୁର ବ୍ଲକ କାର୍ଯ୍ୟାଳୟକୁ ଆସିବାକୁ ହେଲେ ସେମାନଙ୍କୁ ୬୦ କି-ମି- ବୁଲିବାକୁ ପଡୁଥିବାରୁ ଗଭୀର ଜଳରାଶିରେ ଦେଶୀଡଙ୍ଗା ସାହାଯ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ୨୦ କି-ମି ଜଳପଥରେ ଯାତାୟତ କରିବାକୁ ବାଧ୍ୟ ହୋଇଥାନ୍ତି। ଏହି ଜଳଯାତ୍ରା ସମୟରେ ଅନେକ ସମୟରେ ଦୁର୍ଘଟଣାର ଶୀକାର ହୋଇ ଧନଜୀବନ ନଷ୍ଟ ହୋଇଥିବା ଜଣାପଡିଛି।

ଗତ ୨୦୧୪-୧୫ ମସିହାରୁ ଏଥିପାଇଁ ଇନ୍ଦ୍ରାବତୀ ନଦୀ ଉପରେ ଏକ ପୋଲ ନିର୍ମାଣ କରାଯିବାର ଯୋଜନା କରିଥିଲେ ହେଁ ଅଦ୍ୟାବଧି ପୋଲ ନିର୍ମାଣ ହୋଇପାରିନାହିଁ। ଥୁଆମୂଳ ରାମପୁର ବ୍ଲକର ହଜାର ହଜାର ଲୋକେ ନିଜ ଭିଟାମାଟି ଛାଡିଦେଇଥିବା ବେଳେ ସେଠାରେ ପ୍ରତିଷ୍ଠିତ ଜଳଭଣ୍ଡାର ଏବଂ ଜଳବିଦ୍ୟୁତ ଯୋଜନା ସ୍ଥାପନ ହୋଇ ଜଳସେଚନ ବ୍ୟବସ୍ଥା କରାଯାଇ କଳାହାଣ୍ଡି ଆଜି ଦ୍ୱିତୀୟ ସର୍ବାଧିକ ଧାନ ଉତ୍ପାଦନ ଜିଲ୍ଲା ଭାବେ ପରିଗଣିତ ହୋଇଥିବା ବେଳେ ଜଳବିଦ୍ୟୁତ ଉତ୍ପାଦନ କରାଯାଇ କୋଟି କୋଟି ଟଙ୍କା ଆୟ କରାଯାଉଥିଲେ ହେଁ ଭିଟାମାଟି ଛାଡିଥିବା ଲୋକଙ୍କ ପାଇଁ ଏବଂ ଜଳଘେରରେ ଥିବା ସେହି ଅନ୍ଧାରୀ ଇଲାକା ଆଜିମଧ୍ୟ ଅବହଲେିତ, ନିଷ୍ପେସିତ ଓ ଅନ୍ଧକାରମୟ ଦେଇ ଗତିକରୁଛି। ନିଜ ଭବିଷ୍ୟତ ଅନ୍ଧକାରକୁ ଠେଲିଦେଇ ଅନ୍ୟକୁ ଆଲୋକିତ କରି ଆଜି ସେମାନେ ଅସହାୟ ହୋଇ ପଡିରହିଛନ୍ତି। ବିସ୍ଥାପିତ ଲୋକଙ୍କ ଉତ୍ସର୍ଗ ପାଇଁ କଳାହାଣ୍ଡି ଆଜି ଆଲୋକିତ ହେଉଥିବା ବେଳେ ବିସ୍ଥାପିତଙ୍କ ପାଖରେ ବିକାଶର ଆଲୋକ ଦୀର୍ଘ ବର୍ଷ ଧରି ଅପହଂଚ ହୋଇପଡିଛି। ଦୀର୍ଘ ୪୨ ବର୍ଷ ଧରି ଏହି ଲୋକମାନେ ନିଜ ଭାଗ୍ୟକୁ ଆଦରି ପଡିରହିଛନ୍ତି। ଇନ୍ଦ୍ରାବତୀ ରୁ ଜଳସେଚନ ବ୍ୟବସ୍ଥା ରେ କଳାହାଣ୍ଡି ଆଜି ଶସ୍ୟ ଶ୍ୟାମଳା ହେବା ସହିତ ସର୍ବାଧିକ ଧାନ ଉତ୍ପାଦନକାରୀ ଜିଲ୍ଲା ଭାବେ ପରିଗଣିତ ହୋଇଯାଇଛି।

ଏହି ଜଳବିଦ୍ୟୁତ ଯୋଜନା ନିର୍ମାଣ ସମୟରେ ଅନେକଙ୍କ ଧନଜୀବନ ହାନି ହୋଇଛି। ଦୀର୍ଘ ୪୨ ବର୍ଷ ପରେ ହେଉପଛକେ ବର୍ତମାନ ଏହାର ବିଜୁଳି କଳାହାଣ୍ଡି ଆଲୋକିତ ହେବ। ଆଜିର ଦିନରେ ଉତ୍ସର୍ଗ କାରୀ ମାନଙ୍କୁ ମଧ୍ୟ ମନେପକାଇବାର ଆବଶ୍ୟକତା ରହିଛି। କଳାହାଣ୍ଡିର ୫୩ ଏବଂ ନବରଙ୍ଗପୁରର ୪୪ ଏପରି ୯୭ ଖଣ୍ଡ ଗ୍ରାମର ବିସ୍ଥାପିତ ମାନଙ୍କ ଅବସ୍ଥା ପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସର୍ବୋପରି ସେହି ମହାନ ବ୍ୟକ୍ତିତ୍ୱ ସ୍ୱର୍ଗତ ମହାରାଜା ପ୍ରତାପ କେଶରୀ ଦେଓ ଏବଂ ଇଂ-ଭୁବନେଶ୍ୱର ବେହେରାଙ୍କ ଦୀର୍ଘ ୭୮ ବର୍ଷ ପୂର୍ବର ଦୂରଦୃଷ୍ଟି ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକତା ରହିଛି। ଇନ୍ଦ୍ରାବତୀ ଜଳସେଚନ ଯୋଜନା ପାଇଁ ଜୁନାଗଡ ବ୍ଲକର କେତେକ ଗ୍ରାମର ଚାଷ ଜମିରେ କେନାଲ ପାଣି ନିଷ୍କାସନ ହୋଇନପାରି ସଂପୃକ୍ତ ଚାଷୀଙ୍କୁ କ୍ଷତି ହେଉଥିବା ବେଳେ ହାତୀନଦୀରେ ବର୍ଷ ତମାମ ଇନ୍ଦ୍ରାବତୀର ପାଣି ପ୍ରବାହିତ ହୋଇ କୂଳ ଖାଇ ଅନେକ ଗ୍ରାମର ଚାଷ ଜମି ସମେତ ଧନଜୀବନ ନଷ୍ଟ କରିବାରେ ଲାଗିଛି, ସେସବୁ ପ୍ରତି ପ୍ରତ୍ୟକ୍ଷ ଦୃଷ୍ଟି ଦେବାର ସମୟ ଆସିଛି। ନଚେତ ଆଗାମୀ ଦିନରେ ଇନ୍ଦ୍ରାବତୀ ଲକ୍ଷାଧିକ କଳାହାଣ୍ଡି ବାସୀଙ୍କ ପାଇଁ ଅଭିଶାପ ପାଲଟିଯିବ ଏଥିରେ ଦ୍ୱିମତ ହିଁ ନାହିଁ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top