Home ଜିଲ୍ଲା ପରିକ୍ରମା ବିପର୍ଯ୍ୟସ୍ଥ ଶିକ୍ଷା ଓ ଉତ୍କଟ ବେକାରୀ ବିରୋଧରେ ଭୁବନେଶ୍ୱର ସମାବେଶ ୨୨ରେ

ବିପର୍ଯ୍ୟସ୍ଥ ଶିକ୍ଷା ଓ ଉତ୍କଟ ବେକାରୀ ବିରୋଧରେ ଭୁବନେଶ୍ୱର ସମାବେଶ ୨୨ରେ

9

ବାଲେଶ୍ୱର, ୧୭ା୩(ଓଡ଼ିଆ ପୁଅ/ଅଭୟ ଦାସ): ଶ୍ରମିକ ସଂଗଠନ ‘ସିଆଇଟିୟୁ’, ଛାତ୍ରସଂଗଠନ ଏସଏଫଆଇ ଓ ‘ଡିୱାଇଏଫଆଇ’ର ମିଳିତ ସହଯୋଗରେ ‘ସମସ୍ତଙ୍କୁ ନିଯୁକ୍ତି ଓ ଶିକ୍ଷା ବ୍ୟବସ୍ଥାର ଉନ୍ନତି’ ଶୀର୍ଷକ ଏକ ଆଲୋଚନାଚକ୍ର ବାଲେଶ୍ୱର ସହରର ନୂଆବଜାରସ୍ଥିତ ଶ୍ରମିକ ଭବନରେ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ନେତା ଶିଶିର ହୁଇ, ନିର୍ମଳ ନାୟକ, ବିଜୟ ପାତ୍ର, ପ୍ରେମରଂଜନ ପାତ୍ର ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଦେଶରେ ଦେଖାଦେଇଥିବା ବେକାରୀ ସମସ୍ୟା ଓ ଶିକ୍ଷା ବ୍ୟବସ୍ଥାର ଘରୋଇକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଦେଶ ସ୍ୱାଧୀନତାର ୭୨ ବର୍ଷ ପରେ ବି ବେକାରୀ ସମସ୍ୟା ଉତ୍କଟ ହୋଇଥିବା ବେଳେ ସରକାରୀ ସଂସ୍ଥାରେ ଖାଲିପଡ଼ିଥିବା ପଦବୀ ଉଚ୍ଛେଦ ସହ ନିଯୁକ୍ତି ସୁଯୋଗ ସରକାର ସଂକୁଚିତ କରିଦେଇଥିବା ବକ୍ତାମାନେ ଆରୋପ କରିଥିଲେ। ଅନ୍ୟପକ୍ଷରେ କରୋନା ସଂକ୍ରମଣକୁ ଆଳ କରି ଅନେକ ସରକାରୀ ଓ ବେସରକାରୀ ସଂସ୍ଥାରେ ବ୍ୟାପକ ଛଟେଇ ଚାଲିଛି। କେନ୍ଦ୍ରର ବିଜେପି ସରକାର ବ୍ୟାଙ୍କ, ଜୀବନବୀମା, ଏଆର ଇଣ୍ଡିଆ, ରେଳ, ଖଣି ପ୍ରଭୃତି ରାଷ୍ଟ୍ରାୟାତ୍ତ ଉଦ୍ୟୋଗକୁ ଘରୋଇକରଣ କରିବା ଫଳରେ ନିଯୁକ୍ତିର ସମସ୍ତ ରାସ୍ତ ବନ୍ଦ ହୋଇଯାଇଥିବା ସେମାନେ କହିଥିଲେ। ଅନୁରୂପ ଭାବେ ଅବ୍ୟବସ୍ଥିତ ଶିକ୍ଷା କ୍ଷେତ୍ରରେ ଘରୋଇକରଣର ଓ ବ୍ୟବସାୟୀକରଣକୁ ସରକାର ଉତ୍ସାହିତ କରିଚାଲିଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଶିକ୍ଷାଧିକାର ଆଇନ ମୂଲ୍ୟହୀନ ହୋଇପଡ଼ିଛି ବୋଲି ବକ୍ତାମାନେ କହିଥିଲେ। ଏହା ବିରୋଧରେ ସ୍ୱର ଉତ୍ତୋଳନ ସହ ଗଣ ଆନ୍ଦୋଳନ ପାଇଁ ସେମାନେ ଆହ୍ୱାନ ଦେଇଥିଲେ। ଏନେଇ ଆସନ୍ତା ୨୨ ତାରିଖରେ ଭୁବନେଶ୍ୱରଠାରେ ଛାତ୍ର, ଶ୍ରମିକ ଓ ଯୁବ ସମାବେଶରେ ଅଧିକ ସଂଖ୍ୟାରେ ଯୋଗ ଦେବା ସହ ୨୬ ତାରିଖର ଭାରତ ବନ୍ଦକୁ ସଫଳ କରିବା ପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ। ନିକୁଞ୍ଜ ବସନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଶାନ୍ତ ନାୟକ, ଦୀପ୍ତିମାନ ଆଚାର୍ଯ୍ୟ, ଉମାକାନ୍ତ ପାତ୍ର, ଭଗବାନ ମହାନ୍ତି, ମୃତ୍ୟୁଞ୍ଜୟ ରାଉତ, ବସନ୍ତ ମାଝୀ, ଶ୍ୟାମସୁନ୍ଦର ଜେନା, ଈଶାଣୀ ଷଡ଼ଙ୍ଗୀ, ପୂର୍ଣ୍ଣିମା ବେହେରା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.