Home ଓଡ଼ିଶା ବିନା କୋଭିଡ଼୍ ନେଗେଟିଭ ରିପୋର୍ଟରେ ତିନିଦିନ ହେବ ଚାଲିଛି ମହାପ୍ରଭୁଙ୍କର ଦର୍ଶନ

ବିନା କୋଭିଡ଼୍ ନେଗେଟିଭ ରିପୋର୍ଟରେ ତିନିଦିନ ହେବ ଚାଲିଛି ମହାପ୍ରଭୁଙ୍କର ଦର୍ଶନ

21

ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦୀର୍ଘ ୧୦ ମାସ ଧରି ଶ୍ରଦ୍ଧାଳୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିନଥିଲେ। ଶେଷରେ, କୋଭିଡ଼ ରିପୋର୍ଟ କଟକଣାର ଅନ୍ତ ଘଟିଛି। ୨୧ଠାରୁ ବିନା କୋଭିଡ଼ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ ଭକ୍ତ। ଶ୍ରୀମନ୍ଦିରରେ ସକାଳେ ଦ୍ୱାର ଫିଟା ନୀତି, ଭିତର ସୋଧ, ମଙ୍ଗଳ ଆଳତୀ, ମଇଲମ ଆଦି ଦୈନିକ ନୀତି ସମ୍ପନ୍ନ ହେବା ପରେ ସକାଳ ୮ଟା ଠାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇଥିଲା। ମାର୍କେଟ ଛକଠାରୁ ନିର୍ମାଣ କରାଯାଇଥିବା ବ୍ୟାରିକେଟ ମଧ୍ୟରେ ଲମ୍ବାଧାଡ଼ିରେ ଭକ୍ତମାନେ କୋଭିଡ଼ କଟକଣାକୁ ମାନି ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ସାନିଟାଇଜ କରି ସିଂହଦ୍ୱାର ବାଟେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଶ୍ରଦ୍ଧାଳୁ ଭକ୍ତମାନେ ଭାବବିହ୍ୱଳ ହୋଇ ଆଜି ମହାପ୍ରଭୁଙ୍କୁ ରତ୍ନସିଂହାସନରେ ଦର୍ଶନ କରି ନିଜର ମନସ୍କାମନା ପୂରଣ କରିଥିଲେ। ଆଜି ଶ୍ରଦ୍ଧାଳୁ ଭକ୍ତମାନେ ଚର୍ମଚକ୍ଷୁରେ ଶ୍ରୀ ଜୀଉଙ୍କୁ ଦର୍ଶନ କରି ବହୁଦିନର ଆଶା ଆକାକ୍ଷାଂକୁ ପୂରଣ କରିଥିଲେ। ସକାଳ ୬ଟାରୁ ୭ଟା ମଧ୍ୟରେ ପୁରୀ ସହରର ବାସୀନ୍ଦାମାନେ ନିଜର ଆଧାର କାର୍ଡ଼ ଦେଖାଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ପୁରୀ ସହର ଓ ରାଜ୍ୟ ବାହାରରୁ ଆସିଥିବା ଭକ୍ତମାନେ ନିଜ ନିଜର ଆଧାର କାର୍ଡ଼ ଦେଖାଇ ସିଂହଦ୍ୱାର ବାଟେ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଉତ୍ତର ଦ୍ୱାର ବାଟେ ପ୍ରସ୍ତାନ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପ୍ରତ୍ୟେକ ଦିନ ୩୦, ୦୦୦ ଭକ୍ତଙ୍କ ପାଇଁ ଦର୍ଶନର ବ୍ୟବସ୍ଥା କରାଯାଇଛି। କୋରୋନା କୋହଲ ହେବା ପରେ ଶ୍ରୀମନ୍ଦିରର ସେବାୟତ ପରିବାର ଗତ ମାସ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଦର୍ଶନର ସୁଯୋଗ ପାଇଥିବାବେଳେ, ୨୬-୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରର ବିଭିନ୍ନ ୱାର୍ଡ଼ର ବାସୀନ୍ଦାମାନେ ନିଜନିଜର ପରିଚୟ ପତ୍ର ଦେଖାଇ ଦର୍ଶନ କରିଥିଲେ। ଚଳିତ ମାସ ୩ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ କୋଭିଡ଼ ନେଗେଟିଭ ସାର୍ଟିଫିକେଟ ଦେଖାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଆଜିଠାରୁ କୋଭିଡ଼ ନେଗେଟିଭ ସାର୍ଟିଫିକେଟ ଦେଖେଇବା କଟକଣା ଉଠାଇ ଦିଆଯିବା ପରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଥିଲା। ପୂର୍ବଭଳି ଆଜି ବଡ଼ଦାଣ୍ଡ ଗହଳି ଚହଳି ରହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.