Home ଉପ ନିର୍ବାଚନ ବିଜେଡିକୁ ସୁହାଇଲା ‘ମାଇକ୍ରୋ ମ୍ୟାନେଜମେଣ୍ଟ ଫର୍ମୁଲା’

ବିଜେଡିକୁ ସୁହାଇଲା ‘ମାଇକ୍ରୋ ମ୍ୟାନେଜମେଣ୍ଟ ଫର୍ମୁଲା’

67

ବାଲେଶ୍ୱର, ୧୦ା୧୧ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଉପ-ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ଜିଲ୍ଲାବାସୀଙ୍କୁ ତାଙ୍କର ବିକାଶର ପ୍ରତିଶ୍ରୁତି ଆଜି ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ରରାଜ ତିଲକ ପିନ୍ଧାଇ ପାରିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ମିଳିଲାନି ‘ବାପ ଛେଉଣ୍ଡ’ ଭିତ୍ତିକ ଅନୁକମ୍ପା। ବାପା ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ଉପାର୍ଜିତ ସମ୍ପତ୍ତି ରକ୍ଷା କରିବାରେ ସକ୍ଷମ ହୋଇ ପାରିଲେ ନି ସେ। ଭୋଟରଙ୍କ ମଧ୍ୟରେ ଭାବ ପ୍ରବଣତା ସୃଷ୍ଟି କରିବାରେ ସଫଳ ହୋଇ ପାରିଲେ ନାହିଁ ମାନସ। ଅନ୍ୟପକ୍ଷରେ ନରେନ୍ଦ୍ର ମୋଦିଙ୍କ ହାୱା ନଥିବା ବେଳେ ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଭୋଟରଙ୍କୁ ମନାଇବାରେ ଖାସ ଜଲୱା ଦେଖାଇପାରି ନାହାନ୍ତି। ସବୁଠାରୁ ବଡ଼କଥା ହେଲା ବିଜେପି ଜିଲ୍ଲା ସଭାପତି ଦଳୀୟ ସମନ୍ୱୟ ରକ୍ଷାରେ ଫେଲ୍ ମାରିବା। ସଦର ମଣ୍ଡଳୀ ବିଜେପି ନେତା ଓ କର୍ମୀଙ୍କ ସହ ତାଙ୍କର ବୁଝାମଣା ଅଭାବ ମାନସ ଦତ୍ତଙ୍କ ପରାଜୟର ଅନ୍ୟଏକ କାରଣ କୁହାଯାଉଛି। ତେବେ ଏହି ନିର୍ବାଚନ ପ୍ରଚାର ଦୌଡ଼ରୁ କଂଗ୍ରେସ ନେତାଙ୍କ ଦୂରେଇ ରହିବାର ସୁଯୋଗକୁ ବିନିଯୋଗ କରିବାରେ ବିଜେଡି ସଫଳ ହୋଇଥିବା ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି। ବିଶେଷ କରି ବସ୍ତି ବାସିନ୍ଦାଙ୍କ ଭୋଟ ସାଙ୍ଗକୁ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିପୁଳ ସମର୍ଥନ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାରେ ବେଶ ସହାୟକ ହୋଇଛି ବୋଲି କୁହାଯାଉଛି। ମୋଟ ଉପରେ ବିଜେଡି ରାଜ୍ୟ ନେତାଙ୍କ ନିର୍ବାଚନ ପରିଚାଳନାରେ ‘ମାଇକ୍ରୋ ମ୍ୟାନେଜମେଣ୍ଟ’ ଫର୍ମୁଲା ହିଁ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାରେ ଅଧିକ ସହାୟ ହୋଇଛି। ଦଳୀୟ କର୍ମୀଙ୍କ ଅପେକ୍ଷା ସିଧାସଳଖ ଭୋଟରଙ୍କ ସହ ଯୋଗସୂତ୍ର ରକ୍ଷାର ନୂଆ ପଦ୍ଧତି ଏହି ନିର୍ବାଚନରେ ଚମତ୍କାର ଫଳ ଦେଇଛି ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.