Home Top News ବିକାଶରେ ପରିସଂଖ୍ୟାନର ଭୂମିକା

ବିକାଶରେ ପରିସଂଖ୍ୟାନର ଭୂମିକା

187

(ଜାତୀୟ ପରିସଂଖ୍ୟାନ ଦିବସ ଉପଲକ୍ଷେ)

ପରିସଂଖ୍ୟାନକୁ ରାଜାମାନଙ୍କ ବିଜ୍ଞାନ କୁହାଯାଏ। ପ୍ରାଚୀନ କାଳରେ ଏହା ରାଜାମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିଲା। ରାଜାମାନେ ବିଭିନ୍ନ ବିଷୟ ଉପରେ ତଥ୍ୟ ସଂଗ୍ରହ କରି ସେହି ତଥ୍ୟ ଆଧାରରେ ନିଷ୍ପତ୍ତି ନେଇ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିଥାନ୍ତି। କାଳକ୍ରମେ ପ୍ରତିଟି କ୍ଷେତ୍ରରେ ଏହାର ବ୍ୟବହାର ପରିଲକ୍ଷିତ ହେଲା। ଆମର ଦୈନନ୍ଦିନ ଜୀବନ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ପରିସଂଖ୍ୟାନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତଥ୍ୟ ସଂଗ୍ରହ କରିବା ଓ ନିର୍ଦ୍ଧିଷ୍ଟ ସିଦ୍ଧାନ୍ତରେ ପହଂଚିବା ପାଇଁ ତଥ୍ୟ ଗୁଡିକୁ ବିଶ୍ଳେଷଣ ଏବଂ ବ୍ୟାଖ୍ୟା କରିବା ପାଇଁ ପରିସଂଖ୍ୟାନ ପଦ୍ଧତି ଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସଂକ୍ଷିପ୍ତ ସୂଚନା ପ୍ରଦାନ କରେ ଯାହାଫଳରେ ନିଷ୍ପତି ନେବାରେ ସୁବିଧା ହୋଇଥାଏ। ଅର୍ଥନୀତି ଓ ଯୋଜନାର ବିକାଶରେ ପରିସଂଖ୍ୟାନର ସହାୟତା ନିଆଯାଇଥାଏ। ସାମାଜିକ ସର୍ବେକ୍ଷଣରେ ପରିସଂଖ୍ୟାନର ବ୍ୟବହାର କରାଯାଇ ଏକ ନିର୍ଦ୍ଧିଷ୍ଟ ସିଦ୍ଧାନ୍ତ ନିଆଯାଇଥାଏ। କୌଣସି ତଥ୍ୟକୁ ଆଧାର କରି ନିଷ୍ପତ୍ତି ନେବା ଏବଂ ଭବିଷ୍ୟବାଣୀ କରିବା ପଛରେ ପରିସଂଖ୍ୟାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ପରିସଂଖ୍ୟାନକୁ ଉପଯୋଗ କରି ଅନେକ ପ୍ରକାର ତଥ୍ୟକୁ ଅର୍ଥପୂର୍ଣ୍ଣ ଫଳାଫଳରେ ପରିଣତ କରାଯାଇଥାଏ। ଅନେକ ବିଷୟ ଅଛି ଯଥା ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଅର୍ଥନୀତି, ପାଣିପାଗ ବିଜ୍ଞାନ, ଅନୁସନ୍ଧାନ, ବାଣିଜ୍ୟ ବ୍ୟବସାୟ, ସମାଜବିଜ୍ଞାନ, ଫାର୍ମାସି, ସାଧାରଣ ପ୍ରଶାସନ, ସୂଚନା, ଯୋଗାଯୋଗ, ପ୍ରଯୁକ୍ତିବିଦ୍ୟା ଇତ୍ୟାଦି ରେ ପରିସଂଖ୍ୟାନ ପଦ୍ଧତି ଗୁଡିକ ବ୍ୟବହୃତ କରାଯାଇଥାଏ। ଗବେଷଣା କ୍ଷେତ୍ରରେ ପରିସଂଖ୍ୟାନ ର ଭୂମିକା ଗୁରୁତ୍ୱପୂର୍ଣ।

ଆମ ଦେଶରେ ପ୍ରତିବର୍ଷ ଜୁନ୍ ୨୯ରେ ଜାତୀୟ ପରିସଂଖ୍ୟାନ ଦିବସ ପାଳନ କରାଯାଏ। ପରିସଂଖ୍ୟାନ କ୍ଷେତ୍ରରେ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନକୁ ଏହି ଦିବସରେ ସ୍ମରଣ କରାଯିବା ସହିତ ଯୋଜନା, ବିକାଶ ତଥା ଦୈନନ୍ଦିନ ଜୀବନରେ ପରିସଂଖ୍ୟାନର ଗୁରୁତ୍ୱ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥାଏ। ସେ ୧୮୯୩ ଜୁନ ୨୯ରେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲେ। ତାଙ୍କ ସ୍ମୃତିରେ ଏହି ଦିନକୁ ୨୦୦୭ ମସିହା ଠାରୁ ଜାତୀୟ ପରିସଂଖ୍ୟାନ ଦିବସ ଭାବେ ପାଳନ କରାଯାଉଛି। ପରିସଂଖ୍ୟାନକୁ ଉପଯୋଗ କରି ଦେଶରେ ବିଭିନ୍ନ ପ୍ରକାର ସର୍ଭେ ଆରମ୍ଭ କରାଯିବାରେ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ ଥିଲା। ସେ ଭାରତର ପ୍ରଥମ ବିଶ୍ୱ ସ୍ତରୀୟ ପରିସଂଖ୍ୟାନବିତ୍। ଅର୍ଥନୈତିକ ଓ ସାମାଜିକ ଯୋଜନାର ବିକାଶରେ ପରିସଂଖ୍ୟାନର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ହୃଦୟଙ୍ଗମ କରି ସେ ଭାରତୀୟ ପରିସଂଖ୍ୟାନ ସଂସ୍ଥା ପ୍ରତିଷ୍ଠା କରିଥିଲେ। ପ୍ରଫେସର ମହାଲନୋବିସ ଯୋଜନା ଆୟୋଗର ଜଣେ ସଦସ୍ୟ ଥିଲେ। ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ଦ୍ଵିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମବିଭୂଷଣ ପୁରସ୍କାର ସେ ପାଇଥିଲେ। ପଦ୍ମବିଭୂଷଣ ମହାଲନୋବିସଙ୍କୁ ଭାରତୀୟ ପରିସଂଖ୍ୟାନର ପିତା କୁହାଯାଏ। ପରିସଂଖ୍ୟାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶରେ ଏବଂ ଦେଶ ବାହାରେ ଅନେକ ଥର ପୁରସ୍କୃତ ହୋଇଛନ୍ତି। ୧୯୪୪ ମସିହାରେ ଅକ୍ସଫୋର୍ଡ ୟୁନିଭର୍ସିଟିରୁ ୱେଲଡନ ମେମୋରିଆଲ ପ୍ରାଇଜ ଓ ୧୯୪୫ ରେ ଲଣ୍ଡନରେ ଫେଲୋ ଅଫ ଦି ରୟାଲ ସୋସାଇଟି ଭାବେ ମଧ୍ୟ ପୁରସ୍କୃତ ହୋଇଥିଲେ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.