Home ଓଡ଼ିଶା ବାଲେଶ୍ୱରରେ ଆଦର୍ଶ ବିବାହ: ବିଚାରଧୀନ କଏଦୀଙ୍କୁ ଜୀବନସାଥୀ କଲେ ପୂର୍ବତନ ପ୍ରେମିକା

ବାଲେଶ୍ୱରରେ ଆଦର୍ଶ ବିବାହ: ବିଚାରଧୀନ କଏଦୀଙ୍କୁ ଜୀବନସାଥୀ କଲେ ପୂର୍ବତନ ପ୍ରେମିକା

123

ବାଲେଶ୍ୱର, ୨୨ା୨ (ଓଡ଼ିଆ ପୁଅ/ଅଭୟ ଦାସ) : କଥାରେ ଅଛି ପ୍ରେମ ଶାସ୍ୱତ ଓ ଚିରନ୍ତନ। ବିବାହ ସ୍ୱର୍ଗରେ ସ୍ଥିର ହୋଇଥାଏ। ମାତ୍ର ପ୍ରେମ ଯେ ବିବାହରେ ପୂର୍ଣ୍ଣତା ପାଇଥାଏ, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ପ୍ରେମର ପୂର୍ଣ୍ଣତା ପାଇଁ ପ୍ରେମିକ ଓ ପ୍ରେମିକା ଯେ କୌଣସି ବାଧାବିଘ୍ନ ସାମ୍ନା କରିବାକୁ ପଛାଇ ନଥାନ୍ତି। ଏହିଭଳି ଏକ ସଫଳ ପ୍ରେମ ବିବାହ ସୋମବାର ସହରର ରାଜାବଗିଚା ଶ୍ରୀରାଧାକୃଷ୍ଣ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତଙ୍କ ଉପସ୍ଥିତିରେ କେନ୍ଦ୍ରାପଡା ରାଜକନିକା ଅଂଚଳର ଉପେନ୍ଦ୍ର ମିଶ୍ରଙ୍କ ପୁତ୍ର ଦେବୀ ପ୍ରସାଦ ମିଶ୍ର ଓ ରୂପସା ଅଞ୍ଚଳର ନଗମା ପରବିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଲୁମିନସ ବ୍ୟାଟେରୀ କମ୍ପାନିରେ କାର୍ଯ୍ୟରତ ଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମର ଭିତ୍ତି ପ୍ରସ୍ତର ପଡ଼ିଥିଲା। ଦୁହେଁ ସହରର ଅଙ୍ଗାରଗଡିଆ ଅଂଚଳରେ ଭଡା ଘର ନେଇ ରହୁଥଲେ। ଗୋଟିଏ କମ୍ପାନିରେ କାମା କରୁଥିବାରୁ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଅନ୍ତରଙ୍ଗତା ବଢିବା ସହ ଦୁହେଁ ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ମନସ୍ଥ କଲେ। ମାତ୍ର ଦୁଇଜଣ ଭିନ୍ନ ଧର୍ମର ହୋଇଥିବାରୁ ମୌଳବାଦୀ ଚିନ୍ତାଧାରାକୁ ସାମ୍ନା କରିନପାରି ପରିବାର ଚାପରେ ଦେବୀପ୍ରସାଦ ନିଜ ପ୍ରତିଶ୍ରୁତିରୁ ଓହରିବାକୁ ବାଧ୍ୟ ହୋଇଥିଲେ। ଅନ୍ୟପକ୍ଷରେ ନଗମା ପ୍ରତାରିତ ହୋଇ ଫେରି ଯାଇଥିଲେ ନିଜ ଗାଁକୁ, ପରେ ବାଲେଶ୍ୱର ଶିଳ୍ପାଂଚଳ ଥାନାରେ ଦେବୀଙ୍କ ବିରୋଧରେ ଦୁର୍ଷ୍କମ ଅଭିଯୋଗ ଆଣିଥିଲେ ସେ। ଫଳ ସ୍ୱରୂପ ୨୦୨୦ ମସିହା ସେପ୍ଟେମ୍ବର ମାସ ୨୦ ତାରିଖରେ ପୁଲିସ ଦେବୀ ପ୍ରସାଦଙ୍କୁ ଗିରଫ କଲେ। ଜାମିନ ନାମଞ୍ଜୁର ହେବାରୁୁ ଏ ଯାବତ ସେ ବିଚାରଧୀନ କଏଦୀ ଭାବେ ବାଲେଶ୍ୱର ଜେଲରେ ରହିଛନ୍ତି। ଇତିମଧ୍ୟରେ କିଛି ସଂଗଠନଙ୍କ ମଧ୍ୟସ୍ଥତାରେ ଦୁହେଁ ପୁଣି ବିବାହ ପାଇଁ ସମ୍ମତି ପ୍ରକାଶ କଲେ। ସେହି କ୍ରମରେ ଅଦାଲତର ଅନୁମତି କ୍ରମେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି। ତେବେ ଭାବୀ ସ୍ୱାମୀଙ୍କ ପରିବାରର ବିରୋଧ ଏଡାଇବାକୁ ଯାଇ ନଗମା ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଖନ୍ତାପଡା ଥାନା ଅନ୍ତର୍ଗତ ନରସିଂହପୁର ଅଂଚଳର ପ୍ରଶାନ୍ତ ପାଣିଗ୍ରାହୀ ନଗମାଙ୍କୁ ନିଜ ପୌଷ୍ୟ କନ୍ୟାଭାବେ ଗ୍ରହଣ ସହ ତାଙ୍କୁ ମାମୁନି ପାଣିଗ୍ରାହୀ ନାମରେ ପରିଚୟ ଦେଇଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶାନୁସାରେ ଶିଳ୍ପାଞ୍ଚଳ ଥାନା ପୋଲିସ ଓ ଜେଲ କର୍ମଚାରୀମାନେ ଦେବୀ ପ୍ରସାଦଙ୍କୁ ରାଧାକୃଷ୍ଣ ମନ୍ଦିରକୁ ଆଣି ବିବାହ କରାଇଥିଲେ। କିଛି ଭୁଲ ବୁଝାମଣା ପାଇଁ ସୃଷ୍ଟି ହୋଇଥିବା ବିବାଦ ଏବେ ସମାଧାନ ହେବାକୁ ଯାଉଥିବାରୁ ଉଭୟ ଖୁସି ପ୍ରକାଶ କରିଛନ୍ତି ଦେବୀପ୍ରସାଦ ଓ ମାମୁନି। ସମସ୍ତଙ୍କ ସହଯୋଗରେ ତାଙ୍କ ପ୍ରେମ ସଫଳ ହୋଇପାରିଛି ବୋଲି ସେମାନେ ଜେଲ କର୍ମଚାରୀ, ପୁଲିସ, ଆଇନଜୀବୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିବାହ ପରେ ଦେବୀପ୍ରସାଦଙ୍କୁ କୋର୍ଟରୁ ଜାମିନ ମିଳିବା ସହ ନବଦମ୍ପତି ସୁଖର ସଂସାର କରିବେ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.