Home ଜିଲ୍ଲା ପରିକ୍ରମା ବାରୋ ଚାରିମାହାଲ ଯାଦବ ସଂଘ ପକ୍ଷରୁ ଐତିହାସିକ କୁମ୍ଭମେଳା

ବାରୋ ଚାରିମାହାଲ ଯାଦବ ସଂଘ ପକ୍ଷରୁ ଐତିହାସିକ କୁମ୍ଭମେଳା

29

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରୋ ଚାରିମାହାଲ ଯାଦବ ସଂଘ ପକ୍ଷରୁ ଐତିହାସିକ କୁମ୍ଭମେଳା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଦୋଳପୂର୍ଣ୍ଣମୀ ଅପରାହ୍ନରେ ବାରୋ, ବୋଡକ, ବିଲଣା, ଗୋପନଗର, ନୟାପାଟଣା, ଗଳଗଣ୍ଡପୁର, କେରଡିହ ଓ ଖର୍ଦ୍ଦାପାଟଣା ଅଂଚଳର ୪ଟି ଦଳ ହୋଇ ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ଯାଦବମାନେ ଏକତ୍ରିତ ହୋଇ ନାଳିଆ କୂଳରେ କୁମ୍ଭାଭିଷେକ କରିଥିଲେ। ପ୍ରତ୍ୟେକ ଗ୍ରାମରୁ ଗୋପାଳମାନେ ପାରମ୍ପରିକ ଋତିରେ କୁମ୍ଭ ଭାରରେ ଆସି ବାଜା, ରୋଷଣୀ, ନୃତ୍ୟର ତାଳେ ତାଳେ ଶ୍ରୀ ରାଧାକୃଷ୍ଣଙ୍କ ସେହି ପୌରାଣିକ ବାର୍ତ୍ତା ବହନ କରିଥିଲେ। ପୁରାଣମତେ ଗୋପାଳମାନେ ସୃଷ୍ଟିର ପ୍ରଥମ ଜାତି। ଗୋପାଳମାନେ କୁମ୍ଭ ବୁଡାଇ ସେହି ପାଣିଙ୍କୁ ସେମାନଙ୍କ ଗୋ-ବନ୍ଦନା କରିବା ସହ ଘରବାଡିରେ ଛିଞ୍ଚନ କରିଥାନ୍ତି। ଏବଂ କୃଷ୍ଣଙ୍କ ଅନୁଗତଭାବେ ନିଜ ଘରେ ସେହି କଳସ ରଖି ପୂଜା କରିଥାନ୍ତି। ଏହି ବିଶ୍ୱାସରେ ଯାଦବମାନେ ଏବେବି ସେହି ପରମ୍ପରା ବଜାୟ ରଖିଛନ୍ତି। ୧୯୩୦ ମସିହା ଠାରୁ ବାରୋରେ କୁମ୍ଭ ବୁଡା ଉତ୍ସବ ଅନୁଷ୍ଠିତ ହୋଇଆସୁଅଛି। ସନ୍ଧ୍ୟାରେ ସମସ୍ତ ଯାଦବମାନେ ଏକତ୍ରିତ ହୋଇ ନାଳିଆ ନଦୀ କୂଳରେ ମହାଆଡମ୍ବରରେ କୁମ୍ଭ ବୁଡାଇ ଗୃହ ପ୍ରତ୍ୟାବର୍ତ୍ତନ କରିଥିଲେ। ଯାଦବମାନଙ୍କର ଏହା ମୁଖ୍ୟ ପର୍ବ ହୋଇଥିବାରୁ ବନ୍ଧୁ ବାନ୍ଧବ, ସାଙ୍ଗ ସାଥି ଓ ସାହି ପଡିଶାକୁ ନୈଶ୍ୟ ଭୋଜିରେ ଆପ୍ୟାୟିତ କରିଥାନ୍ତି। ନୂଆ ବସ୍ତ୍ର ପରିଧାନ ପୂର୍ବକ ଧନି ଗରିବ ସଭିଏଁ ଏକତ୍ରିତ ହୋଇ ଏହି ପର୍ବ ପାଳନ କରିଥାନ୍ତି। ଜାତି, ଧର୍ମ, ବର୍ଣ୍ଣ ଓ ଦଳଗତ ନିର୍ବିଶେଷରେ ଏହି ଉତ୍ସବ ଦେଖିବା ପାଇଁ ହଜାର ହଜାର ସାଧାରଣ ଜନତା ଉପସ୍ଥିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.