Home ଓଡ଼ିଶା ବାତ୍ୟା ବିପନ୍ନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପଠାଇଥିବା ୧୩୪୧ କୋଟି ଟଙ୍କାକୁ ଲୁଟ ପାଇଁ ଷଡଯନ୍ତ୍ର...

ବାତ୍ୟା ବିପନ୍ନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପଠାଇଥିବା ୧୩୪୧ କୋଟି ଟଙ୍କାକୁ ଲୁଟ ପାଇଁ ଷଡଯନ୍ତ୍ର ହୋଇଛି: ବିଜେପି

2048

କ୍ୟାବିନେଟ୍ ରେ ପୂର୍ତ ବିଭାଗର ନିୟମାବଳୀକୁ ସଂଶୋଧନ କରି ବିନା ଟେଣ୍ଡରରେ ୫ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ନିୟମ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ବିଜେପିର ପ୍ରତିନିଧି ଦଳ
ଭୁବନେଶ୍ୱର, ତା ୨୧/୦୫ (ଓଡ଼ିଆ ପୁଅ) : ଗତ ଦୁଇ ଦିନ ତଳେ ଯେଉଁ ଭଳି ଭାବରେ କ୍ୟାବିନେଟ୍ରେ ପୂର୍ତ ବିଭାଗରେ ବିନା ଟେଣ୍ଡରରେ ପାଚଂ ଲକ୍ଷ ଟଙ୍କାର କାମ ପାଇଁ କାର୍ଯ୍ୟାଦେଶ ଦିଆଯାଇ ପାରିବ ଏବଂ ବାତ୍ୟା ‘ଫନି’ର ପୁନଃଉଦ୍ଧାର ପାଇଁ ୨୦ଲକ୍ଷ ଟଙ୍କାର କାର୍ଯ୍ୟ ଅଟକଳକୁ ବିଭାଜନ କରି ବିନା ଟେଣ୍ଡରରେ ଦିଆଯାଇ ପାରିବ ବୋଲି ସରକାର ନିଷ୍ପତି ନେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଭ୍ରଷ୍ଟାଚାରରେ ଲିପ୍ତ ଥିବା କିଛି ମୁଷ୍ଟିମେୟ ଅଧିକାରୀ ପିସି କାରବାର କରି ବିଜେଡି ଦଳର ନେତା ମାନଙ୍କୁ ମାଲା ମାଲ କରିବାର ଯୋଜନା କରିଛନ୍ତି। ବାତ୍ୟା ଫନିର ମୁକାବିଲା କରିବା ପାଇଁ ଓ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କୁ ଥଇଥାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ୧୩୪୧ କୋଟି ଟଙ୍କାକୁ ଲୁଟ କରିବା ପାଇଁ ଶାସକ ଦଳର କିଛି ମୁଷ୍ଟିମେୟ ନେତା ମାନେ କିଛି ଅଣଓଡିଆ ଅଧିକାରିମାନଙ୍କ ସହ ହାତ ମିଳାଇ ଷଡଯନ୍ତ୍ର କରିଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ବିନା ଟେଣ୍ଡରରେ କାମ ଦେଇ ପିସି କାରବାରକୁ ଆହୁରି ସୁବିଧା କରିଛନ୍ତି ରାଜ୍ୟ ସରକାର। ଆଜି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏହି ପ୍ରସଙ୍ଗରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ପୂର୍ବରୁ ୨୦୧୫ ମସିହାରେ ପୂର୍ତ ବିଭାଗ ପୂର୍ବତନ ସଚିବ ତଥା ବିଜେଡି ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପୂର୍ତ ବିଭାଗର ନିୟାମବଳୀକୁ ପରିବର୍ତ୍ତନ କରିବା ସହ ଜରୁରିକାଳୀନ ଭାବେ ଏହି ନିୟମକୁ ସଂଶୋଧନ କରି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିସି କାରବାରକୁ ପ୍ରଶୟ ଦେଇଥିଲେ। ଏବେ ସେହି ନିୟମକୁ ଆଉଥରେ ସଂଶୋଧନ କରି ୫୦ ହଜାର ଅଟକଳ ସୀମାରାଶିକୁ ୫ ଲକ୍ଷ ଟଙ୍କା କରାଇବା ପଛରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଛି।

ବାତ୍ୟା ‘ଫନି’ର ପୁନଃଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଦେଇଥିବା ୧୩୪୧ କୋଟି ଟଙ୍କାକୁ ସୁଶ୍ଚିନ୍ତିତ ଭାବେ ଷଡଯନ୍ତ୍ର କରି ହଡପ କରିବା ଚେଷ୍ଟା କରୁଛନ୍ତି ରାଜ୍ୟ ସରକାରଙ୍କ କିଛି ଅଫିସର ଓ ବିଜୁ ଜନତା ଦଳର ମନ୍ତ୍ରୀମାନେ। ସରକାରଙ୍କ ଦେଖାଶୁଣା କରୁଥିବା ଅଧିକାରୀ ମାନେ ବିଜେଡି ଦଳର ନେତାମାନଙ୍କ ସହ ମଧୁଚନ୍ଦ୍ରିକା କରି ଏଭଳି ବେଆଇନ ଏବଂ ଭ୍ରଷ୍ଟାଚାରରେ ଲିପ୍ତ ରହୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ସରକାର ପୂର୍ତ ବିଭାଗର ନିୟାମବଳୀକୁ ପରିବର୍ତ୍ତନ କରି ମୋହର ମାରିଛନ୍ତି। କାହା ସ୍ୱାର୍ଥରେ ପୂର୍ତ ବିଭାଗର ନିୟାମବଳୀକୁ ପରିବର୍ତ୍ତନ କରି ବିନା ଟେଣ୍ଡରରେ ୫ ଲକ୍ଷ ଟଙ୍କାର କାର୍ଯ୍ୟାଦେଶକୁ ମଞ୍ଜୁରୀ ଦେଲେ। ଏହା ଉପରେ ମୁଖ୍ୟ ଶାସନ ସଚିବ ତର୍ଜମା କରନ୍ତୁ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛନ୍ତିି।

୧୯ ବର୍ଷ ଶାସନ କାଳରେ ବିଜେଡି ଦଳ ବିନା କାର୍ଯ୍ୟରେ ମିଛ ନକଲି ଭାଉଚର ଦେଇ ଟଙ୍କା ହଡପ କରିବା କଥା ସମସ୍ତେ ଅବଗତ। ଏକଥା ଅନେକ ଥର ସିଏଜି ତାଙ୍କ ଅନୁସନ୍ଧାନରେ ପାଇଛନ୍ତି। ଏବେ ପୁଣି ଜାଣି ଶୁଣି ନିଜର କାର୍ଯ୍ୟକର୍ତା ଓ ନେତା ମାନଙ୍କୁ ଠିକା କାର୍ଯ୍ୟ ଦେଇ ସରକାରୀ ଟଙ୍କା ହଡପ କରିବାକୁ ଚେଷ୍ଟା କରୁଛି। ବାତ୍ୟା ‘ଫନି’ର ପୁନଃଉଦ୍ଧାର ଆସିଥିବା ଅର୍ଥକୁ ଲୋକଙ୍କ ବିପନ୍ନତା ଦୂର କରିବା କାମରେ ଲଗାଯାଉ। କିଛି ଅଧିକାରି ଓ ନେତା ମନ୍ତ୍ରୀମାନେ ଏହାକୁ ହଡପ କରିବା ପାଇଁ ରଚିଥିବା ଷଡଯନ୍ତ୍ରକୁ ଦମନ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଂଜିତ ଦାସ, ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ରାଜ୍ୟ ଯୁବମୋର୍ଚ୍ଚାର ସଂପାଦକ ଦିପକ କୁମାର ଗୋଚ୍ଛାୟତ ଏବଂ ବିଜେପି ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.