Home ଓଡ଼ିଶା ବାଇକକୁ ଧକ୍କା ଦେଲା ଟ୍ରକ, ସ୍ବାମୀ ମୃତ ପତ୍ନୀ ସହ ସାନ ପୁଅ ଗୁରୁତର

ବାଇକକୁ ଧକ୍କା ଦେଲା ଟ୍ରକ, ସ୍ବାମୀ ମୃତ ପତ୍ନୀ ସହ ସାନ ପୁଅ ଗୁରୁତର

114

ହରିଚନ୍ଦନପୁର, ତା ୯ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ନରଣପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାର ଖଡ଼ିବାହାଳୀ ଛକ ନିକଟରେ ବାଇକକୁ ଧକ୍କା ଦେଲା ଟ୍ରକ, ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ସହ ସାନପୁଅ ଗୁରୁତର ଆହତ ହୋଇଛନ୍ତି । ଖବର ଅନୁଯାୟୀ ଆଜି ମୟୁରଭଞ୍ଜ ଜିଲ୍ଲା ତୁଳସୀବଣୀ ଶଶୁର ଘରୁ ଏକ ବାଇକ୍ ଯୋଗେ ସୁଦର୍ଶନ ମହାକୁଡ଼ ପତ୍ନୀ ରାଇମଣୀ ମହାକୁଡ଼ ଓ ଦୁଇପୁଅ ରାହୁଲ(୯), ଚିନ୍ମୟ(୬) ଯାଜପୁର ଜିଲ୍ଲା କାଳିଆପାଣି ନିଜ ଘରକୁ ଫେରୁଥିଲେ । ଫେରୁଥିବା ବେଳେ ଅପରାହ୍ନ ୪ଘଟିକା ସମୟରେ ଖଡ଼ିବାହାଳୀ ଛକ ନିକଟରେ ଅଚାନକ ବିପରୀତ ଦିଗରୁ ଏକ ଲୁହାପଥର ପରିବହନ ଟ୍ରକ ଆସି ଧକ୍କା ଦେଇଥିଲା । ଧକ୍କା ଦେବା ଫଳରେ ବାଇକରୁ ଛିଟିକି ପଡ଼ି ଘଟଣାସ୍ଥଳରେ ସମସ୍ତେ ଗୁରୁତର ଆହତ ହୋଇଥିଲେ । ଘଟଣା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଚିକିତ୍ସାଳୟରେ ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ସୁଦର୍ଶନଙ୍କୁ ମୃତ ଘୋଷଣା କରିଥିବା ବେଳେ ରାଇମଣୀ ଓ ପୁଅ ଚିନ୍ମୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏଥିସହ ଘଟଣାର ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପରିବାର ଲୋକଙ୍କୁ ଖବର ଦେଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.