ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଳାତ୍କାର ଅଭିଯୋଗରେ ଦଣ୍ଡିତ ଜଣେ ବ୍ୟକ୍ତିକୁ ଭଦ୍ରକ ଅତିରିକ୍ତ ଜିଲାଜଜ୍ ସତ୍ୟରଂଜନ ପ୍ରଧାନ ଦୋଷମୁକ୍ତ କରିଛନ୍ତି। ଘଟଣାରୁ ଯାହା ଜଣାଯାଏ ତିହିଡି ଥାନା ଅଧୀନସ୍ଥ ମହରମପୁର ଗ୍ରାମନିବାସୀ ସୀତାକାନ୍ତ ବଳ ସେହି ଗ୍ରାମର ଜନୈକା ଅବିବାହିତା ଯୁବତୀଙ୍କ ସହ ବଳାତ୍କାର କରିଥିବାର ଅଭିଯୋଗ ତିହିଡି ଥାନାରେ ହୋଇଥିଲା। ଏହି ଅଭିଯୋଗ ମୂଳେ ୨୦୦୨ ଅଗଷ୍ଟ ୨୪ ତାରିଖ ସନ୍ଧ୍ୟାରେ ମୁଦାଲା ସୀତାକାନ୍ତ ଜୋର ଜବରଦସ୍ତ ସଂପୃକ୍ତ ଯୁବତୀଙ୍କୁ ବଳାତ୍କାର କରିଥିଲା। ଏହି ଅଭିଯୋଗ ମୂଳେ ଉକ୍ତ ଘଟଣାର ବିଚାର ପୂର୍ବକ ତାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ ଶହ ଟଙ୍କା ଜରିମାନା ଆଦେଶ ହୋଇଥିଲା। ସୀତାକାନ୍ତ ଉକ୍ତ ଦଣ୍ଡାଦେଶ ବିରୁଦ୍ଧରେ ୨୦୦୫ ମସିହାରେ ୬ ନଂ ଅପିଲ ଆଗତ କରିଥିଲେ। ଏହି ଅପିଲ ମୂଳେ ଅତିରିକ୍ତ ଦୌରାଜଜ୍ଙ୍କ ଦ୍ୱାରା ଶୁଣାଣି ହୋଇ ଉପଯୁକ୍ତ ପ୍ରମାଣ ଅଭାବରୁ ଅପିଲ ମଂଜୁର ହୋଇଅଛି। ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା କାରଣରୁ ମିଥ୍ୟା ଅଭିଯୋଗ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ବିଚାରପତି ମତ ପ୍ରକାଶ କରିଛନ୍ତି। ଏହି ମୋକଦ୍ଦମାରେ ମୁଦାଲାଙ୍କ ପକ୍ଷରୁ ପ୍ରଗତିକା ଦାଶ ଲଢୁଥିବାବେଳେ ସରକାରଙ୍କ ପକ୍ଷରୁ ପି.କେ ସାମଲ ମକଦ୍ଦମା ପରିଚାଳନା କରୁଥିଲେ।