ad
ଜିଲ୍ଲା ପରିକ୍ରମା

ବଣଭୋଜି ଓ ପ୍ରକୃତି ବିହାର ପାଇଁ ଉତ୍କୃଷ୍ଟ କ୍ଷେତ୍ର ନୟାଗଡ଼ର ଗନ୍ଧମାର୍ଦ୍ଦନ ପର୍ବତ ରାଜଗିରି

ନୟାଗଡ଼, ୧୫ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ପ୍ରାକୃତିକ ଶୋଭାରାଜିରେ ଭରପୂର ତଥା ଜନମନ ହରଣ କରି ରାଜଗିରି ବକ୍ଷରେ ୧୧ଶହ ମିଟରର ମୁକ୍ତାହାର ପରି ବହି ଯାଉଥିବା କଦଳୀ ଝରଣା ଓ ରାଜଗିରି ପର୍ବତର ଶିଖରରେ ବିରାଜମାନ ମହାବୀର ଆସ୍ଥାନ ଏବଂ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରସ୍ତରୁ ଉପରୁ ହଠାତ୍ ଲମ୍ପ ପ୍ରପାତ ସୃଷ୍ଟି କରୁଥିବା ଗୁଲୁବାସ ଝରଣାର ଅପରୂପ କାନ୍ତି ପର୍ଯ୍ୟଟକଙ୍କୁ ବେଶ୍ ଆମୋଦିତ କରୁଛି। ବଣଭୋଜି ଓ ପ୍ରକୃତି ବିହାର ପାଇଁ ଏହା ଏକ ସର୍ବେତ୍କୃଷ୍ଟ ସ୍ଥାନ ହୋଇଥିଲେ ମଧ୍ୟ ଏହା ଲୋକ ଲୋଚନର ବହୁତ ଆଢୁଆଳରେ ରହିଯାଉଛି। ଥରେ ଗଲେ ରାଜଗିରିକୁ ମାନସିକ କ୍ଲେଶ ଭୁଲି ପ୍ରକୃତି କୋଳରେ ହଜିଯିବା ସହ ଦିନେ ଦି’ଦିନ ରହିଯିବାକୁ ଇଛା ହୁଏ ବୋଲି ବହୁ ପର୍ଯ୍ୟଟକ ମତବ୍ୟକ୍ତ କରନ୍ତି। ରାଜଗିରି ପର୍ବତରେ ୨୧ଶହ ପ୍ରକାରର ଔଷଧୀୟ ବୃକ୍ଷ ମିଳୁଥିବାବେଳେ ସମସ୍ତ ପ୍ରକାର ଔଷଧୀୟ ଲତା, ଗୁଳ୍ମ ବୃକ୍ଷାଦି ଏଠାକୁ ସଂଗ୍ରହ କରିବାକୁ ଆସନ୍ତି ବୋଲି ଚେରମୂଳୀ ବୈଦ୍ୟମାନେ କହନ୍ତି। କାହି କେଉଁକାଳୁ ଏଠାରେ ହନୁମାନଙ୍କ ଆସ୍ଥାନ ଓ ହନୁମାନଙ୍କ ପାଦଚିହ୍ନ ଥିବା ସହ ଗନ୍ଧମାର୍ଦ୍ଦନ ପର୍ବତ ପରି ଏଠାର ଔଷଧୀୟ ସମାଞ୍ଜସ୍ୟ ଥିବାରୁ ରାଜଗିରିକୁ ଗନ୍ଧମାର୍ଦ୍ଦନ ପର୍ବତ ବୋଲି ଚେରମୂଳୀ ବୈଦ୍ୟ ଓ ବହୁ ପୁରୁଣାକାଳିଆ ଲୋକମାନଙ୍କ ମୂଖରୁ ନିଶୃତ ହୁଏ। ରାଜଗିରିକୁ ଯିବାକୁ ହେଲେ ନୟାଗଡ଼ ସଦର ମହକୁମାରୁ ନୟାଗଡ଼-ଖଣ୍ଡପଡ଼ା ରାସ୍ତାର ବାଲୁଗାଁ ଠାରୁ ବାଲୁଗାଁ-ମହିପୁର ରାସ୍ତାର କ୍ରିଦାଶପୁର ଡିମିରିପାଟଣା ଛକରୁ କୋଶକା ଗାଁ ଭିତର ଦେଇ ରଘୁବାବୁ ଫାର୍ମ ରାସ୍ତାରେ ରାଜଗିରିକୁ ଯିବାକୁ ହୁଏ। ନଚେତ ବାଲୁଗାଁ – ପାଣିପଇଲା ଠାରୁ ଚିନିକଳ ରାସ୍ତାଦେଇ ରାଜଗିରି ପର୍ବତ଼କୁ ଯିବାକୁ ହୋଇଥାଏ। ନୟାଗଡ଼ ଠାରୁ ରାଜଗିରି ପର୍ବତର ପାଦଦେଶ ପର୍ଯ୍ୟନ୍ତ ଗାଡ଼ି ମୋଟର ଧରି ଯିବାକୁ ରାସ୍ତାର ସୁବିଧା ଥିଲାବେଳେ ରାଜଗିରି ପାଦଦେଶରୁ କଦଳୀ ଝରଣା ପର୍ଯ୍ୟନ୍ତ ଘଂଚ ଜଙ୍ଗଲ ଢିମା ରାସ୍ତାରେ ମୋଟରସାଇକେଲରେ ଯାଇ କଦଳୀ ଝରଣାର ପ୍ରାକୃତିକ ପରିବେଶରେ ପହଂଚିବାକୁ ହୁଏ। ମାତ୍ର ଚାରିଚକିଆ ଗାଡ଼ି ଧରି ଯିବାକୁ ଚାହୁଁଥିଲେ ରାଜଗିରି ପାଦଦେଶରୁ ୨କିଲୋମିଟର ଚାଲିଚାଲି ଗଲେ କଦଳୀ ଝରଣା ପଡ଼ିଥାଏ ଏବଂ ସେଠାରୁ ଏକ କଲୋମିଟର ପାହାଡ଼ ଉଠି ଉଠି ଗଲେ ରାଜଗିରିର ଶିଖରରେ ପହଂଚି ମହାବୀରଙ୍କ ଆସ୍ଥାନ ସହ ଝର୍ଝର ନାଦରେ ନିନାଦିତ ଗୁଲୁବାସ ଝରଣାର ସୌନ୍ଦର୍ଯ୍ୟକୁ ଅବଲୋକନ କରିହୁଏ। ରାଜଗିରିକୁ ଯିବାପାଇଁ ସେତେ ସୁବିଧାଜନକ ରାସ୍ତା ନଥିବାରୁ ଏପରି ଏକ ମନୋମୁଗ୍ଧକର ସ୍ଥାନକୁ ଭ୍ରମଣକାରୀମାନଙ୍କ ଯିବାକୁ କଷ୍ଟସାଧ୍ୟ ହୋଇପଡ଼େ। ନୟାଗଡ଼ ବନଖଣ୍ଡ ଓ ଖଣ୍ଡପଡ଼ା ବନାଚଂଳର ଅଧିନସ୍ଥ ଏହି ରାଜଗିରି ପାହାଡ଼ କାହିଁ କେଉଁ ଆବାହମାନ କାଳରୁ ଜନମନ ହରଣ କରି ଲୋକମାନଙ୍କୁ ଆକର୍ଷିତ କରି ଏଠାକୁ ଟାଣିଆଣୁଥିଲେ ମଧ୍ୟ ବିଭାଗୀୟ ଗୁରୁତ୍ୱ ନଥିବାରୁ ଏହି ସ୍ଥାନଟି ପର୍ଯ୍ୟଟକଙ୍କ ଆଢୁଆଳରେ ରହିଯାଉଛି। ଏହି ସ୍ଥାନର ମର୍ଯ୍ୟଦା ତଥା ଶୋଭାରାଜିର ଦୃଶ୍ୟ ଶୁଣି ପର୍ଯ୍ୟଟକମାନେ ଏଠାପ୍ରତି ଆକର୍ଷିତ ହେଉଥିଲେ ମଧ୍ୟ ଏଠାକୁ ଆସିବାରେ ବିଫଳ ହୁଅନ୍ତି। ଏବଂ ଅନେକ ଏହି ପାହାଡ଼ର ପାଦଦେଶକୁ ଆସି ନିରାଶ ହୋଇ ମନ ଦୁଃଖରେ ଫେରିଯାଆନ୍ତି  ା ଆଉ ଯେଉଁମାନେ କଷ୍ଟସାଧ୍ୟ କରି ଏଠାକୁ ଆସନ୍ତି ଆଧ୍ୟତ୍ମିକ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଶୋଭାରାଜିରେ ବିମୋହିତ ହୋଇ ଏଠାକୁ ନଆସିଥିଲେ କିଛି ଅପୂରଣ ରହିଯାଇଥାନ୍ତା ବୋଲି ମତବ୍ୟକ୍ତ କରନ୍ତି। ପାହାଡ଼ର ଶୀର୍ଷରେ ଏକ ବିରାଟ ପଥର ଚଟାଣ ଥିବାବେଳେ ଭ୍ରମଣକାରୀଙ୍କ ପାହାଡ଼ ଚଢିବାର କଷ୍ଟ ଲାଘବ କରନ୍ତି ସଂକଟମୋଚନ ମହାବୀର। ପଥର ଚଟାଣ ଉପରେ ଭ୍ରମଣକାରୀମାନେ ବଣଭୋଜି କରି ଖୁସି ମନାଉଥିବାବେଳେ କିଛି ଦୂରରେ ଥିବା ଝରଣାର ଗାଧୁଆ ମଜ୍ଜା ଅନେକଙ୍କୁ ଆତ୍ମ ବିଭୋର କରିଥାଏ। ଶୁକ୍ଳପକ୍ଷରେ ଏଠାରେ ରାତି ରହଣିର ମଜ୍ଜା କିନ୍ତୁ ନିଆରା। ରାତିରେ ଭ୍ରମଣକାରୀମାନେ ବିସ୍ତାର ପଥର ଚଟାଣର ଖୋଲା ଆକାଶ ତଳେ ନିଜକୁ ହଜେଇ ଦେଇ ହସଖୁସିରେ ରାତି କଟାଉଥିଲାବେଳେ ଅଝାଡ଼ ଝାଡ଼ ଜଙ୍ଗଲ ଭିତରେ ବନ୍ୟ ପଶୁପକ୍ଷୀଙ୍କ ବିଭିନ୍ନ ପ୍ରକାର ଶଦ୍ଦ, ରାତ୍ରୀର ନିର୍ଜ୍ଜନ ପ୍ରହରରେ ଶୂନ୍ୟରୁ ଭାସି ଆସୁଥିବା ଝାଞ୍ଜ ଖୋଳର ଅପୂର୍ବ ନିଦାଦ ଭ୍ରମଣକାରୀଙ୍କୁ ଅନ୍ୟଏକ ଶିହରଣ ସହିତ ରୋମାଚିଂତ କରଥାଏ। ପାହାନ୍ତାରୁ ସିନ୍ଦୁର ଫାଟିବାର ଦୃଶ୍ୟ ବେଶ୍ ମନଲୋଭା। ପକ୍ଷୀମାନଙ୍କ କିଚିରି ମିଚିରି ଶଦ୍ଦରେ ସକାଳ ସୂର୍ଯ୍ୟକିରଣର ରକ୍ତିମ ଆଭା, ସବୁଜ ବନାନୀ, ଝରଣାର କୁଳୁକୁଳୁ ନାଦ ଭ୍ରମରକାରୀଙ୍କ ଚଳାପଥର କଷ୍ଟ ଲାଘବ କରିଦିଏ। ଏଠାକୁ ଯେଉଁମାନେ ଆସିଥାନ୍ତି ନଜ ସୁବିଧା ନେଇ ଆସିଥାନ୍ତି। ବଣଭୋଜି ପାଇଁ ନିଜେ ରୋଷେଇ ସାମଗ୍ରୀ ସହ ରାତିରେ ରହିବା ପାଇଁ ଆଲୁଅ ସୁବିଧା କରି ଆସିଥାନ୍ତି। ରୋଷେଇ କରିବା ପାଇଁ ପାଖରେ ଥିବା କାଠକୁ ନିଜେ ସଂଗ୍ରହ କରିଥିବାବେଳେ ପିଇବା ଓ ରୋଷେଇ କରିବା ପାଇଁ ଝରଣା ପାଣି ବହୁତ ସୁବିଧା ହୋଇଥାଏ। ବର୍ଷା ହେଲେ କେତେକ ସ୍ୱେଚ୍ଛାସେବୀ ଭ୍ରମଣକାରୀଙ୍କ ସୁବିଧା ପାଇଁ ସେଠାରେ ୨ଟି ଖୋଲା ଟିଣ ଘରର ସୁବିଧା କରିଦେଇଛନ୍ତି ମାଳିସାହି ଗ୍ରାମବାସୀ। ରାଜଗିରିର ଆକର୍ଷଣ ଅନ୍ୟ ପର୍ଯ୍ୟଟନ କ୍ଷେତ୍ରଠାରୁ ବହୁ ଆଗରେ ଥିଲାବେଳେ ବିଭାଗର ଅନାଗ୍ରହ ଯୋଗୁଁ ଏଠାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ କୌଣସି ପଦକ୍ଷେପ ନିଆଯାଉନାହିଁ କି ଏହାର ବିକାଶ ପାଇଁ ଟିକିଏ ବି ଆନ୍ତରିକତା ପ୍ରକାଶ ପାଉନାହିିଁ। କେବଳ ମାଳିସାହିର ସ୍ୱେଚ୍ଛାସେବୀଙ୍କ ଆଗ୍ରହ ଯୋଗୁଁ ରାଜଗିରି କ୍ଷେତ୍ରକୁ ଯାହା କିଛି ଭ୍ରମଣକାରୀଙ୍କୁ ଆକର୍ଷିତ କରିପାରିଛି। ତେବେ ପ୍ରଚାର ପ୍ରସାର ଅଭାବ ଯୋଗୁଁ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହି ଯାଉଥିବା ଏହି ରାଜ୍ଗିରି ପ୍ରାକୃତିକ ଶୋଭାରାଜିର କ୍ଷେତ୍ରକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରି ଏହାର ବିକାଶ ଦିଗରେ ପଦକ୍ଷେପ ନେଲେ ଭ୍ରମଣକାରୀଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିପାରନ୍ତା ବୋଲି ରାଜଗିରି ପ୍ରକୃତି ବିହାରର ବିକାଶ ପାଇଁ ମନପ୍ରାଣ ଢାଳିଥିବା ମାଳିସାହି ଗ୍ରାମର ବିଚ୍ଛେଦ ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ଧରାମହାପାତ୍ର, ଦୀପର ରଂଜନ ସାହୁ, ସନ୍ତୋଷ କୁମାର ମହାପାତ୍ର ଦାବି କରନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top