Home ଜିଲ୍ଲା ପରିକ୍ରମା ପ୍ରସ୍ତାବରେ ଅଟକିଛି ଟ୍ରାଫିକ ଥାନା – ନିୟନ୍ତ୍ରଣ ବାହାରେ ସହରର ଟ୍ରାଫିକ ବ୍ୟବସ୍ଥା

ପ୍ରସ୍ତାବରେ ଅଟକିଛି ଟ୍ରାଫିକ ଥାନା – ନିୟନ୍ତ୍ରଣ ବାହାରେ ସହରର ଟ୍ରାଫିକ ବ୍ୟବସ୍ଥା

84

ଭଦ୍ରକ, ୨୩-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଗଠନକୁ ୨୬ବର୍ଷ ବିତିଛି। ଜିଲ୍ଲା ସଦର ମହକୁମା ଭଦ୍ରକ ପୌରପାଳିକା ଗଠନକୁ ମଧ୍ୟ ୪୧ ବର୍ଷ ବିତିଛି। କିନ୍ତୁ ଏତେ ବର୍ଷ ପରେ ସୁଧୁରି ପାରିନି ସହରର ଟ୍ରାଫିକ ବ୍ୟବସ୍ଥା। ଏଦିଗରେ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇ ପାରିନି। ପୂର୍ବରୁ ଭଦ୍ରକ ସହରରେ ଏକ ଟ୍ରାଫିକ ଥାନା ପ୍ରତିଷ୍ଠା ପାଇଁ ନିତୀଗତ ନିଷ୍ପତ୍ତି ନିଅଯାଇଥିଲେ ମଧ୍ୟ ଏହା କେବଳ ପ୍ରସ୍ତାବରେ ଅଟକି ରହିଛି। ଜିଲ୍ଲାର ନିର୍ବାଚିତ ଲୋକ ପ୍ରତିନିଧିମାନେ ସହରର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ସ୍ୱଚକ୍ଷୁରେ ଦେଖୁôତଲେ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନେବାକୁ ଉଚିତ ମନେ କରି ନାହାନ୍ତି। ତେବେ ଏହି ପରିସ୍ଥିତିରେ କୌଣସି ଉପାୟ ନଥିବାରୁ ଜିଲ୍ଲା ପୁଲିସ ସହାୟତାରେ ଚାଲିଛି ସହରର ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟ। ବିଶେଷକରି ଗୃହରକ୍ଷୀ ଓ କେତେକ ତାଲିମପ୍ରାପ୍ତ କନେଷ୍ଟବଲଙ୍କୁ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟରେ ଲଗାଯାଇଛି। ଏପରିକି ବହୁ କର୍ମଚାରୀ ଟ୍ରାଫିକ ନିୟମ ସମ୍ପର୍କୀତ ତାଲିମ ନେଇ ନଥିଲେ ମଧ୍ୟ ସେମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ବହୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସେମାନେ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟ ଚଲାଇଛନ୍ତି। ପାର୍କିଂ ପାଇଁ ପୌପାଳିକା ପକ୍ଷରୁ ସହରରେ ସେପରି କୌଣସି ବ୍ୟବସ୍ଥା ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ଏହା ବ୍ୟତୀତ ଭେଣ୍ଡିଂଜୋନ ନଥିବାରୁ ଉଠାଦୋକାନୀ ରାସ୍ତାକଡ଼ରେ ବସି ରହି ସେମାନଙ୍କ ବେପାର ଚଲାଉଥିବାବେଳେ ବହୁ ସଂଖ୍ୟକ ଠେଲା ଗାଡ଼ି ମଧ୍ୟ ରାସ୍ତା ଜାମ୍ କରୁଛନ୍ତି। ପୂର୍ବାପେକ୍ଷା ସହରରେ ଗାଡ଼ି ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଇଛି। ହେଲେ ଅନୁରୂପ ଭାବେ ରାସ୍ତା ଘାଟରେ ଉନ୍ନତି ଆସି ନାହିଁ। ବହୁ ସ୍ଥାନରେ ଜବରଦଖଲ ମଧ୍ୟ ଟ୍ରାଫିକ ସମସ୍ୟାକୁ ଉତ୍କଟ କରିଛି। ଅନୁରୂପ ସହର ମଧ୍ୟରେ ଶହଶହ ସଂଖ୍ୟାରେ ଗୋରୁଗାଈ ପରିସ୍ଥିତିକୁ ଅଧିକ ଜଟିଳ କରୁଛନ୍ତି। ଫଳରେ ସହରର ବିଭିନ୍ନ ଛକରେ ଏବେ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବିଶେଷକରି ବନ୍ତ ଛକ, ଚରମ୍ପା ବଜାର, କଚେରୀ ବଜାର, ଅପର୍ତ୍ତିବିନ୍ଧା ଛକ, ବାଇପାସ, ରାଜଘାଟ ଛକରେ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜପଥରେ ଜେବ୍ରା କ୍ରସିଂ, ପ୍ରତି ଛକରେ ଅଟୋମେଟେଡ଼େ ସିଗନାଲିଂ ବ୍ୟବସ୍ଥା ପାଇଁ ପୂର୍ବରୁ ସାଂସଦଙ୍କ ପାଣ୍ଠିରୁ ଅର୍ଥ ମଞ୍ଜୁର କେବଳ ପ୍ରସ୍ତାବରେ ରହିଯାଇଛି। ଟ୍ରାଫିକ ବ୍ୟବସ୍ଥାର ସୁଧାର ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ଏକ ପ୍ରସ୍ତାବ ବହୁ ପୂର୍ବରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା କୁହାଯାଉଥିଲେ ମଧ୍ୟ ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧିମାନେ ଏଦିଗରେ ଆଦୌ ଦୃଷ୍ଟି ଦେଉ ନାହାନ୍ତି। ତେବେ ଏହି ବ୍ୟବସ୍ଥାକୁ ନେଇ ଆବଶ୍ୟକ ଭିତ୍ତିଭୂମୀ ନଥିବାରୁ ପୁଲିସ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ସେପରି କୌଣସି ଠୋସ ପଦକ୍ଷେପ ନେଇପାରୁ ନାହିଁ। ବନ୍ତ ଛକ ବସଷ୍ଟାଣ୍ଡ ନିକଟରେ ଏକ ଟ୍ରାଫିକ୍ ବିଟ୍ ହାଉସ ୨୦୧୨ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ବିଟ ହାଉସରେ କୌଣସି ସମୟରେ ଟ୍ରାଫିକ୍ କର୍ମଚାରୀ ଥିବା ଦେଖିବାକୁ ମିଳିନଥାଏ। ରାତି ହେଲେ ଟ୍ରାଫିକ ଦାୟିତ୍ୱରେ ଥିବା ସହରାଞ୍ଚଳ ଥାନାର ଜଣେ ଦାୟିତ୍ୱରେ ଥିବା ଅଧିକାରୀ ଏହି ବିଟ୍‌୍‌କୁ ଆସି ଆବଶ୍ୟକ କାର୍ଯ୍ୟ କରି ପଳାଇଥାନ୍ତି। ଅନ୍ୟ ସମୟରେ ସେଠାରେ ତାଲା ଝୁଲୁଥିବା ପରିଲକ୍ଷିତ ହୋଇଥାଏ। ଏହି ସୁଯୋଗରେ ଏହି ବିଟ୍ ହାଉସ ସମ୍ମୁଖ ଅଞ୍ଚଳ ଏବେ କିଛି ଫଳ ବେପାରୀଙ୍କ କବଜାକୁ ଚାଲିଯାଇଛି। ତେବେ ସହରର ଟ୍ରାଫିକ୍ ବ୍ୟବସ୍ଥାର ସୁଧାର ଦିଗରେ ପ୍ରଶାସନିକ ତତ୍ପରତା ଜରୁରୀ ହୋଇପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.