Home ଜିଲ୍ଲା ପରିକ୍ରମା ପ୍ରଶାସନର ମିଥ୍ୟା ପ୍ରତିଶ୍ରୁତିକୁ ନେଇ ଉତ୍ତେଜନା – ପାଗନଈ ଛକରେ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତାରୋକ

ପ୍ରଶାସନର ମିଥ୍ୟା ପ୍ରତିଶ୍ରୁତିକୁ ନେଇ ଉତ୍ତେଜନା – ପାଗନଈ ଛକରେ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତାରୋକ

24

ବାଲେଶ୍ୱର, ୧୩ା୩(ଓଡ଼ିଆ ପୁଅ/ଅଭୟ ଦାସ): ସଲ୍ଟରୋଡ଼ରେ ବଢ଼ି ଚାଲିଥିବା ଦୁର୍ଘଟଣାରେ ଜିଲା ପ୍ରଶାସନର ଖାମଖିଆଲି କାର୍ଯ୍ୟଧାରା ଓ ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ପାଗନଈ ଛକଠାରେ ଲୋକେ ଶନିବାର ଦୀର୍ଘ ୬ଘଣ୍ଟାଧରି ରାସ୍ତାରୋକ କରିଥିଲେ। ପାଗନଈ ପୋଲରେ ହେଉଥିବା ଦୁର୍ଘଟଣା ପ୍ରତି ପ୍ରଶାସନ ବିହୀତ ପଦକ୍ଷପ ଗ୍ରହଣ ନକରିବା ଓ ଗତ୧୦ ତାରିଖରେ ନିର୍ମାଣଧୀନ ପ୍ରତିରକ୍ଷା ବିଭାଗ ବାଇପାସ ରାସ୍ତା ଯୋଗୁଁ ଦୁର୍ଘଟଣାଗ୍ରସ୍ତ ପରିବାର ପ୍ରତି ପ୍ରଶାସନିକ ଅବହେଳାକୁ ନେଇ ରାସ୍ତାରୋକକୁ ଓହ୍ଲାଇଥିବା ସେମାନେ ପ୍ରକାଶ କରିଛନ୍ତି। ପ୍ରତିରକ୍ଷା ବିଭାଗର ନିର୍ମାଣଧୀନ ବାଇପାସ ରାସ୍ତା ଯୋଗୁଁ ଦୁର୍ଘଟଣାରେ ଗୁରୁତର ଶାସଙ୍ଗ ଅଞ୍ଚଳର ଗୋଟିଏ ପରିବାରର ୩ ବର୍ଷର ଶିଶୁ ସମେତ ବାପ, ପୁଅ, ଝିଅଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରଶାସନ ଓ ପ୍ରତିରକ୍ଷା ବିଭାଗର ଖାମଖିଆଲି କାର୍ଯ୍ୟ ବିରୋଧରେ ସେଦିନ ସାରଗାଁଠାରେ ସଲ୍ଟରୋଡ଼ରେ ରାସ୍ତାରୋକ କରାଯାଇଥିଲା। ପ୍ରଶାସନିକ ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଉଚିତ ପଦକ୍ଷେପ ନେବା ପାଇଁ ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ବି ଦେଇଥିଲେ। ଆହତ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ କିଛି ଆର୍ଥିକ ସହାୟତା ପ୍ରଦାନ ପାଇଁ ସେତେବେଳେ ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସେ ପ୍ରତିଶ୍ରୁତି ପାଣିର ଗାର ହୋଇଯାଇଥିବା ଉତ୍ତେଜିତ ଲୋକେ କହିଛନ୍ତି। ପ୍ରଶାସନ ଆର୍ଥିକ ସହାୟତା ତ ଦେଲାନି, ଅନ୍ୟପକ୍ଷରେ ହାଇଟେକ ହସପିଟାଲରେ ଭର୍ତ୍ତି ହୋଇଥିବା ଦୁର୍ଘଟଣାର ସଂକଟାପନ୍ନ ଥିବା ଯୁବକଙ୍କର ଗତକାଲି ରାତିରେ ମୃତ୍ୟୁ ହୋଇଥିଲେ ବି ତାର ମୃତଦେହକୁ ପରିବାରକୁ ମିଳୁ ନଥିବା ଲୋକମାନେ କହିଛନ୍ତି। କଟକ ବଡ଼ଡାକ୍ତରଖାନାରେ ବାପ, ଝିଅ ଓ ନାତୁଣୀ ଚିକିତ୍ସିତ ହେଉଥିବା ବେଳେ ଟଙ୍କା ପାଇଁ ପୁଅର ମତଦେହ ହାଇଟେକ ହସପିଟାଲରେ ବନ୍ଧା ପଡ଼ିଥିବା ପରିବାର ଲୋକେ କହିଛନ୍ତି। ମୃତ ଶରୀର ମୁକୁଳିବା ଦିଗରେ ପ୍ରଶାସନ ତୁରନ୍ତ ଉଚିତ ପଦକ୍ଷେପ ନେବା ସହ ସମ୍ପୃକ୍ତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଆନ୍ଦୋଳନକାରୀ ଲୋକମାନେ ଦାବି କରିଛନ୍ତି। ଏଥି ସହିତ ଦୁର୍ଘଟଣାପ୍ରବଣ ପାଗନଈ ପୋଲ ପାଶ୍ୱର୍ରେ ପ୍ରଟେକ୍ସନ ୱାଲ ନିର୍ମାଣ କରିବା ଓ ପ୍ରତିରକ୍ଷା ବିଭାଗ ବାଇପାସ ରାସ୍ତା ନିର୍ମାଣ ସ୍ଥଳରେ ପଥଚାରୀଙ୍କ ଅବଗତ ନିମନ୍ତେ ଆବଶ୍ୟକ ସିଗନାଲ ବ୍ୟବସ୍ଥା ପାଇଁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ରାସ୍ତାରୋକ ଯୋଗୁଁ ଉଭୟ ସଲ୍ଟରୋଡ଼ରେ ଯାତାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ଲକ୍ଷ୍ୟ କରାଯାଇଥିଲା। ତେବେ ଦୀର୍ଘ ୬ଘଣ୍ଟା ପରେ ସଦର ଥାନା ପୁଲିସ ଓ ଦୁଇ ପ୍ଲାଟୁନ ଫୋର୍ସ ସମେତ ବାଲେଶ୍ୱର ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲ ରାସ୍ତାରୋକ ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିିରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ସହ ଆନ୍ୟାନ୍ୟ ସମସ୍ତ ଦାବି ପୂରଣ ନେଇ ଉପ-ଜିଲାପାଳ ଶ୍ରୀ ପାଟିଲ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ସ୍ଥାନୀୟ ବାସିନ୍ଦା ରାସ୍ତାରୋକରୁ ନିବୃତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.