Home ଜିଲ୍ଲା ପରିକ୍ରମା ପ୍ରତିଶ୍ରୁତି ରେ ଅଟକିଛି ସହାୟତା, ପୁଅ ମୃତ୍ୟୁକୁ ୭ ବର୍ଷ ବିତିଲା, ସହାୟତାକୁ ଚାହିଁ ବସିଛି...

ପ୍ରତିଶ୍ରୁତି ରେ ଅଟକିଛି ସହାୟତା, ପୁଅ ମୃତ୍ୟୁକୁ ୭ ବର୍ଷ ବିତିଲା, ସହାୟତାକୁ ଚାହିଁ ବସିଛି ବୃଦ୍ଧ ବାପା

9

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ବେଳେ ସମୁଦ୍ରରେ ଗାଧୋଇବା ସମୟରେ ପୁଅର ଜୀବନ ଚାଲିଗଲା। ପୁଅର ମୃତ୍ୟୁ ପ୍ରମାଣପତ୍ର ଆଣି ସ୍ଥାନୀୟ ପ୍ରଶାସନକୁ ଦେଲେ। ଏହାମଧ୍ୟରେ ପୁଅ ମୃତ୍ୟୁକୁ ୭ବର୍ଷ ବିତିଯାଇଥିଲେ ମଧ୍ୟ ସହାୟତା ରାଶି ଏଯାଏ ମିଳିପାରିଲାନି ବୋଲି କୋହଭରା କଣ୍ଠରେ କହିଛନ୍ତି ଧାମନଗର ବ୍ଲକ ଗୋବିନ୍ଦପୁର ଗାଁର ପର୍ଶୁରାମ ନାଥ(୬୭)। ପର୍ଶୁରାମଙ୍କ କହିବା ଅନୁଯାୟୀ, ତାଙ୍କ ସାନପୁଅ ଶିବସୁନ୍ଦର (୨୧) ୭ବର୍ଷ ତଳେ କାମ କରିବାକୁ ଗୁଜରାଟ ଯାଇଥିଲେ। ସେଠାରେ ସମୁଦ୍ର ବେଳାଭୂମିରେ ସାଙ୍ଗମାନଙ୍କ ସହ ସେ ଗାଧୋଉଥିବା ବେଳେ ଭାସି ଯାଇ ପ୍ରାଣ ହରାଇଥିଲେ। ରୋଜଗାରିଆ ପୁଅକୁ ହରାଇଥିବା ବେଳେ ବାର୍ଦ୍ଧକ୍ୟ ଯୋଗୁ ସେ କାମଧନ୍ଦା କରିପାରୁ ନାହାନ୍ତି। ତଥାପି ଗୁଜୁରାଣ ମେଂଟାଇବାକୁ ଟ୍ରଲି ଟାଣୁଛନ୍ତି। ନିଜେ ଗୁଜରାଟ ଯାଇ ପୁଅର ମୃତ୍ୟୁ ପ୍ରମାଣପତ୍ର ଆଣି ବ୍ଲକ ପ୍ରସାଶନିକ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ସହାୟତା ମିଳିବାରଆଶା କ୍ଷୀଣ ହୋଇଥିଲେ ବି ସେ ଆଶା ହରାଇ ନାହାନ୍ତି। ସଂସାର ହାଟରେ ହାତ ଧରି ଚାଲୁ ଚାଲୁ ସ୍ତ୍ରୀ ମଧ୍ୟ ବାଟ କାଟି ଦେଇଛନ୍ତି। ବଡ଼ ପୁଅ ବୋହୂ ଥିଲେ ବି ନିଜ ସଂସାର ସେମାନଙ୍କୁ ବ୍ୟସ୍ତ କରିଦେଇଛି। ଏବେ ବୃଦ୍ଧ ପର୍ଶୁରାମ ପୁଅ ମୃତ୍‌୍ୟୁ ସହାୟତା ରାଶିକୁ ଶେଷ ସମ୍ବଳ ବୋଲି ମନେକରି ଚାହିଁ ବସିଛନ୍ତି । ସହାୟତା ରାଶି ମିଳିଲେ ପୁଅର ପ୍ରତିମୂର୍ତିଟିଏ ସ୍ଥାପନ କରି ଶେଷ ନିଃଶ୍ୱାସ ତ୍ୟାଗ କରିବେ ବୋଲି ଲୁହ ଛଳଛଳ ହୋଇ କହିଛନ୍ତି ପର୍ଶୁରାମ। ଜିଲାପାଳ ତାଙ୍କ ସ୍ୱପ୍ନ ସାକାର କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏ ସମ୍ପର୍କରେ ଜିଲାପାଳ ଦିଲୀପ ରାଉତରାଏ କହିଛନ୍ତି, ଖୁବ୍‌ଶୀଘ୍ର ମୃତ ଶିବସୁନ୍ଦରଙ୍କ ପରିବାରକୁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.