ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ମୁନୀ, ଯୋଗୀ, ଋଷି ମାନଙ୍କର ଦେଶ ଭାରତ ଅତୀତରେ ସମସ୍ତ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିଲେ ହେଁ ଶହଶହ ବର୍ଷର ବିଦେଶୀ ଆକ୍ରମଣ ଓ ଶାସନରେ ନିଜର ପ୍ରଗତି, ଗୌରବ ପ୍ରତିହତ ହୋଇଥିଲା । ସମୟ ବଦଳିବା ସଙ୍ଗେ ସଙ୍ଗେ ଭାରତ ନିଜର ପରାକାଷ୍ଠା ଓ ପରାକ୍ରମ ବୃଦ୍ଧି ପୂର୍ବକ ୨୦୪୭ ମସିହା ସୁଦ୍ଧା ବିକଶିତ ଦେଶ ହୋଇ ବିଶ୍ୱଗୁରୁ ହେବାର ସ୍ୱପ୍ନ ସାକାର ହେବାକୁ ଯାଉଛି ବୋଲି ଭଦ୍ରକ ପ୍ରଜ୍ଞା ପ୍ରବାହ ଦ୍ୱାରା ଆହୁତ ବୁଦ୍ଧିଜୀବୀ ସମ୍ମିଳନୀରେ ମତ ପ୍ରକାଶ ପାଇଛି । ନିମନ୍ତ୍ରିତ ମୁଖ୍ୟବକ୍ତା ଅଖିଳ ଭାରତୀୟ ସଂଯୋଜକ ଜେ. ନନ୍ଦକୁମାର ଯୋଗ ଦେଇ କହିଥିଲେ ଯେ ଭାରତର ଏକ ସ୍ୱତନ୍ତ୍ର ପରିଚୟ ବିଶ୍ୱରେ ରହିଛି । ଏହି ପରିଚୟକୁ ପୁନଃ ପ୍ରତିଷ୍ଠା କରି ସ୍ୱଧର୍ମ, ସ୍ୱରାଜ ଏବଂ ସ୍ୱଦେଶୀ ନୀତି ଅବଲମ୍ବନ କରି ପାରିଲେ ଭାରତର ପ୍ରକୃତ ବିକାଶ ହେବ । ମାତ୍ର ଚାରିଦିନ ଯୁଦ୍ଧରେ ଶତୃ ଦେଶର ଆତଙ୍କବାଦ ଗଡ଼ ଧ୍ୱସ୍ତବିଧ୍ୱସ୍ତ କରି ସ୍ୱଦେଶୀ ଜ୍ଞାନ କୌଶଳରେ ସାମରିକ ସଫଳତା ବିଶ୍ୱକୁ ଆଶ୍ଚର୍ଯ୍ୟ କରିବା ଏହାରର ବରିଷ୍ଠ ପ୍ରମାଣ । ଦୁଇଶହରୁ ଅଧିକ ଉପସ୍ଥିତି ଥିବା ବୁଦ୍ଧିଜୀବୀ, ଜନସାଧାରଣ, ଯୁବପିଢ଼ି, ସମାଜସେବୀ ସଂସ୍କୃତି ଭବନ ଭଦ୍ରକରେ ଏହି ସମ୍ମିଳନୀରେ ପ୍ରଜ୍ଞା ପ୍ରବାହ ଭଦ୍ରକରେ ଗୋବର୍ଦ୍ଧନ ସାମଲଙ୍କ ସଭାପତିତ୍ୱରେ ରାଜ୍ୟ ସଂଯୋଜକ ରବିନାରାୟଣ ପଣ୍ଡା ସାରା ଓଡ଼ିଶାରେ ଚର୍ଚ୍ଚାକେନ୍ଦ୍ର ମାଧ୍ୟମରେ ହେଉଥିବା ରାଷ୍ଟ୍ରୀୟ ସମସ୍ୟା ସମ୍ବନ୍ଧୀୟ ଆଲୋଚନାଚକ୍ର ଗୁଡ଼ିକର ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକର୍ତା ମିଲି ମହାନ୍ତି ସ୍ୱାଗତ ଏବଂ ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଳା ସଂଯୋଜକ ସଂଗ୍ରାମ କିଶୋର ମହାନ୍ତି ଭଦ୍ରକ ଜିଲ୍ଲାର କାର୍ଯ୍ୟକ୍ରମ ବିବରଣୀ ପ୍ରଦାନ କରିଥିଲେ । ନଗର ସଂଯୋଜକ ଡା. ନୀଳକଣ୍ଠ ପଣ୍ଡା, ଗିରିଧାରୀ ପାତ୍ର, ଶ୍ରୀହର୍ଷ ସ୍ୱାଇଁ, ଟି.ଭି. ରାଜଲକ୍ଷ୍ମୀ, ଶ୍ରଦ୍ଧାଞ୍ଜଳୀ ସ୍ୱଂୟସିଦ୍ଧା, ସୁରେନ୍ଦ୍ର ଦାସ, ସୂର୍ଯ୍ୟନାରାୟଣ ମହାନ୍ତି, ଶୁଭେନ୍ଦୁ ବରାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶଶିଶେଖର କରଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।
Home ଜିଲ୍ଲା ପରିକ୍ରମା ପ୍ରଜ୍ଞା ପ୍ରବାହର ବୁଦ୍ଧିଜୀବୀ ସମ୍ମିଳନୀ,ସ୍ୱଧର୍ମ, ସ୍ୱରାଜ, ସ୍ୱଦେଶୀ ଆଧାରରେ ଭାରତର ବିକାଶ ସମ୍ଭବ