ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭାରତର ଛାତ୍ର ଫେଡେରେସନ(ଏସ୍ଏଫ୍ଆଇ) ର ପୂର୍ବତନ ସର୍ବଭାରତୀୟ ସାଧାରଣ ସଂପାଦକ, ସିଆଇଟିୟୁ ର ପୂର୍ବତନ ସର୍ବଭାରତୀୟ ନେତା, ଭାରତୀୟ ଚଳଚ୍ଚିତ୍ର ଆନ୍ଦୋଳନର ଅନ୍ୟତମ ନେତା,ସିପିଆଇ(ଏମ) ର ପୂର୍ବତନ ରାଜ୍ୟସଭା ସାଂସଦ ନେପାଳଦେବ ଭଟ୍ଟାଚାର୍ଯ୍ୟ ଙ୍କ ମୃତ୍ୟୁ ରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ନେପାଳଦେବ ଭଟ୍ଟାଚାର୍ଯ୍ୟ ଙ୍କ ନେତୃତ୍ୱରେ ଭାରତର ଛାତ୍ର ସମାଜ ଅନେକ ପ୍ରଗତିଶୀଳ ଛାତ୍ର ଆନ୍ଦୋଳନ ସଂଗଠିତ କରିଥିଲା । ୧୯୮୪ ମସିହା ସାଂପ୍ରଦାୟିକ ଦଂଗା ରେ ସେ ହଜାର ହଜାର ସାଧାରଣ ଜନତାଙ୍କୁ ରକ୍ଷା କରିଥିଲେ । ଭାରତୀୟ ଚଳଚ୍ଚିତ୍ର ପ୍ରଗତିଶୀଳ ଓ ବୈଜ୍ଞାନିକ ଭିତିକ ହେବାପାଇଁ ସେ ଚଳଚ୍ଚିତ୍ର ଆନ୍ଦୋଳନରେ ସାମିଲ ହୋଇ ବହୁ ଯୁଗାନ୍ତକାରୀ ସିନେମାର ନିର୍ଦେଶକ ହୋଇପାରିଥିଲେ । ରେଳ ହକରସ ଓ ଷ୍ଟେସନ କୁଲି ମାନଙ୍କ ନେତା ଓ ପରବର୍ତୀ ଅବସ୍ଥା ରେ ପରିବହନ ଶ୍ରମିକ ମାନଙ୍କ ନେତା ଥିଲେ । ପରବର୍ତୀ ଅବସ୍ଥା ରେ ସିପିଆଇ(ଏମ) ଦଳରୁ ରାଜ୍ୟ ସଭା ସାଂସଦ ରୂପେ ନିର୍ବାଚିତ ହୋଇ ସାଧାରଣ ମେହନତି ମଣିଷ ଙ୍କ ସ୍ୱରକୁ ରାଜ୍ୟସଭାରେ ତୋଳିଧରିଥିଲେ । ୧୯୭୯ ରୁ ୧୯୮୬ ମସିହା ପର୍ଯ୍ୟନ୍ତ ଏସ୍ଏଫ୍ଆଇ ର ସର୍ବଭାରତୀୟ ସାଧାରଣ ସଂପାଦକ ଥିବା ବେଳେ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ସାର୍ବଜନୀନ ଶିକ୍ଷା ବ୍ୟବସ୍ଥାରେ ପରିଣତ କରିବା ପାଇଁ ତାଙ୍କ ସଂଘର୍ଷ ଭାରତର ଛାତ୍ର ସମାଜ ସବୁଦିନ ପାଇଁ ମନେ ରଖିବ । ତାଙ୍କ ମୃତ୍ୟୁରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇ ସିପିଆଇ(ଏମ) ଜିଲ୍ଲା କାର୍ଯ୍ୟାଳୟ ରେ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଶ୍ରଦ୍ଧାର୍ପଣ କାର୍ଯ୍ୟକ୍ରମରେ ସିପିଆଇଏମ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ଅନ୍ୟତମ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବିଷ୍ଣୁ ଦାଶ, ରାଧାନାଥ ଦାସ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ଗିରିଧାରୀ ନାଥ, କାଳନ୍ଦୀ ପାତ୍ର, ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ, ରଞ୍ଜନ ନାୟକ ଓ ମହିଳା ନେତ୍ରୀ ସୁରଜିତା ନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
Home ଜିଲ୍ଲା ପରିକ୍ରମା ପୂର୍ବତନ ସାଂସଦ ନେପାଳଦେବ ଭଟ୍ଟାଚାର୍ଯ୍ୟଙ୍କ ମୃତ୍ୟୁରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଶୋକ