Home ଜିଲ୍ଲା ପରିକ୍ରମା ପୁରିପଡା ହରିଜନସାହି ରାସ୍ତା ପାଶ୍ୱର୍ରେ ବିପଦପୂର୍ଣ୍ଣ ଖୋଲା ଗଭୀର ସାଇଫୁନ; ଢାଙ୍କୁଣି ଦାବି

ପୁରିପଡା ହରିଜନସାହି ରାସ୍ତା ପାଶ୍ୱର୍ରେ ବିପଦପୂର୍ଣ୍ଣ ଖୋଲା ଗଭୀର ସାଇଫୁନ; ଢାଙ୍କୁଣି ଦାବି

44

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ନେରଡା ପଞ୍ଚାୟତ ଅନ୍ତର୍ଗତ ପୁରିପଡା ଗ୍ରାମର ହରିଜନସାହିକୁ ଥିବା ଏକମାତ୍ର ସଂଯୋଗକାରୀ ରାସ୍ତା ପାଶ୍ୱର୍ରେ ବିପଦପୂର୍ଣ୍ଣ ସାଇଫୁନ ଉପରେ ସୁରକ୍ଷା ଢ଼ାଙ୍କୁଣି ବ୍ୟବସ୍ଥା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଶାଳଣିଆ ଶାଖା କେନାଲରୁ ଲମ୍ବିଥିବା ପୁରିପଡା ମାଇନର କେନାଲ ବନ୍ଧରେ କଚାରାସ୍ତା ହେଉଛି ଗ୍ରାମବାସୀଙ୍କର ଚଲାପଥ । ଏହି ରାସ୍ତା ମଝିରେ ରହିଛଇ ପ୍ରାୟ ବାରଫୁଟ ଗଭୀର ସାଇଫୁନ । ରାସ୍ତାର ଠିକ ପାଶ୍ୱର୍ରେ ଥିବାରୁ ସ୍କୁଲ ଆଦିକୁ ଯିବାକୁ ଥିବା ଛୁଆପିଲା, ଗାଈଗୋରୁ ଆଦି ଗୃହପାଳିତ ପଶୁମାନଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଛି । ଯେ କୌଣସି ସମୟରେ ଗଭୀର ଜଳରେ ପଡି ଜୀବନହାନୀ ଘଟିବାର ଆଶଙ୍କା ରହିଛି ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଗତ ଦୁଇ ବର୍ଷ ପୂର୍ବେ ଏହି ସାଇଫୁନକୁ ସ୍ଥାନୀୟ ପାଣିପଞ୍ଚାୟତ ଦ୍ୱାରା ବିଭାଗ ନିର୍ମାଣ କରାଇଥିଲା । ନିର୍ମାଣ ସମୟରେ ଗ୍ରାମାବାସୀମାନେ ଏହାର ପ୍ରତିବାଦ କରିବା ସହ ସାଇଫୁନ ଉପରେ ସୁରକ୍ଷା ଢାଙ୍କୁଣି ମଧ୍ୟ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ । ମାତ୍ର ପାଣିପଞ୍ଚାୟତ କିମ୍ବା ବିଭାଗ ଏଥିପ୍ରତି କର୍ଣ୍ଣପାତ କରିନଥିଲା । ଚଳିତ ବର୍ଷ ଗାଈଗୋରୁ ସାଇଫୁନରେ ପଡିଥିବା ବେଳେ ଗ୍ରାମବାସୀମାନେ ବହୁ କଷ୍ଟରେ ଉଦ୍ଧାର କରିଥିଲେ । ଏବେ ଗ୍ରାମବାସୀଙ୍କୁ ସୁରକ୍ଷିତ ଯାତାୟତ ଚିନ୍ତା ଘାରିଛି । କାରଣ ସାଇଫୁନରେ ପଡି ଉଦ୍ଧାର ପାଇଁ ଡାକପକାଇଲେ ଗ୍ରାମକୁ ଶୁଭିବା ସମ୍ଭବ ନୁହେଁ । ସବୁବେଳେ ରାସ୍ତାରେ ଗତାଗତ ଲୋକ ମିଳିବା ମଧ୍ୟ ସମ୍ଭବପର ନୁହେଁ । ନିକଟରେ ଥିବା ଏକ ୱାର୍କସପର ବିକଟାଳ ଶଦ୍ଦରେ କୌଣସି ଚିତ୍କାର ଶୁଣାଯାଇ ପାରିବ ନାହିଁ । ତେଣୁ ସାଇଫୁନରେ ପଡିଲେ ଜୀବନ ଯିବା ନିଶ୍ଚିତ । ଏହି ଦୁର୍ଦ୍ଦଶାକୁ ଅନୁଭବ କରି ସାଇଫୁନ ଉପରେ ସୁରକ୍ଷା ଜନିତ ଢାଙ୍କୁଣି ନିର୍ମାଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ସାଧାରଣତଃ ସାଇଫୁନ ଉପରେ ଢାଙ୍କୁଣି ନିର୍ମାଣ କରାଯାଇନଥାଏ । ମାତ୍ର ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରିପଡା ହରିଜନ ସାହି ସାଇଫୁନ ଉପରେ ଢାଙ୍କୁଣି ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରଣବ ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.