ad
ଜିଲ୍ଲା ପରିକ୍ରମା

ପୁଣି ଭଦ୍ରକରେ ୨ କରୋନା ପଜେଟିଭ୍ ଚିହ୍ନଟ : ଭଦ୍ରକ ସହର ସମେତ ଦୁଇ ପଂଚାୟତରେ ୪୮ ଘଣ୍ଟିଆ ସଟଡାଉନ୍ : ନିୟମ ଭଙ୍ଗ ଓ ଗୁଜବ ପ୍ରଚାର ଅଭିଯୋଗରେ ୧୫ ଗିରଫ

ଭଦ୍ରକ, ୪ା୪ (ଓଡ଼ିଆପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଦୁଇଜଣ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ଗତକାଲି ରାତି ୮ ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଭଦ୍ରକ ସହରକୁ ସଂପୂର୍ଣ୍ଣ ରୂପେ ୪୮ ଘଣ୍ଟିଆ ସଟ୍‌ଡାଉନ୍ କରାଯାଇଛି । ସହରର କଚେରୀ ବଜାର, ବନ୍ତଛକ, ପୁରୁଣାବଜାର, ରାଜଘାଟ ଛକ, ବାଇପାସ, ଚରମ୍ପା ବଜାର, ରେଲ୍‌ୱେ ଷ୍ଟେସନ ସମେତ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ସାମରାଇପୁର ଓ ଗେଲପୁର ସମେତ ଏରେଇଁ ପଂଚାୟତ ଗୁଡିକୁ ସଂପୂର୍ଣ୍ଣ ଭାବେ ସଟଡାଉନ କରାଯାଇ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ଦିନ ସାରା ପାଟ୍ରୋଲିଂ ଓ ପ୍ରଚାର ଗାଡି ମାଧ୍ୟମରେ ଏହି ୪୮ ଘଣ୍ଟିଆ ସଟଡାଉନ ସମୟରେ ସମସ୍ତ ବ୍ୟକ୍ତି ଘରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏବଂ ଯଦି କୌଣସି ବ୍ୟକ୍ତି ବାହାରକୁ ଆସନ୍ତି, ତାହେଲେ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ବିଶେଷ କରି ଗୁଜବ ସୃଷ୍ଟି କରୁଥିବା ଓ ସୋସିଆଲ ମିଡିଆରେ ଆପତ୍ତି ଜନକ ଟିପ୍ପଣୀ ଦେଉଥିବା ବ୍ୟକ୍ତି ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭଦ୍ରକ ଗସ୍ତରେ ଆସିଥିବା ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି । ଫଳରେ ଆଜି ସହରର ରାସ୍ତାଘାଟ ସଂପୂର୍ଣ୍ଣ ଶୂନଶାନ ହୋଇପଡିଥିବାବେଳେ କେବଳ କାଁ ଭାଁ ଆମ୍ବୁଲାନ୍ସ ଯାତାୟତ କରୁଥିବାର ପରିଲକ୍ଷିତ ହୋଇଛି ।

 

 

ଏହି ସଟ୍‌ଡାଉନର ସୁପରିଚାଳନା ନିମନ୍ତେ ଗତକାଲି ସନ୍ଧ୍ୟାରୁ ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ଓ ବାଲେଶ୍ୱର ଡିଏସ୍‌ପି ମନୋଜ ରାଉତ ଭଦ୍ରକରେ ପହଞ୍ôଚ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କ ସହ ବିଚାର ବିମର୍ଶ କରି ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି । ଏଥିନିମନ୍ତେ ୧୦ ପ୍ଲାଟୁନ୍ ସଶସ୍ତ୍ର ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ଆଜିର ଏହି ବନ୍ଦ କାଳରେ ଚରମ୍ପାର ଏରେଇଁ ଓ ଗେଲପୁର ଭଳି ସହରର ନିକଟବର୍ତ୍ତୀ ପଂଚାୟତକୁ ମଧ୍ୟ ସଟଡାଉନ୍ କରାଯାଇଛି । ତେବେ ଏହି ସଟଡାଉନ କାଳରେ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବା ୭ ଟି ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଆଜି ସଟଡାଉନ୍ ସମୟରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ମୂଳେ ନିୟମ ଉଲ୍ଲଂଘନ କରି ରାସ୍ତାଘାଟରେ ବିଭିନ୍ନ ଆଳ ଦେଖାଇ ବୁଲୁଥିବା ୧୪ ଜଣଙ୍କୁ ପୁଲିସ୍ ଗିରଫ କରି ଜିଲାସ୍କୁଲରେ କରାଯାଇଥିବା ୧୪ ଦିନିଆ ସରକାରୀ କ୍ୱାରେନଟାଇନ୍‌ରେ ରଖାଯାଇଛି । ଅନୁରୂପ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ମଧ୍ୟ ପୁଲିସ୍ ଜଣକୁ ଗିରଫ କରିଛି । ତେବେ ମିଳିଥିବା ସର୍ବଶେଷ ସୂଚନା ମୂଳେ ଭଦ୍ରକ ସହର ଓ ଏହାର ନିକଟବର୍ତ୍ତୀ ଦୁଇ ପଂଚାୟତ ପରେ ଭଦ୍ରକ ବ୍ଲକ୍‌କୁ ପ୍ରଶାସନ ପକ୍ଷରୁ ସଟଡାଉନ୍ କରାଯାଇଛି । ଏବଂ କର୍ତ୍ତବ୍ୟରେ ଅବହେଳା କରିଥିବା ଭଣ୍ଡାରିପୋଖରୀର ଜଣେ ପଦାଧିକାରୀଙ୍କୁ ଜିଲାପାଳ ନିଲମ୍ବନ କରିଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top