Home Top News ପାତ୍ର ଓ ଅପାତ୍ର

ପାତ୍ର ଓ ଅପାତ୍ର

100

ଦୁନିଆରେ କିଛି ଲୋକ ଦେବାକୁ ଭଲ ପାଉଥିବା ବେଳେ ଅନେକ ନେବାକୁ ଭଲ ପାଇଥାନ୍ତି। ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ ଦାତା ଦେଲା ବେଳେ କିଛି ବାଛ ବିଚାର କରିନଥାନ୍ତି, କି ଧନୀ କି ଗରିବ, କାହାର ଆବଶ୍ୟକ ଥାଉ କି ନଥାଉ। କିନ୍ତୁ କାହାକୁ ଦେବା ଉଚିତ ? ନେବା ଲୋକର ଆବଶ୍ୟକ ଅଛି କି ନାହିଁ ? କିଏ ପ୍ରକୃତ ପାତ୍ର ? ଯିଏକି ଗ୍ରହଣ କରୁଥିବା ଅର୍ଥ କିମ୍ବା ଜିନିଷର ଗୁରୁତ୍ୱକୁ ବୁଝି ତାହାର ସଦୁପଯୋଗ କରିପାରିବ। ଶାସ୍ତ୍ର ଅନୁସାରେ ଦାନ କରିବା ଶୁଭ ଅଟେ। କିନ୍ତୁ ଅପାତ୍ରରେ ଦିଆଯିବା ଦାନ ସଦା ସର୍ବଦା ହାନୀକାରକ ସାବ୍ୟସ୍ତ ହୋଇଥାଏ। ଅପାତ୍ର ଦାନ ଅର୍ଥ ଦାନୀ ଯେତେବେଳେ ସ୍ଥାନ, କାଳ, ପାତ୍ର ସବୁ ଭୁଲିଯାଇ ଦାନ ଦେଇଥାଏ। ଯେଉଁମାନେ ଅପାତ୍ରରେ ଦାନ କରିଥାନ୍ତି ଲୋକେ ତାଙ୍କ ଠାରୁ ଅର୍ଥ ନେଇ କେତେ ଅନର୍ଥମୂଳକ କାମରେ ଲଗାଇଥାନ୍ତି। ଯେଉଁମାନେ ପାତ୍ର ଓ ଅପାତ୍ର ବିଚାର କରି ଦାନ ଦିଅନ୍ତି ତାହା ହିତରେ ଲାଗିଥାଏ।

ଆଜିକାଲି ଦୁନିଆରେ ଚାକିରି ଖଣ୍ଡେ ମିଳିବା କେତେ କଷ୍ଟକର ବିଷୟ ତାହା କେବଳ ଜଣେ ଚାକିରି ଆଶାୟୀ ହିଁ ଅନୁଭବ କରିପାରିବେ। ଆମ ଅଞ୍ଚଳର ଦୀପକ ଚାକିରି ପାଇଯାଇଥାଏ, ମନରେ ବହୁତ ଆନନ୍ଦ। ଦୀପକ ସ୍ଥିର କଲା ପ୍ରଥମ ଦରମାରେ ନିଜ ସାର୍ ଓ ଅନ୍ୟ କେତେ ଜଣଙ୍କୁ କିଛି ଉପହାର ଦେବ। ଶୀତ ଦିନ ହୋଇଥିବାରୁ ୩ ଖଣ୍ଡ କମ୍ବଳ କିଣି ପ୍ରଥମେ ନିଜର ପ୍ରିୟ ଗୁରୁଙ୍କୁ ଗୋଟେ କମ୍ବଳ ଦେଇ କହିଲା ସାର୍, ଆଜି ଯଦି ମୁଁ ଭଲରେ ଅଛି କେବଳ ଆପଣଙ୍କ କୃପାରୁ, ଏଇ ଛୋଟ ଉପହାରଟି ଦୟାକରି ଗ୍ରହଣ କରନ୍ତୁ। ଗୁରୁ ଖୁସି ହୋଇ କମ୍ବଳଟିକୁ ଗ୍ରହଣ କରି ଆଶୀର୍ବାଦ ଦେଲେ। ଆଉ ଗୋଟେ କମ୍ବଳ ଗାଁ ମୁଣ୍ଡରେ ବସିଥିବା ଭିକାରିକୁ ଦେଲା। ଭିକାରି ଖୁସିରେ କହିଲା ବାବୁରେ, ତୋର ରୋଜଗାର ବଢୁଥାଉ, ମୋତେ କିଛି କିଛି ମିଳୁଥାଉ। ତା’ପରେ ଗାଁର ଜଣେ ଲୋକକୁ ଦୀପକ କହିଲା ଆଜ୍ଞା ମୁଁ ଚାକିରି ପାଇଯାଇଛି। ମୋର ପ୍ରଥମ ଦରମାରେ ଆପଣଙ୍କ ପାଇଁ ଗୋଟେ କମ୍ବଳ ଆଣିଛି। ଲୋକଟି କହିଲା ତୁ ଚାକିରି ପାଇଛୁ, ଭୋଜି ନାହିଁ କି ପାନୀୟ ନାହିଁ, କ’ଣ କମ୍ବଳ ଦେଉଛୁ ? ହଉ ଦେ ଚଲେଇଦେବା।

କିଛିଦିନ ପରେ ଦୀପକ ଗାଁକୁ ଆସିଥାଏ, ଗାଁ ମୁଣ୍ଡରେ ଥିବା ପାନ ଦୋକାନୀ ସହିତ ଦୀପକର ଦେଖା ହୋଇଗଲା। ପାନ ଦୋକାନୀ କହିଲା, ତୁମ ସାର୍ ପ୍ରତିଦିନ ଖବର କାଗଜ ପଢିବାକୁ ମୋ ଦୋକାନକୁ ଆସନ୍ତି। ସେ କହୁଥିଲେ ଆଜିକାଲି ଗୁରୁ ଶିଷ୍ୟ ଭିତରେ ସମ୍ପର୍କ ଦୂରେଇ ଯାଉଥିବା ବେଳେ ଦୀପକ ଭଳି ପିଲା ଆମକୁ ମନେ ରଖିଛନ୍ତି। ଚାକିରି ପାଇଲା ପରେ ମୋତେ କମ୍ବଳଟି ଆଣି ଦେଇଯାଇଛି। କମ୍ବଳ ମୋ ପାଇଁ ବଡ କଥା ନୁହେଁ କିନ୍ତୁ ସେ କମ୍ବଳରେ ଯେଉଁ ଭକ୍ତି ଓ ଭଲ ପାଇବା ଅଛି ସେଇଟା ବଡ଼, ଠାକୁର ତାକୁ ସବୁବେଳେ ଖୁସିରେ ରଖିଥାନ୍ତୁ। ଏପ୍ରକାର କଥା ଶୁଣି ଦୀପକ ଅତ୍ୟନ୍ତ ଖୁସି ହେଲା ଓ ତା’ପରେ ଗାଁ ମୁଣ୍ଡରେ ବସୁଥିବା ଭିକାରି ପାଖରେ ପହଞ୍ଚିଲା। ଭିକାରିକୁ କିଛି ଟଙ୍କା ଦେଇ ପଚାରିଲା ଶୀତ ପ୍ରବଳ ହେଉଛି, ମୁଁ ଦେଇଥିବା କମ୍ବଳଟି ଭଲ କାମ ଦେଉଛି ତ ? ଭିକାରି କହିଲା କମ୍ବଳଟି ନଥିଲେ ଶୀତରେ ମୋର ଅବସ୍ଥା କ’ଣ ହେଇଥାନ୍ତା ସେ କଥା ମୁଁ ଭାବୁଛି, ଭଗବାନ ତୁମକୁ କୋଟି ପରମାୟୁ ଦିଅନ୍ତୁ। ଦୀପକର ମନେ ପଡିଯାଉଥାଏ କଲେଜରେ ପଢ଼ୁଥିବା ବେଳର କଥା, ସେ କେତେ କ’ଣ ଭାବୁଥିଲା, କିଏ ପାତ୍ର, କିଏ ଅପାତ୍ର, କାହାକୁ ଦେବା ଭଲ ? ଦେବାରେ ଯେଉଁ ଆନନ୍ଦ ମିଳେ ତାହା ସେ ଦେଲା ପରେ ହିଁ ଅନୁଭବ କରିପାରୁଥିଲା। ସନ୍ଧ୍ୟା ସମୟରେ ଦୀପକ ଗାଁରେ ବୁଲୁଥାଏ, ପଛରୁ କିଏ ଜଣେ କହିଲେ, କ’ଣ ଖଣ୍ଡେ କମ୍ବଳରେ ସବୁ ଦରମା ସରିଗଲା କି ? ଦୀପକ ବୁଲିକି ଦେଖିଲା ଲୋକଟି ତାଙ୍କ ଗାଁର ଯାହାକୁ ସେ କମ୍ବଳ ଦେଇଥିଲା। ଲୋକଟି କହିଲା ଆମ ଗାଁରେ କେତେ ପିଲା ପାଠ ପଢି ବେକାରୀ ହୋଇ ବୁଲୁଛନ୍ତି, ଯାହା ହେଉ ତୁ ଚାକିରି ପାଇଗଲୁ, ବଡ଼ ଖୁସିର କଥା, ଭୋଜି ନାହିଁ କି କୌଣସି ବ୍ୟବସ୍ତା ନାହିଁ। କ’ଣ ଗୋଟେ କମ୍ବଳ ଦେଇ ଚୁପ ହୋଇଗଲୁ ? ଦୀପକ କହିଲା ଶୀତ ଯେମିତି ହେଉଛି କମ୍ବଳଟି ଭଲ କାମ ଦେଉଥିବ। ଲୋକଟି ବିରକ୍ତି ହୋଇ କହିଲା, ମୋ ଘରେ କେତେ କମ୍ବଳ ଅଛି। ତୁ ଦେଇଥିବା କମ୍ବଳକୁ ଦୋକାନରେ ବିକି ସେହି ଟଙ୍କାରେ ମଦ ପିଇଦେଇଛି। ଦୀପକ ଆଶ୍ଚର୍ଯ୍ୟ ହୋଇ ଭାବୁଥାଏ, ଏବେ ଜାଣିଲି କିଏ ପାତ୍ର ଆଉ କିଏ ଅପାତ୍ର।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.