Home ଆମ ସଂସ୍କୃତି, କଳା ଓ ଐତିହ୍ୟ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଅପେକ୍ଷାରେ ‘ଭଣ୍ଡାରିପୋଖରୀ ଥାନାପୋଡି’ କ୍ରାନ୍ତୀ ମଇଦାନ

ପର୍ଯ୍ୟଟନସ୍ଥଳୀ ମାନ୍ୟତା ଅପେକ୍ଷାରେ ‘ଭଣ୍ଡାରିପୋଖରୀ ଥାନାପୋଡି’ କ୍ରାନ୍ତୀ ମଇଦାନ

74

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦେଶମାତୃକାକୁ ସ୍ୱାଧିନ କରିବାକୁ ପ୍ରତିଟି ଭାରତୀୟଙ୍କ ପ୍ର୍ରାଣ ଉଦ୍‌ବେଳିତ ହୋଇଥିଲା। ସେହି ଭାବପ୍ରବଣତାରୁ ବାଦ ପଡିନଥିଲା ଭଣ୍ଡାରିପୋଖରୀ ଅଞ୍ଚଳ। ଶେଷ ସ୍ୱାଧିନତା ସଂଗ୍ରାମ ଭାବେ ପରିଚିତ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ମହାତ୍ସାଗାନ୍ଧୀ ଦେଇଥାନ୍ତି ଭାରତଛାଡ ଆନ୍ଦୋଳନର ଡାକରା। କର ବା ମର ଧ୍ୱନୀରେ କମ୍ପୁଥାଏ ଗଗନ ପବନ। ଦାବାନଳ ପରି କୋଟି ପ୍ରାଣରେ ଏହି ଡାକରା ଦେଶପ୍ରେମର ବହ୍ନି ଜାଳିଦେଇଥାଏ। ଗାନ୍ଧିଜୀଙ୍କ ବାଣୀ ପ୍ରସାରିତ ହୋଇଥାଏ ଦେଶର କୋଣ ଅନୁକୋଣକୁ। ଇଂରେଜ ମାନଙ୍କୁ ହଟାଇବା ପାଇଁ ସବୁଠି ଚାଲିଥାଏ ସଭା ସମିତି ଓ ଗୁପ୍ତ ଆଲୋଚନା। ଭଣ୍ଡାରିପୋଖରୀ ଅଞ୍ଚଳ ସେହି କାର୍ଯ୍ୟକ୍ରମରୁ ବାଦ୍ ପଡିନଥିଲା। ଯାହାର ପ୍ରତ୍ୟକ୍ଷ ଦର୍ଶୀ ବିବରଣୀ ଲିପିବଦ୍ଧ ହୋଇ ରହିଛି ସରକାରୀ ନଥିପତ୍ର ଭଣ୍ଡାରିପୋଖରୀ ଥାନାର ‘କ୍ରାଇମ୍ ଡାଇରୀ’ ଭାଗ-୩ ର ପୃଷ୍ଠାରେ। ଏହି ନଥିର୨୧୮ ରୁ ୨୨୫ ମଧ୍ୟରେ ତତ୍କାଳୀନ ଜମାଦାରଙ୍କ ଦ୍ୱାରା ତା ୧୯-୦୭-୧୯୪୪ ରେ ଲିପିବଦ୍ଧ ତଥ୍ୟରେ ପୁଲିସ ଦୃଷ୍ଟିରେ ଘଟଣାକ୍ରମ ବର୍ଣ୍ଣିତ ହୋଇଛି। ଭାରତୀୟ ସ୍ୱାଧିନତା ସଂଗ୍ରାମର ଜୀବନ୍ତ ସାକ୍ଷୀ ପାଲଟିଥିବା ଏହି ଐତିହାସିକ ନଥି ଅନୁଯାୟୀ ଧାମନଗର ଥାନା ଅନ୍ତର୍ଗତ କାଶିମପୁରର ସଂଗ୍ରାମୀ ବୈଷ୍ଣବ ନାୟକ ଭଣ୍ଡାରିପୋଖରୀ ଥାନାର ଚନ୍ଦ୍ରଭାନୁପୁର ଗ୍ରାମର ଭାବ ପଣ୍ଡାଙ୍କ ଘରେ ଭଡ଼ାରେ ରହି ବାହାଦଲପୁର, ମୋବାରକପୁର, ସରସଦା, ତୋରତ, ଫତେପୁର, ମନୋହରପୁର, ରାଜେନ୍ଦ୍ରପୁର, ଦକ୍ଷିଣବାଡ, ପାହିମହୁରା ଆଦି ଗ୍ରାମର ଲୋକମାନଙ୍କୁ ସୂତାକଟା ପ୍ରଣାଳୀ ଶିକ୍ଷାଦେବା ସହ କଂଗ୍ରେସ ପାଇଁ କାର୍ଯ୍ୟ କରିବାକୁ ଜନସାଧାରଣଙ୍କ ମଧ୍ୟରେ ସଫଳତାର ସହ ପ୍ରଚାର କରୁଥିଲେ। ଏହି ସମୟରେ ସ୍ଥାନୀୟ ପ୍ରଭାବଶାଳୀ କଂଗ୍ରେସ ବିପ୍ଳବୀ ଘନଶ୍ୟାମ ସାହୁ, ସ୍ଥାନୀୟ ଶିକ୍ଷକ ଓ ପୋଷ୍ଟମାଷ୍ଟର ଆଦି ଜନସାଧାରଣଙ୍କୁ ଉତ୍ତେଜିତ କରିବା ସହ ଭଣ୍ଡାରିପୋଖରୀ ଥାନାକୁ ଅକ୍ତିଆରକୁ ନେବାକୁ ପ୍ରବର୍ତ୍ତାଇଥିଲେ। ଅନ୍ୟ ଏକ ଘଟଣାକ୍ରମରେ ଧାମନଗରର ସଂଗ୍ରାମୀ ମୁରଲୀଧର ପଣ୍ଡା ସେହି ଅଞ୍ଚଳରେ ଆଇନ ଅମାନ୍ୟ ପାଇଁ ଲୋକଙ୍କୁ ପ୍ରବର୍ତ୍ତାଉଥିଲେ। ଉଭୟ ଘଟଣାବଳୀରେ ଉଦ୍‌ବୁଦ୍ଧ ହୋଇ ଚନ୍ଦ୍ରଭାନୁପୁରର ଅର୍ଜ୍ଜୁନ ଚନ୍ଦ, ଉତ୍ତରବାଡ଼ର ଅତଙ୍ଗ ସାହୁ, କୁଶ ପଣ୍ଡା, ଫତେପୁରର ଶ୍ରୀକୃଷ୍ଣ ମହାପାତ୍ର, ରହଣିଆର ଧନେଶ୍ୱର ଦାସ, ସରସଦାର ଜଗନ୍ନାଥ ନାୟକ ଚରମ ପଦକ୍ଷେପ ନେବାପାଇଁ ଗୁପ୍ତରେ ଲଗାତର ସଭାମାନ କରୁଥିଲେ। ଘଟଣାର ୩ ଦିନ ପୂର୍ବରୁ ବିପ୍ଳବୀମାନେ(ଥାନା ବିବରଣୀରେ ଗୁଣ୍ଡାମାନେ) ଗୁପ୍ତରେ କହରାପୋଖରୀ, ବାହାଦୁଲନଗର ଓ ଚେକାପଥରରେ କ୍ରମାଗତ ସଭା କରି ନିଜ ନେତାଙ୍କ ଆହ୍ୱାନକୁ କାର୍ଯ୍ୟରେ ପରିଣତ କରିବାକୁ ବଜ୍ର ଶପଥ ନେଇଥିଲେ। ଏହି ଲକ୍ଷ୍ୟରେ ପ୍ରତ୍ୟେକ ନିଜ ଦେହରେ କଣ୍ଟା ଫୋଡ଼ି ରକ୍ତ ଉଖାରି ରକ୍ତ ଶପଥ ନେବାପରେ ସମସ୍ତଙ୍କ ରକ୍ତକୁ ଏକାଠି କରି ମୁଣ୍ଡରେ ରକ୍ତ ଚନ୍ଦନ ନେଇଥିଲେ। ଘଟଣାର ପୂର୍ବଦିନ ରାତ୍ରିରେ ବିପ୍ଲବୀମାନେ ଘନଶ୍ୟାମ ସାହୁଙ୍କ ଘରେ ଗୁପ୍ତସଭା କରିଥିଲେ ଯାହାକି ପୋଲିସକୁ ଅଜଣାଥିଲା। ତା ୧୭-୦୮-୧୯୪୨ ଘଟଣାଦିନ କହରାପୋଖରୀ ଠାରେ ପୂର୍ବାହ୍ନରେ ପ୍ରାୟ ୨୫୦୦ ଲୋକ ଏକ ସଭା କରୁଥିବା ଖବରପାଇ ଥାନାର ସହକାରୀ ସବ୍‌-ଇନ୍ସପେକ୍ଟର ଏନ୍‌-ପି-ମହାପାତ୍ର ଓ କନେଷ୍ଟବଳ ବସନ୍ତ ନାୟକ ସେଠାକୁ ଯିବାରୁ ସଭା ବନ୍ଦ ହୋଇଯାଇଥିଲା। ପୋଲିସ କିଛି ଜାଣିନପାରି ସେଠାରୁ ଫେରିଲା ବେଳକୁ ବିପ୍ଳବୀମାନେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ ଏକତ୍ରିତ ହୋଇ ରହିଥିଲେ। ଖବରପାଇ ଥାନାଧିକାରୀ ଏମ୍‌-ଏନ୍‌- ଦାସ ସେଠାରେ ପହଞ୍ଚିଲାବେଳକୁ ବିପ୍ଳବୀମାନେ ତାଙ୍କୁ ଦେଖି ଜଣକପରେ ଜଣେ ତାଙ୍କୁ ଚକମା ଦେଖାଇ ବିପରୀତ ଦିଗରେ ଓଟି ରୋଡ଼ କେନାଲ ଦେଇ କୌଶଳକ୍ରମେ ଥାନାକୁ ପ୍ରବେଶ କରିଥିଲେ। ବିପ୍ଳବୀମାନେ ଥାନାରେ ଏକତ୍ରିତ ହେବାପରେ ସହକାରୀ ସବ୍‌-ଇନ୍ସପେକ୍ଟର ସେମାନଙ୍କୁ ଥାନାକୁ ଆସିବାର କାରଣ ପଚାରିବାରୁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ ଓ ଥାନାବାବୁ ସେଠାରୁ ପାଳଦା ଗ୍ରାମକୁ ଦୌଡ଼ି ପଳାଇଥିଲେ। ସେଣ୍ଟ୍ରିଭାବେ କାର୍ଯ୍ୟରତ ସ୍ୱତନ୍ତ୍ର କନେଷ୍ଟବଳ ବି- ସାହୁ ଥାନାଦ୍ୱାରରେ ଚାବି ପକାଇବାକୁ ଉଦ୍ୟମକରି ସଫଳ ହୋଇପାରିନଥିଲେ। କନେଷ୍ଟବଳ ବି- ସାହୁ ଓ ମୀର୍ଜା ଆକ୍ରମ ବେଗ୍‌ଙ୍କ ଉପରେ ମଧ୍ୟ ଆକ୍ରମଣ ହେବାରୁ ସେମାନେ ଦୌଡ଼ିଯାଇ ଥାନା ପରିସରର ପାଇଖାନାରେ ଲୁଚିବାକୁ ଉଦ୍ୟମ କରିଥିଲେ। ବିପ୍ଳବୀମାନେ ଏହି ସୁଯୋଗରେ ଚାଳଘରେ ଚାଲୁଥିବା ଥାନାର ଚତୁର୍ଦ୍ଦିଗରୁ ଅଗ୍ନି ସଂଯୋଗ କରି ପାଇଖାନାରୁ ଉଭୟ କନେଷ୍ଟବଳଙ୍କୁ ଧରି ଅଗ୍ନିକୁ ନିକ୍ଷେପ କରିବାକୁ ଉଦ୍ୟମ କରିଥିଲେ। ଫତେପୁରର ଶ୍ୟାମ ମହାପାତ୍ର ବିପ୍ଳବୀମାନଙ୍କୁ ଏଥିରୁ ନିବୃତ୍ତ କରିଥିଲେ। କନେଷ୍ଟବଳ ପରମାନନ୍ଦ କାନୁନଗୋ ଦୌଡ଼ି ପଳାଇଯାଇ ଭଦ୍ରକରେ ସର୍କଲ ଇନ୍ସପେକ୍ଟରଙ୍କୁ ଏହି ଖବର ଦେଇଥିଲେ। ବିପ୍ଳବୀମାନେ ନିଆଁ ଲଗାଇବାପରେ ସରକାରୀ କ୍ୱାର୍ଟରରେ ଥିବା କର୍ମଚାରୀଙ୍କ ପରିବାଗବର୍ଗଙ୍କୁ ମାରଧର କରିବାରୁ ପ୍ରସ୍ତାବିତ ମ-ଇ- ବିଦ୍ୟାଳୟର ପ୍ରଧାନଶିକ୍ଷକ ବାମଦେବ ଏଥରୁ ନିବୃତ୍ତ କରାଇଥିଲେ। ବିପ୍ଳବୀମାନେ ଥାନାରୁ ଫେରିଲାବେଳେ ରାସ୍ତାରେ ଥାନାଧିକାରୀଙ୍କୁ ଦେଖି ତାଙ୍କୁ ଆକ୍ରମଣ କରିବା ସହ ଜୋରଜବରଦସ୍ତ ତାଙ୍କ ଖାକି ପୋଷାକ ଓହ୍ଲାଇଦେଇ ଖଦଡ଼ ପିନ୍ଧାଇଥିଲେ। ପରିସ୍ଥିତି ଦେଖି ସେ ‘ମହାତ୍ମାଗାନ୍ଧୀ କି ଜୟ’ ଧ୍ୱନି ମଧ୍ୟ ଦେଇଥିଲେ। ପରେ ସର୍କଲ ଇନ୍ସପେକ୍ଟର ବାଲେଶ୍ୱର ଏସ୍‌-ପି-ଙ୍କୁ ଖବରଦେଇ ଆସି ପହଞ୍ଚି ଥାନା କେସ୍ ନଂ- ୧୪/୪୨ରେ ଦଫା ୧୪୭ ଓ ୪୩୬ରେ ମାମଲା ରୁଜୁ କରିବାସହ ବହୁ ସଂଗ୍ରାମୀଙ୍କୁ ଜେଲ ପଠାଇଦେଇଥିଲେ। ବିବରଣୀରୁ ଜଣାଯାଏ ଯେ ୩୭ ଜଣଙ୍କୁ ଏହି ଘଟଣାରେ ସଜାହେବା ସହ ୨୦ ଜଣ ପ୍ରମାଣ ଅଭାବରୁ ଖଲାସ ହୋଇଥିଲେ। ଏହାସହ ଦକ୍ଷିଣବାଡ଼, ଉତ୍ତରବାଡ଼, ତୁରତ, ଚନ୍ଦ୍ରଭାନୁପୁର ଆଦି ଗ୍ରାମର ଲୋକମାନଙ୍କ ଠାରୁ ୬୦ ହଜାର ଟଙ୍କା (ପୁଟୁଣି କର)ଜରିମାନା ଆଦାୟ କରାଯାଇ ଥାନାକୁ ନୂତନ ଭାବେ ନିର୍ମାଣ କରାଯାଇଥିଲା। ଆଉ ଭାରତର ସ୍ୱାଧିନତା ସଂଗ୍ରାମର ଇତିହାସରେ ଭଣ୍ଡାରିପୋଖରୀର ‘ଥାନାପୋଡି’ ଏକ ଅଭୁଲା ଫର୍ଦ୍ଦ ହୋଇ ସବୁଦିନ ପାଇଁ ରହିଗଲା। କହରାପୋଖରୀରେ ପାଳିତ ହେଉଥିବା ସୃତି ଦିବସ ସହ ଥାନା ପରିସରରେ ନିର୍ମାଣାଧିନ ସୃତିସ୍ତମ୍ଭ ଯୋଗୁଁ ଥାନା ପରିସରରେ ମଧ୍ୟ ପାଳିତ ହେଉଛି। ହେଲେ ବାକି ରହିଯାଇଛି ଥାନାପୋଡିର ଏନ୍ତୁଡିଶାଳ ‘କହରାପୋଖରୀ କ୍ରାନ୍ତୀ ମଇଦାନ’କୁ ପର୍ଯ୍ୟଟନସ୍ଥଳୀର ମାନତ୍ୟ ପ୍ରଦାନ। ଭଣ୍ଡାରିପୋଖରୀ ଜନସାଧାରଣ ଏହି ଆବଶ୍ୟକପତାକୁ ଅପେକ୍ଷା କରି ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.