Home Top News ପବିତ୍ର ଗୁରୁଦିବସ ଉପଲକ୍ଷେ : ଗୁରୁକୃପା

ପବିତ୍ର ଗୁରୁଦିବସ ଉପଲକ୍ଷେ : ଗୁରୁକୃପା

38

ଗୁରୁକୃପା ବିନା ଜୀବନଯାତ୍ରା ଦିଗହରା ହୋଇଯାଏ। ଗୁରୁଙ୍କର ଆଦର୍ଶକୁ ମନେପକାଇବା ଓ ତାହାକୁ ନିଜର ଜୀବନଚର୍ଯ୍ୟାରେ ବିନିଯୋଗ କରିବା ଦ୍ୱାରା ଜଣେ ସଫଳ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାନ୍ତି। ଯଦି ଜଣେ ଗୁରୁଙ୍କ ଦୃଷ୍ଟିରେ ରହିଲେ କିମ୍ବା ଗୁରୁଙ୍କ ତତ୍ୱାବଧାନରେ ରହିଥାନ୍ତି ତେବେ ତାଙ୍କର ଜୀବନଯାତ୍ରା ଉଚିତ ମାର୍ଗରେ ପରିଚାଳିତ ହୋଇଥାଏ। ଶ୍ରଦ୍ଧା ଓ ଭକ୍ତି ଦ୍ୱାରା ଜ୍ଞାନ ପ୍ରାପ୍ତି ହୁଏ। ଭକ୍ତିର ପ୍ରଥମ ସୋପାନ ହେଉଛି ଶ୍ରବଣ। ଗୁରୁଙ୍କର ପ୍ରତ୍ୟେକ ବାକ୍ୟକୁ ଶୁଣିବାରେ ଧ୍ୟାନ ଦେବା ଉଚିତ। ତାଙ୍କର ପ୍ରତ୍ୟେକଟି କଥାକୁ ଗୁରୁତ୍ୱ ଦେବା ଉଚିତ। ଜ୍ଞାନ ଆହରଣ ପାଇଁ ଓ ନିଜକୁ ଉଚିତ ମାର୍ଗରେ ପରିଚାଳିତ କରିବା ପାଇଁ ଗୁରୁଙ୍କ ନିକଟତର ହେଵା ଭଲ। ଗୁରୁଙ୍କ ପ୍ରତି ଭକ୍ତି ରହିବା ଦରକାର। ଗୁରୁଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ହିଁ ଶିଷ୍ୟମାନଙ୍କର ଜୀବନର ପାଥେୟ। ଯାହାଙ୍କ ପ୍ରତି ଗୁରୁଙ୍କ ଆଶୀର୍ବାଦ ଅଛି ସେ କେବେ ଜୀବନ ପଥରେ ହାରେନା।

ଆମ ସଂସ୍କୃତିରେ ଗୁରୁଶିଷ୍ୟ ପରମ୍ପରା ବହୁ ପ୍ରାଚୀନ ଏବଂ ମହାନ ଅଟେ। ଗୁରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକ ପ୍ରଦାନ କରିଥାନ୍ତି। ଅବତାର କାଳୀନ ଲୀଳା ସମୟରେ ଭଗବାନ ମଧ୍ୟ ଗୁରୁ ଗ୍ରହଣ କରିଛନ୍ତି। ଜୀବନ ପଥକୁ ଠିକ୍ ଭାବେ ପରିଚାଳନା କରିବା ପାଇଁ ଗୁରୁଶିଷ୍ୟ ସମ୍ପର୍କ ଅତି ଗୁରୁତ୍ୱପୂର୍ଣ୍ଣ। ଭଗବାନ ଶ୍ରୀକୃଷ୍ଣଙ୍କ ଗୁରୁଥିଲେ ମହର୍ଷି ସନ୍ଦିପନି, ଗୁରୁ ପର୍ଶୁରାମଙ୍କ ଶିଷ୍ୟ ଥିଲେ ଭୀଷ୍ମ ଓ ଗୁରୁ ଦ୍ରୋଣଙ୍କ ଶିଷ୍ୟ ଥିଲେ ଏକଲବ୍ୟ। ଆଚାର୍ଯ୍ୟ ଚାଣକ୍ୟଙ୍କ ଦିଗଦର୍ଶନ ଯୋଗୁ ସଫଳ ହୋଇଛନ୍ତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଶ୍ରୀ ରାମକୃଷ୍ଣ ପରମହଂସ ଦେବଙ୍କ ଶିଷ୍ୟ ଥିଲେ ସ୍ୱାମୀ ବିବେକାନନ୍ଦ, ସୃଷ୍ଟି ଗୁରୁ ସୌମ୍ୟ ଋଷିଙ୍କ ଶିଷ୍ୟ ଅରୁଣି ଓ ଉପମନ୍ୟୁ। ସମର୍ଥ ଗୁରୁ ରାମଦାସ ସୃଷ୍ଟି କରିଛନ୍ତି ଶିବାଜୀଙ୍କୁ। ଗୁରୁ ସକ୍ରେଟିସଙ୍କ ଶିଷ୍ୟ ଥିଲେ ପ୍ଲାଟୋ। ଗୁରୁ ଅରିଷ୍ଟେଟଲଙ୍କ କୃପାରୁ ଆଲେକଜାଣ୍ଡର ବିଶ୍ୱବିଜୟୀ ହୋଇଥିଲେ। ଗୁରୁ ସନ୍ଥ ରାମାନନ୍ଦଙ୍କ ଶିଷ୍ୟ କବୀର ଓ ଗୁରୁ ଶ୍ରୀକୃଷ୍ଣଙ୍କ ଶିଷ୍ୟ ଥିଲେ ଅର୍ଜୁନ। ଏହି ଗୁରୁମାନଙ୍କୁ ମାନବ ସମାଜ ଯୁଗେ ଯୁଗେ ଆଦର୍ଶ ଭାବେ ଗ୍ରହଣକରି ଆସିଛି।

ପିତାମାତା ହେଉଛନ୍ତି ପ୍ରତ୍ୟେକଙ୍କ ଜୀବନର ପ୍ରଥମ ଗୁରୁ। ଶିଶୁଟି ଜନ୍ମ ହେବା ପରେ ତାକୁ ତା ମାଆ କୋଳେଇ ନେଇଥାଏ। ପିଲାଟି କେମିତି ଖାଇବ, କେମିତି ଚାଲିବ, କେମିତି କଥା କହିବ ଓ ସମାଜରେ ବଞ୍ଚିବାର କଳା ଶିଖେଇଥାଆନ୍ତି ପିତାମାତା। ସଂଯମ, ଅଚରଣ, ଉଚ୍ଚାରଣ, ସଂସ୍କାରର ପ୍ରତିଫଳନ ଘଟେ ଶିଶୁ ଉପରେ। ଜୀବନଟା ହେଉଛି ଶିକ୍ଷାର ଏକ ପ୍ରୟୋଗଶାଳା। ପ୍ରତ୍ୟେକ କ୍ଷେତ୍ରରେ ଆମକୁ କାହାଠାରୁ କିଛି ନା କିଛି ଶିକ୍ଷା କରିବାକୁ ପଡ଼ିଥାଏ। ଜୀବନରେ ଆମେ ଯେତେ ଆଗକୁ ଆଗକୁ ଯିବା ପ୍ରତ୍ୟେକ କ୍ଷେତ୍ରରେ ଆମକୁ ଅନେକ ଗୁରୁଙ୍କ ଠାରୁ ବ‌ହୁତ କିଛି ଶିକ୍ଷା କରିବାକୁ ପଡ଼ିଥାଏ। ପିତାମାତାଙ୍କ ପରେ ଯିଏ ଦୁନିଆ ସହ ପିଲାଟିର ପରିଚୟ କରାନ୍ତି ସେ ହେଉଛନ୍ତି ଶିକ୍ଷା ଗୁରୁ। ପିଲାର ସମ୍ପୂର୍ଣ୍ଣ ଭବିଷ୍ୟତ ନ୍ୟସ୍ତ ଥାଏ ଶିକ୍ଷକଙ୍କ ଉପରେ। ଜାତିର ପିତା ମହାତ୍ମା ଗାନ୍ଧୀ କହୁଥିଲେ ଶିକ୍ଷକ ହିଁ ଛାତ୍ରର ମୂଳପୁସ୍ତକ।

ଦାର୍ଶନିକ ମୈଗୀ ଗୈଲେଘର୍‌ଙ୍କ ମତରେ ସବୁଠୁ କଠିନ କାର୍ଯ୍ୟ ମଧ୍ୟରେ ଗୋଟିଏ ବଡ କାର୍ଯ୍ୟ ହେଉଛି ଜଣେ ଭଲ ଶିକ୍ଷକ ହେବା। ଜଣେ ଭଲ ଶିକ୍ଷକ ପାଖରେ ଅନେକ ଭଲ ଗୁଣ ଥାଏ। ଆଦର୍ଶ, ନୀତିନିଷ୍ଠ, ସଚ୍ଚୋଟ, କର୍ତ୍ତବ୍ୟପରାୟଣ, ସମୟାନୁବର୍ତ୍ତୀ, ସମଦର୍ଶୀ ବ୍ୟକ୍ତି ହିଁ ଭଲ ଶିକ୍ଷକ ହୋଇପାରିବ। ଯିଏକି ଶିକ୍ଷକତାକୁ ବୃତ୍ତି ନୁହେଁ ବରଂ ବ୍ରତ ବୋଲି ମନେକରନ୍ତି। ଶିକ୍ଷା ପ୍ରତି ସମର୍ପିତ ଭାବନା ହିଁ ତାଙ୍କୁ ମହାନ କରି ଗଢିତୋଳିଥାଏ। ଜଣେ ଭଲ ଶିକ୍ଷକ, ଛାତ୍ରଛାତ୍ରୀଙ୍କର ଉର୍ନ୍ନତି ପାଇଁ ଚେଷ୍ଟା କରିଥାନ୍ତି ଓ କେବେ ଶିକ୍ଷାଦାନରେ ଅବହେଳା କରନ୍ତିନି। ସେହି ଭଳି ଶିକ୍ଷକମାନେ ହେଉଛନ୍ତି ମଣିଷ ତିଆରି କାରଖାନାର କର୍ଣ୍ଣଧାର। ଜଣେ ଛାତ୍ରର ଭବିଶ୍ୟତ ଗଢିବାରେ ଶିକ୍ଷକମାନେ ବିଶ୍ୱକର୍ମାର ଭୂମିକା ଗ୍ରହଣ କରିଥାନ୍ତି। ବିଶ୍ୱକର୍ମାଙ୍କ ବିନା ଯେପରି ସୁନ୍ଦର କୋଣାର୍କ ନିର୍ମାଣ ଅସମ୍ଭବ। ସେହିପରି ଜଣେ ଭଲ ଶିକ୍ଷକ ବିନା ଜଣେ ସଫଳ ଛାତ୍ର ସୃଷ୍ଟି ହେବା ଅସମ୍ଭବ। ଡ଼ଃ ଏ.ପି.ଜେ. ଅବଦୁଲ କାଲାମ କହୁଥିଲେ, ସମାଜରୁ ଦୁର୍ନୀତି ହଟେଇବା କେବଳ ତିନି ଜଣଙ୍କ ଦ୍ୱାରା ସମ୍ଭବ ହେବ। ସେମାନେ ହେଲେ ପିତା, ମାତା ଓ ଶିକ୍ଷକ। ଶିଶୁଟିକୁ ଉଚିତ ମାର୍ଗରେ ଗଢିଲେ ସେ ପରବର୍ତ୍ତୀ ସମୟରେ ଭଲ ମଣିଷଟିଏ ହବ ଓ ଭଲ ପରିବାରଟି ଗଢ଼ିପାରିବ। ଭଲ ପରିବାରଟିଏ ଗଢ଼ିପାରିଲେ ଏକ ସୁସ୍ଥ ସମାଜ ଓ ସମୃଦ୍ଧଶାଳୀ ରାଷ୍ଟ୍ର ଗଠନ ସମ୍ଭବ ହେଇପାରିବ।

୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ। ଏକାଧାରରେ ସେ ଜଣେ ସୁଗୁରୁ, ଛାତ୍ରବତ୍ସଳ ଶିକ୍ଷକ, ଶିକ୍ଷାବିତ୍, ଦାର୍ଶନିକ ଓ କୁଟନୀତିଜ୍ଞ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କର ଜନ୍ମଦିବସ ସେପ୍ଟେମ୍ବର ୫ କୁ ୧୯୬୨ ମସିହାରୁ ଗୁରୁଦିବସ ଭାବେ ପାଳିତ କରାଯାଉଛି। ସମାଜର ଏକ ଗୁରୁତ୍ୱପୂର୍ଣ ସ୍ଥାନ ଗୁରୁ ମାନଙ୍କର। ଯେତେବେଳେ ଗୁରୁଙ୍କ କୃପା ବରଷେ, ଜୀବନରେ ସଫଳତା ମିଳେ। ତାଙ୍କୁ ସମ୍ମାନ ପ୍ରଦାନ କରିବା ହେଉଛି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ପ୍ରଧାନ କର୍ତ୍ତବ୍ୟ। ଗୁରୁ ତାଙ୍କର ମହନୀୟ ବ୍ୟକ୍ତିତ୍ୱକୁ ବଜାୟ ରଖିବା ଦରକାର ଏବଂ ଶିଷ୍ୟମାନେ ମଧ୍ୟ ଗୁରୁଙ୍କ ପ୍ରତି ଯଥେଷ୍ଟ ସମ୍ମାନବୋଧ ରଖିବା ଉଚିତ। ଗୁରୁଙ୍କ ସମ୍ମାନାର୍ଥେ ଏହି ଗୁରୁ ଦିବସ ପାଳନ ଆମ ସମାଜରେ ଗୁରୁ-ଶିଷ୍ୟର ସମ୍ପର୍କକୁ ଆହୁରି ନିବିଡ଼ କରୁଛି।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.