Home ଉପ ନିର୍ବାଚନ ପଦ୍ମ ଧରିଲେ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଗୋଷ୍ଠୀ କନ୍ଦଳରେ ମୋହରା ନହେବାକୁ ବିଜେଡି...

ପଦ୍ମ ଧରିଲେ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଗୋଷ୍ଠୀ କନ୍ଦଳରେ ମୋହରା ନହେବାକୁ ବିଜେଡି ଛାଡ଼ିଲେ

88

ବାଲେଶ୍ୱର, ୭ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଆସନ୍ନ ଉପ-ନିର୍ବାଚନ ସମୟରେ ପ୍ରମୁଖ ରାଜନୈତିକ ଦଳର ନେତା ଓ ଛାମୁଆଙ୍କ ଦଳଡିଆଁ ତୀବ୍ର ହେବାରେ ଲାଗିଛି। ଗୋଟିଏ ଦିନରେ ଆଜି ବିଜେଡି ଛକା ମାରିଥିବା ବେଳେ ବିଜେପି ମଧ୍ୟ ଚଉକା ଗୋଟାଇବାରେ ସକ୍ଷମ ହୋଇଥିବା ଲକ୍ଷ୍ୟ କରାଯାଇଛି। ବିଜେଡିର ଅନ୍ୟତମ ଟାଣୁଆ ନେତା ତଥା ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନଙ୍କର ବିଜେପିରେ ଯୋଗଦାନ ‘କାହା ପାଇଁ ପୁଷମାସ ତ କାହା ପାଇଁ ସର୍ବନାସ’ ଭଳି ସ୍ଥିତି ସୃଷ୍ଟି କରିଛି। ଶ୍ରୀ ପ୍ରଧାନ ବିଜେଡି ପରିତ୍ୟାଗ ସହ ବିଧିବଦ୍ଧ ଭାବେ ଆଜି ବିଜେପିରେ ଯୋଗଦାନ କରଛନ୍ତି। ବିଜେପି ପକ୍ଷରୁ ସହରର ରୟାଲ କୁଇନ୍ କଲ୍ୟାଣ ମଣ୍ଡପରେ ଆୟୋଜିତ ମିଶ୍ରଣ ପର୍ବରେ ଦଳର ରାଷ୍ଟ୍ରୀୟ ସମ୍ପାଦକ ତଥା ମୟୁରଭଂଜ ସାଂସଦ ବିଶେଶ୍ୱର ଟୁଡୁ ସଦର ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ। ଶ୍ରୀ ପ୍ରଧାନଙ୍କ ଦଳକୁ ଫେରିବା ଆଗାମୀ ନିର୍ବାଚନକୁ ବେଶ୍ ପ୍ରଭାବିତ କରିବ ବୋଲି ଶ୍ରୀ ଟୁଡୁ ଆଶା ପ୍ରକାଶ କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଜିଲ୍ଲା ପ୍ରଭାରୀ ଗୋଲାକ ମହାପାତ୍ର ପ୍ରମୁଖ ଭିଡିଓ କନ୍‌ଫେରେନସିଂ ମାଧ୍ୟମରେ ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ କରିବା ସହିତ ତାଙ୍କର ଘର ବାହୁଡ଼ା ଚଳିତ ଉପ-ନିର୍ବାଚନରେ ଦଳୀୟ ବିଜୟକୁ ନିଶ୍ଚିତ କରିବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶରେ ଆନୁପ୍ରାଣୀତ ସହ ବିଜେଡିର ଗୋଷ୍ଠୀ କନ୍ଦଳରେ ଅଣନିଶ୍ୱାସୀ ହୋଇ ସେ ବିଜେପିକୁ ଫେରିଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ସଦର ନିର୍ବାଚନମଣ୍ଡଳୀର ବହୁ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ଼ସଭ୍ୟମାନେ ମଧ୍ୟ ପିଜେପିରେ ଯୋଗଦେବେ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଶ୍ରୀ ପ୍ରଧାନଙ୍କର ବିଜେପିରେ ଯୋଗଦାନକୁ ନେଇ ସଦର ନିର୍ବାଚନମଣ୍ଡଳୀର ସଂଯୋଜକ ତଥା ଆସନ୍ତା ଉପ-ନିର୍ବାଚନରେ ସମ୍ଭାବ୍ୟ ପ୍ରାର୍ଥୀ ମାନସ ଦତ୍ତ ବେଶ୍ ସନ୍ତୋଷ ପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନଙ୍କ ସହ ତାଙ୍କର ଅନୁଗାମୀ ଓ ସହଯୋଗୀଙ୍କ ଆଗମନରେ ବିଜେପି ସଂଗଠନ ଆହୁରି ସୁଦୃଢ଼ ହେବ ଏବଂ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ମିଶ୍ର, ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ସଦର ନିର୍ବାଚନମଣ୍ଡଳୀ ପ୍ରଭାରୀ ଚନ୍ଦ୍ରଶେଖର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.