Home ଉପ ନିର୍ବାଚନ ପଦ୍ମ ଛାଡ଼ିବାର ୨୪ ଘଣ୍ଟା ନ ପୂରୁଣୁ ଶଙ୍ଖ ଫୁଙ୍ଖିଲେ ଯଯାତି, ଶାନ୍ତିଦୂତ ଅଜିତଙ୍କ ନେତୃତ୍ୱରୁ...

ପଦ୍ମ ଛାଡ଼ିବାର ୨୪ ଘଣ୍ଟା ନ ପୂରୁଣୁ ଶଙ୍ଖ ଫୁଙ୍ଖିଲେ ଯଯାତି, ଶାନ୍ତିଦୂତ ଅଜିତଙ୍କ ନେତୃତ୍ୱରୁ ବିଜେଡିରେ ବହୁକର୍ମୀଙ୍କ ଯୋଗଦାନ

97

ବାଲେଶ୍ୱର, ୧୬ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ସ୍ୱାଭିମାନ ରକ୍ଷାର ଦ୍ୱାହି ଦେଇ ଗତକାଲି ପିଜେପି ପରିତ୍ୟାଗ କରିଥିବା ବାଲେଶ୍ୱରର ଅନ୍ୟତମ ସଂଗଠକ ଯଯାତି ଦାସଙ୍କ ସମେତ ପ୍ରଦୀପ ପତି ଓ ମୃତ୍ୟୁଞ୍ଜୟ ରାୟମହାପାତ୍ର ଆଜି ବିଜେଡିରେ ଯୋଗଦାନ କରିଛନ୍ତି। ବିଜେପି ଛାଡ଼ିଥିବା ତିନି ଛାମୁଆଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ କର୍ମୀ ବରିଷ୍ଠ ସାମ୍ବାଦିକ ତଥା ବିଜୁ ଯୁବଜନତା ଦଳର ପୂର୍ବତନ ଜିଲ୍ଲା ସଭାପତି ଅଜିତ୍ କୁମାର ମୁଖେର୍ଜୀଙ୍କ ନେତୃତ୍ୱରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ସିଦ୍ଧି କଲ୍ୟାଣମଣ୍ଡପରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଅଧ୍ୟକ୍ଷତା ସହ ବରିଷ୍ଠ ସାମ୍ବାଦିକ ତଥା ଦକ୍ଷ ସଂଗଠକଙ୍କ ଭଳି ଛାମୁଆଙ୍କ ଆଗମନରେ ଦଳୀୟ ସଂଗଠନ ଆହୁରି ସୁଦୃଢ଼ ହୋଇପାରିଛି ବୋଲି କହିଥିଲେ। ତେବେ ସମସ୍ତ କର୍ମୀ ଦଳୀୟ ଅନୁଶାସନ ମାନି ଭେଦଭାବ ଭୁଲି କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଆଇନମନ୍ତ୍ରୀ ପ୍ରତାପ ଜେନା, ବାଲେଶ୍ୱର ଉପ-ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ପ୍ରମୁଖ ଏଥିରେ ଯୋଗଦେଇ ନବାଗତ କର୍ମୀଙ୍କ କାନ୍ଧରେ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ଦକ୍ଷ ସଂଗଠକଙ୍କ ଆଗମନରେ ବାଲେଶ୍ୱରର ବିଜେଡି ଅଧିକରୁ ଅଧିକ ସୁଦୃଢ଼ ହେବା ସହିତ ଆସନ୍ତା ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ନିଶ୍ଚିତ କରିପାରିଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ଭାବମୂର୍ତ୍ତି ଓ ଦଳର ଶୃଙ୍ଖଳିତ ଅନୁଶାସନ ତଥା ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ଯୋଗ ଦେଇଥିବା ନବାଗତ କର୍ମୀମାନେ କହିଥିଲେ। ଦଳୀୟ ନିର୍ଦ୍ଦେଶ ତଥା ଅନୁଶାସନ ମାନି କାର୍ଯ୍ୟ କରିବେ ବୋଲି ସେମାନେ କହିଥିଲେ। ସଦର ଉପ-ନିର୍ବାଚନର ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଏଥିରେ ଉପସ୍ଥିତ ରହି ନବାଗତଙ୍କ ସହ ଭାବ ବିନିମୟ କରିଥିଲେ। ନୀଳଗିରିର ବିଜେଡି ନେତା ସନ୍ତୋଷ ଖଟୁଆ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ରାଜନୀତିରେ କେହି ଚିରଶତ୍ରୁ ନୁହନ୍ତି ବୋଲି ଆଜିର ଏହି ମିଶ୍ରଣ ପର୍ବ ବେଶ୍ ପ୍ରମାଣିତ କରିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଜିଲ୍ଲା ସଭାପତିଙ୍କ ପ୍ରତି ବିଷୋଦ୍ଗାର କରି ଦଳ ଛାଡି଼ ବିଜେପିରେ ଯୋଗ ଦେଇଥିବା ଯଯାତି ଦାସଙ୍କର ଚଳିତ ଉପ-ନିର୍ବାଚନ ପୂର୍ବରୁ ଘର ବାହୁଡ଼ା ସ୍ଥାନୀୟ ରାଜନୀତ ତଥା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.