ad
ଓଡ଼ିଶା

ନୟାଗଡ଼ ନିର୍ବାଚନ, ତ୍ରିମୁଖୀ ଲଢ଼େଇ ଜୋରଦାର., ଚୌକା ଲକ୍ଷ୍ୟରେ ଅରୁଣ, ପରିବର୍ତ୍ତନ ପାଇଁ ବିରୋଧିଙ୍କ ଆହ୍ୱାନ

ନୟାଗଡ଼, ୧୪ା୪ (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ): ଚଳିତ ନିର୍ବାଚନ ବହୁ ରୋମାଞ୍ଚକର ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିବା ବେଳେ ସବୁଦଳର ପ୍ରାର୍ଥିମାନେ ବିଜୟ ହାସଲ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ନୟାଗଡ଼ରେ ପରିବର୍ତ୍ତନ ପାଇଁ ବିରୋଧିମାନେ ନାରା ଦେଉଥିବା ବେଳେ ଅରୁଣ ବିକାଶର ଦ୍ୱାହି ଦେଇ ଚୌକା ଲକ୍ଷ୍ୟରେ ନିର୍ବାଚନ ମଇଦାନ କୁ ଓହ୍ଲାଇଛନ୍ତି। ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖଦଳର ପ୍ରାର୍ଥିମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ମୁଖ୍ୟତଃ ବିଜେଡି ଏବଂ ବିଜେପି ଦଳ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଛି। ତେବେ ଚଳିତ ନିର୍ବାଚନ ବିଧାୟକ ଅରୁଣ ସାହୁଙ୍କ ପାଇଁ କଡ଼ା ଚ୍ୟାଲେଞ୍ଜ ହୋଇଥିବା ବେଳେ ବିରୋଧି ବିଜେପି ମୋଦି ହାୱା ତଥା କେନ୍ଦ୍ରର ବିକାଶ କଥା କହି ନିର୍ବାଚନ ଉତ୍ତୀର୍ଣ୍ଣ ହେବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛି। ସୂଚନା ଯୋଗ୍ୟ ଯେ ନୟାଗଡ଼ ବିଧାନସଭା କ୍ଷେତ୍ର ପାଇଁ କନ୍ଧମାଳ ସାଂସଦ ତଥା ନୟାଗଡ଼ ରାଜପରିବାର ସ୍ୱର୍ଗତ ହେମେନ୍ଦ୍ର ସିଂଙ୍କ ପତ୍ନୀ ପ୍ରତ୍ୟୁଷା ଆଶାୟୀ ଥିବା ବେଳେ ତାଙ୍କୁ ନୟାଗଡ଼ ବିଧାନସଭା ଟିକେଟ ବିଜେଡି ଦଳ ଦେଇ ନଥିଲା। ନୟାଗଡର ସେବା ପାଇଁ ସ୍ୱର୍ଗତ ହେମେନ୍ଦ୍ରସିଂଙ୍କ ଅଭିଳାଷ ଥିବା ବେଳେ ତାଙ୍କ ଅକାଳ ମୃତ୍ୟୁ ଯୋଗୁଁ ତାହା ସମ୍ଭବ ହୋଇ ପାରି ନଥିଲା। ସ୍ୱାମୀଙ୍କ ଅଭିଳାଷ ପୂରଣ କରିବାକୁ ଅଣ୍ଟା ଭିଡ଼ିଥିବା ପ୍ରତ୍ୟୁଷାଙ୍କୁ ବିଜେଡି ଦଳ ଟିକେଟ ଦେଇ ନଥିବା ବେଳେ ଏହା ପଛରେ ଅରୁଣଙ୍କ ହାତ ରହିଥିବା ଅଭିଯୋଗ କରି ପ୍ରତ୍ୟୁଷା ତୁରନ୍ତ ଦଳଛାଡ଼ି ତାଙ୍କ ସମର୍ଥକ ମାନଙ୍କ ସହିତ ବିଜେପିରେ ଯୋଗଦାନ କରିଥିଲେ। ତେବେ ପୂର୍ବରୁ ନୟାଗଡ଼ରେ ସଂଗଠନ କାର୍ଯ୍ୟ ଅବ୍ୟାହତ ରଖିଥିବା ବିଜେପିର ଆଶାୟୀ ପ୍ରାର୍ଥି ଇରାନୀ ରାୟଙ୍କୁ ବିଜେପି ବାଧ୍ୟ ହୋଇ ଟିକେଟ ପ୍ରଦାନ କରିଥିବା ବେଳେ ତାଙ୍କ ନେତୃତ୍ୱକୁ ପ୍ରତ୍ୟୁଷା ସମର୍ଥନ ଦେଇଥିବାରୁ ଚଳିତ ନିର୍ବାଚନ ରୋଚକ ସ୍ଥିତିକୁ ଚାଲି ଆସିଛି। ଅରୁଣଙ୍କ ମେରିରାୟ ତଥା ଏକଛତ୍ରବାଦ ଶାସନକୁ ପ୍ରତିହତ କରିବା ପାଇଁ ଉଭୟେ ଇରାନୀ ଏବଂ ପ୍ରତ୍ୟୁଷା ଜୋରସୋରରେ ଲାଗି ପଡ଼ିଥିବା ବେଳେ ଏଥିରେ ତାଙ୍କୁ ବିପୁଳ ସମର୍ଥନ ମିଳୁଥିବା ତାଙ୍କ ସମର୍ଥକମାନେ କହି ବୁଲୁଛନ୍ତି। ଇତି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ନୟାଗଡ଼ ଖେଳପଡ଼ିଆ ଠାରେ ଏକ ନିର୍ବାଚନୀ ସଭା କରିଯାଇଛନ୍ତି। ଏଥିରେ ବିଜେଡିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ସମ୍ବିତ ପାତ୍ର, ସିଦ୍ଧାର୍ଥ ସିଂ, ସୁରମା ପାଢ଼ୀ ପ୍ରମୁଖ ଯୋଗଦାନ କରି ଥିବା ବେଳେ ଗରୀବଙ୍କ ଚିଟଫଣ୍ଡ ଟଙ୍କା ହଡପ କରିଥିବା ନେତାଙ୍କୁ ଜେଲ ପୁରାଇ ଦିଆଯିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ପରୋକ୍ଷରେ ଅରୁଣଙ୍କୁ ଇଙ୍ଗିତ କରି କହିଥିଲେ। ସେହିପରି ବିପୁଳ ସଂପତିର ଅଧିକାରୀ, ଛବି ବର୍ଦ୍ଧନ ହତ୍ୟାକାଣ୍ଡ, ପଣ୍ଡା ଓଭରବ୍ରିଜ କେଳେଙ୍କରୀ, ଚିଟଫଣ୍ଡ ଆଦି ଘଟଣାରେ ଅରୁଣଙ୍କ ସଂପୃକ୍ତି ରହିଥିବାରୁ ଏଭଳି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଚଳିତ ନିର୍ବାଚନରେ ହରାଇ ବିଜେପି ପ୍ରାର୍ଥିଙ୍କୁ ଜିତେଇବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡା.ଦାମୋଦର ରାଉତ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅରୁଣ ଲଗାତାର ତିନି ତିନିଥର ବିଧାୟକ ହୋଇଥିଲେ ମଧ୍ୟ ନୟାଗଡ଼ର କ’ଣ ବିକାଶ ହୋଇଛି ବୋଲି ଏହି ନେତା ମାନେ ପ୍ରକାଶ କରିବା ସହ ନୟାଗଡ଼ ଏକମାତ୍ର ଚିନି ଶିଳ୍ପ ବନ୍ଦ ହେବା ପଛରେ ଅରୁଣଙ୍କ ହାତ ରହିଥିବା ଏହି ନେତାମାନେ ଅଭିଯୋଗ କରିଥିଲେ। ବିଜେପି କ୍ଷମତାକୁ ଆସିଲେ ୧୫ ଦିନ ମଧ୍ୟରେ ଚିନିକଳ ଚାଲୁ କରିବାପାଇଁ ପ୍ରତିଶୃତି ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ବିଜେପି ନେତାମାନେ କୌଣସି ସୁଯୋଗକୁ ହାତଛଡ଼ା କରିବାପାଇଁ ଦେଇ ନଥିଲେ। ସେହିପରି ଏଠାରୁ ଲଗାତାର ତିନିଥର ଜିତିଥିବା ତଥା ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ପଦ ପାଇଥିବା ହେଭିୱେଟ ବିଜେଡି ପ୍ରାର୍ଥି ଅରୁଣ ସାହୁ ଚଳିତ ନିର୍ବାଚନରେ ଚତୁର୍ଥଥର ପାଇଁ ନିର୍ବାଚନ ଜିତିବା ପାଇଁ କଳବଳ କୌଶଳ ଲଗାଇ ଦେଇଛନ୍ତି। ନୟାଗଡ଼ର ସାମଗ୍ରିକ ବିକାଶ, ଶାନ୍ତି, ମୈତ୍ରୀ ଓ ପ୍ରଗତିର ପ୍ରଚାର ତଥା ‘ମୋ ପାଇଁ ବଡ଼ ମୋ ନୟାଗଡ’ ନାରା ଦେଇ ଲୋକଙ୍କ ମନ ଜିଣିବା ପାଇଁ ଅରୁଣ ଦିନରାତି ଏକ କରିଦେଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ମନୋଜ ସାହୁ ପ୍ରାର୍ଥି ହୋଇଥିବା ବେଳେ ତାଙ୍କର ଶାନ୍ତ, ସରଳ ସ୍ୱଭାବ ଏହଂ ଆମାୟିକ ବ୍ୟବହାର ପାଇଁ ତାଙ୍କୁ ଅଧିକାଂଶ ଲୋକ ପ୍ରଶଂସା କରୁଥିବା ଆଲୋଚନା ହେଉଛି। ଜଣେ ନୟାଗଡ଼ ମାଟିର ପୁଅକୁ ଏଥର ନିର୍ବାଚନରେ ଜିତାଇବା ପାଇଁ କଂଗ୍ରେସ ପକ୍ଷରୁ ପ୍ରଚାର କରାଯାଉଥିବା ବେଳେ ଏହାକୁ ଅନେକ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ନୟାଗଡ଼ରେ ଏକମାତ୍ର ଶିଳ୍ପ ଚିନିକଳ ବନ୍ଦ ହୋଇଯିବା, ବୃତଙ୍ଗ ଯୋଜନା କାର୍ଯ୍ୟକାରୀ ନହେବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ଏବଂ ରୋଗୀଙ୍କୁ ଶୋଷଣ, ଅବହେଳିତ ଚାଷୀ ଏବଂ ଚାଷ ଜମିକୁ ଜଳସେଚନ ନହେବା, ନୟାଗଡ଼ ସହରର ଟ୍ରାଫିକ ଏବଂ ପାର୍କିଂ ସମସ୍ୟା ତଥା ବାରମ୍ବାର ଦାବି ସତ୍ୱେ ପରିବା ଗୋଦାମ ସ୍ଥାନାନ୍ତରିତ ନହେବା, ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହେବା ଆଦି ଅନେକ ସମସ୍ୟା ମଧ୍ୟରେ ନୟାଗଡ଼ବାସୀ ହନ୍ତସନ୍ତ ହେଉଥିବା ବେଳେ ଚଳିତ ନିର୍ବାଚନରେ ଏହାର ସୁଦୂର ପ୍ରସାରୀ ପ୍ରଭାବ ପଡ଼ିପାରେ ବୋଲି ଅନୁମାନ କରାଯାଉଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top