Home ଓଡ଼ିଶା ନୂଆ ଶିକ୍ଷା ନୀତି ଶିକ୍ଷା ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପଦକ୍ଷେପ : ସମୀର ମହାନ୍ତି

ନୂଆ ଶିକ୍ଷା ନୀତି ଶିକ୍ଷା ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପଦକ୍ଷେପ : ସମୀର ମହାନ୍ତି

207

ଦେଶର କୋଟି କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଐତିହାସିକ ଶିକ୍ଷା ନୀତି ବ୍ୟବସ୍ଥା ଆଣିଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟସଭାପତି

– ଶିକ୍ଷା ନୀତି ଯୋଗୁଁ ଓଡିଶାରେ ଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ

– ପଂଚମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନିଜ ମାତୃଭାଷା ପଢିବା ବାଧ୍ୟତାମୂଳକ
– ଦୀର୍ଘ ୩୪ ବର୍ଷ ପରେ ଭାରତକୁ ବିଶ୍ୱରେ ଶ୍ରେଷ୍ଠ ଦେଶ କରି ତୋଳିବାରେ ଏହି ନୀତି ମାର୍ଗଦର୍ଶକ ହେବ
– ପୂର୍ବରୁ ରାଇଟ ଟୁ ଏଜୁକେସନ ଆକ୍ଟ ୬-୧୪ ବର୍ଷ ଥିବାବେଳେ ଏବେ ଏହା ୩-୧୮ ବର୍ଷ କରାଯାଇଛି, ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ

– ଶିକ୍ଷା ନୀତିର ଲକ୍ଷ୍ୟ ୨୦୩୦ ସୁଦ୍ଧା ଶତପ୍ରତିଶତ ଯୁବକ ଓ ପ୍ରୌଢ଼ଙ୍କୁ ସାକ୍ଷରତା ପ୍ରଦାନ କରିବା
– ଶିକ୍ଷା ବ୍ୟବସ୍ଥାରେ ଜିଡିପିର ୬% ଖର୍ଚ୍ଚ କରିବା ନେଇ ଲକ୍ଷ୍ୟ ରଖାଯାଇଛି
– ନୂଆ ଶିକ୍ଷା ନୀତିରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା ପ୍ରତି ଗୁରୁତ୍ୱାରୋପ କରାଯାଇଛି
– ୧୨ ବର୍ଷର ବିଦ୍ୟାଳୟ ଶିକ୍ଷାଦାନ ସହିତ ତିନି ବର୍ଷର ଅଙ୍ଗନୱାଡ଼ି/ପ୍ରାକ ବିଦ୍ୟାଳୟ ଶିକ୍ଷାଦାନକୁ ସାମିଲ କରାଯାଇଛି
– ଷଷ୍ଠ ଶ୍ରେଣୀରୁ ଇଂଟର୍ଣ୍ଣସିପ ସହିତ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହେବ
– ୨୦୩୫ ସୁଦ୍ଧା ଉଚ୍ଚ ଶିକ୍ଷାରେ ଜିଇଆର ୫୦% ପର୍ଯ୍ୟନ୍ତ ବୃଦ୍ଧି ଲକ୍ଷ୍ୟ ରଖି ଉଚ୍ଚ ଶିକ୍ଷା କ୍ଷେତ୍ରରେ ୩-୫ କୋଟି ଆସନ ଯୋଡ଼ାଯିବ

ଭୁବନେଶ୍ୱର ୩୧/୦୭ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ଶିକ୍ଷା ନୀତି ୨୦୨୦କୁ ମଞ୍ଜୁରି ମିଳିଛି। ଏହା ଦେଶରେ ଉଭୟ ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପରିବର୍ତ୍ତନ ଆଣିପାରିବ। ଏହା ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷା ନୀତି ଯାହା ୩୪ ବର୍ଷ ପୁରୁଣା ଜାତୀୟ ଶିକ୍ଷା ନୀତି, ୧୯୮୬ ସ୍ଥାନରେ ଲାଗୁ ହେବ। ଏହି ନୂଆ ନୀତିର ମୂଳସ୍ତମ୍ଭ ଗୁଡ଼ିକ ହେଲେ ପହଁଚ, ସମାନତା, ଗୁଣବତା, ସୁଲଭତା ଓ ପାରଦର୍ଶିତା। ୨୦୩୦ ସ୍ଥାୟୀ ବିକାଶ ଲକ୍ଷ୍ୟ ଅନୁରୂପ ଏହି ଶିକ୍ଷା ନୀତିକୁ ପ୍ରସ୍ତୁତ କରାଯାଇଛି। ଏହି ନୀତି ମାଧ୍ୟମରେ ଭାରତକୁ ଏକ ଉଜ୍ଜ୍ୱଳ ଜ୍ଞାନ ସମାଜ ଏବଂ ବୈଶ୍ୱିକ ଜ୍ଞାନ ମହାଶକ୍ତି ଭାବେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ନୀତି ଦେଶର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଶିକ୍ଷାକୁ ଆହୁରି ସାମଗ୍ରିକ, ନମନୀୟ, ବହୁବିଷୟକ କରିବା ସହିତ ଏକବିଂଶ ଶତାବ୍ଦୀର ଆବଶ୍ୟକତାର ଆବଶ୍ୟକତା ପ୍ରତି ଧ୍ୟାନ ଦେବ। ଏହା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ଅଭିନବ ସାମର୍ଥ୍ୟକୁ ଆହୁରି ବିକଶିତ କରିବ। ଏଭଳି ଏକ ଐତିହାସିକ ଶିକ୍ଷା ନୀତି ଆଣଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ନିଶଙ୍କ ଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ନୂଆ ଶିକ୍ଷା ନୀତି ଅନୁଯାୟୀ ପଂଚମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନିଜ ମାତୃଭାଷା ପଢିବା ବାଧ୍ୟତାମୂଳକ। ଏହା ଦ୍ୱାରା ପିଲାମାନେ ନିଜ ମାତୃଭାଷା ସମ୍ବନ୍ଧରେ ବ୍ୟାପକ ଭାବେ ତଥ୍ୟ ଜାଣିପାରିବେ। ତିନୋଟି ଭାଷା ସୂତ୍ର ସମେତ, ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାର ସମସ୍ତ ସ୍ତରରେ ସଂସ୍କୃତ ଭାଷାରେ ପଢ଼ିବାର ଏକ ବିକଳ୍ପ ଛାତ୍ରଛାତ୍ରୀଙ୍କ ନିକଟରେ ରହିବ। ଏହି ନୀତିର ଲକ୍ଷ୍ୟ ୨୦୩୦ ସୁଦ୍ଧା ଶତପ୍ରତିଶତ ଯୁବକ ଓ ପ୍ରୌଢ଼ଙ୍କୁ ସାକ୍ଷରତା ପ୍ରଦାନ କରିବା। ଶିକ୍ଷା କ୍ଷେତ୍ରରେ ସାର୍ବଜନୀନ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାମ କରିବେ ଯାହାଫଳରେ ଜିଡିପିରେ ଏହାର ଯୋଗଦାନ ଯଥାଶୀଘ୍ର ୬% ହୋଇପାରିବ। ଦୁଇ କୋଟି ସ୍କୁଲ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଧାରାକୁ ଆଣିବ ଏହି ନୂଆ ଶିକ୍ଷା ନୀତି। ଦୀର୍ଘ ୩୪ ବର୍ଷ ପରେ ଭାରତକୁ ବିଶ୍ୱରେ ଶ୍ରେଷ୍ଠ ଦେଶ କରି ତୋଳିବାରେ ଏହି ନୀତି ମାର୍ଗଦର୍ଶକ ହେବ।

ଏହି ନୂଆ ଶିକ୍ଷା ନୀତିରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା ପ୍ରତି ଗୁରୁତ୍ୱାରୋପ କରାଯାଇଛି। ଏଥିପାଇଁ ବିଦ୍ୟାଳୟ ପୁରୁଣା ୧୦+୨ ପାଠଖସଡ଼ା ସ୍ଥାନରେ ୫+୩+୩+୪ ପାଠ୍ୟକ୍ରମ ଢାଂଚା ଲାଗୁ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ବୟସ ଯଥାକ୍ରମେ ୩-୮, ୮-୧୧, ୧୧-୧୪ ଏବଂ ୧୪-୧୮ ରଖାଯାଇଛି। ସାଧାରଣତଃ ୩-୬ ବର୍ଷ ବୟସ ଶିଶୁର ମେଧାଶକ୍ତି ବିକଶିତ ହେବାର ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ବିଶ୍ୱସ୍ତରରେ ଗ୍ରହଣ କରାଯାଇଛି। ପୂର୍ବରୁ ରାଇଟ ଟୁ ଏଜୁକେସନ ଆକ୍ଟ ୬-୧୪ ଥିବାବେଳେ ଏବେ ଏହା ୩-୧୮ ବର୍ଷ କରାଯାଇଛି, ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ। ନୂଆ ଶିକ୍ଷା ନୀତିରେ ଛାତ୍ରଛାତ୍ରୀଙ୍କ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି। ନୂଆ ବ୍ୟବସ୍ଥାରେ ୧୨ ବର୍ଷର ବିଦ୍ୟାଳୟ ଶିକ୍ଷାଦାନ ସହିତ ତିନି ବର୍ଷର ଅଙ୍ଗନୱାଡ଼ି/ପ୍ରାକ ବିଦ୍ୟାଳୟ ଶିକ୍ଷାଦାନକୁ ସାମିଲ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ନୀତିରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଶିକ୍ଷା ଉପରେ ଗୁରୁତ୍ୱାରୋପ, ପାଠ୍ୟ ବିଷୟ, ପାଠ୍ୟବର୍ହିଭୂତ କାର୍ଯ୍ୟକଳାପ, ଧନ୍ଦାମୂଳକ ବିଷୟ ମଧ୍ୟରେ କୌଣସି ବାଧ୍ୟତାମୂଳକ ପୃଥକୀକରଣ ନାହିଁ। ଷଷ୍ଠ ଶ୍ରେଣୀରୁ ଇଂଟର୍ଣ୍ଣସିପ ସହିତ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହେବ। ୨୦୩୫ ସୁଦ୍ଧା ଉଚ୍ଚ ଶିକ୍ଷାରେ ଜିଇଆର ୫୦% ପର୍ଯ୍ୟନ୍ତ ବୃଦ୍ଧି ଲକ୍ଷ୍ୟ ରଖି ଉଚ୍ଚ ଶିକ୍ଷା କ୍ଷେତ୍ରରେ ୩-୫ କୋଟି ଆସନ ଯୋଡ଼ାଯିବା ସହ ଏହି ନୀତି ଯୋଗୁଁ ଓଡିଶାରେ ଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.