Home ଜିଲ୍ଲା ପରିକ୍ରମା ନିଶା ବିରୋଧରେ ବୃହତ୍ତର ଆନ୍ଦୋଳନ ପାଇଁ ଜିଲ୍ଲା ସ୍ତରୀୟ କନ୍‌ଭେନ୍‌ରେ ଦୃଢୋକ୍ତି, ଆହ୍ୱାନ ଦେଲେ ରାଜ୍ୟ...

ନିଶା ବିରୋଧରେ ବୃହତ୍ତର ଆନ୍ଦୋଳନ ପାଇଁ ଜିଲ୍ଲା ସ୍ତରୀୟ କନ୍‌ଭେନ୍‌ରେ ଦୃଢୋକ୍ତି, ଆହ୍ୱାନ ଦେଲେ ରାଜ୍ୟ ସଭାପତି – ପଦ୍ମଚରଣ ନାୟକ

19

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂପ୍ରତି ରାଜ୍ୟ ସରକାର ନିଜର ରାଜନୈତିକ ଫାଇଦା ପାଇଁ ମଦ ବ୍ୟବସାୟର ସଂପ୍ରସାରଣ ଦ୍ରୁତ ବେଗରେ କରି ଚାଲିଛନ୍ତି। ଏବେ ଖାଲି ବିଧାନସଭା ବା ସଂସଦ ନିର୍ବାଚନ ବେଳେ ଟଙ୍କା ଛଡ଼ା ମଦ ଦିଆଯାଉନାହିଁ, ପଞ୍ଚାୟତ ନିର୍ବାଚନରେ ଜିତିବା ପାଇଁ ମଧ୍ୟ ଭୋଟର ମାନଙ୍କୁ ମଦ ଦିଆଯାଉଛି। ମଦ ଦେଇ ବିଶେଷ କରି ଯୁବକ ମାନଙ୍କୁ ଆକୃଷ୍ଟ କରି ନିର୍ବାଚନ ଅଫିସକୁ ଆଣିବା ଏବଂ ପ୍ରଚାର କରି ରୋଡ଼ ସୋ ଜମାଇବା ଆଦି କାର୍ଯ୍ୟ କରୁଛନ୍ତି। ମାତ୍ର ସରକାରୀ ଦଳର ନେତାମାନେ ଦୁର୍ନୀତିରେ ସଂପୃକ୍ତ ରହି ସେ ଯୋଜନା ଗୁଡ଼ିକୁ ବିଫଳତା ପହଞ୍ଚାଇଛନ୍ତି। ତେଣୁ ନିର୍ବାଚନ ୧ ମାସ ପୂର୍ବରୁ ଭୋଟରମାନଙ୍କୁ ସମ୍ମୋହିତ କରି ଟଙ୍କା ଛଡ଼ା ମଦକୁ କରୁଛନ୍ତି ବ୍ରହ୍ମାସ୍ତ୍ର। ରାଜ୍ୟରେ ମଦ ବିରୋଧରେ ଆନ୍ଦୋଳନ ଜାରି ରହିଥିଲେ ବି ସରକାର ନିର୍ଲଜ ଭାବେ ଯୁକ୍ତ କରୁଛନ୍ତି, ସରକାରୀ ଭାବେ ମଦ ପ୍ରଚଳନ ବନ୍ଦ କରିଦେଲେ ଲୋକେ ବେଆଇନ ଭାବେ ମଦ ତିଆରି କରି ପିଇବେ ଏବଂ ମୃତ୍ୟୁ ବରଣ କରିବେ। ଏହା ଏକ ଅମୂଳକ ଯୁକ୍ତି ଏବଂ ମାନବ ସମାଜ ପାଇଁ ଏକ କଳଙ୍କିତ ସରକାରୀ ବିଚାରଧାରା ବୋଲି ମତବ୍ୟକ୍ତ କରିଛନ୍ତି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଓଡ଼ିଶା ରାଜ୍ୟ ସଭାପତି ତଥା ସର୍ବ ଭାରତୀୟ ଆବାହକ ପ୍ରାକ୍ତନ ବିଧାୟକ ପଦ୍ମ ଚରଣ ନାୟକ। ଭଦ୍ରକ ପୁରୁଣା କଚେରୀ ପ୍ରାଙ୍ଗଣ ସ୍ଥିତ ଓକିଲ ସଂଘ କନ୍‌ଫରେନ୍‌ସ ହଲ୍‌ରେ ଭଦ୍ରକର ବର୍ଷୀୟାନ ସାମାଜିକ କର୍ମୀ ତଥା ଆଜୀବନ ସଂଗ୍ରାମୀ ନିରାକାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜିଲ୍ଳାସ୍ତରୀୟ କନ୍‌ଭେନ୍‌ସନ୍‌ରେ ଏହା କହିଛନ୍ତି। ଆସନ୍ତା ନଭେମ୍ବର ୨୩ ତାରିଖ ଜିଲ୍ଳାସ୍ତରୀୟ ଆନ୍ଦୋଳନକୁ ଜୋରଦାର୍ କରିବାକୁ ଆହ୍ୱାନ ଦିଆ ଯାଇଛି।

ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଳାକୁ ମଦମୁକ୍ତ କରିବାକୁ ଏବଂ ବୃହତ୍ତର ଆନ୍ଦୋଳନ ଗଢି ତୋଳିବାକୁ ମଧ୍ୟ ଆହ୍ୱାନ ଦେଇଥିଲେ। ଉକ୍ତ କନ୍‌ଭେନ୍‌ସନ୍ ଜରିଆରେ ଭଦ୍ରକ ଜିଲ୍ଳାର କାର୍ଯ୍ୟରତ ଜିଲ୍ଳା କମିଟିକୁ ପରିବର୍ଦ୍ଧିତ କରାଯାଇଛି। ଜିଲ୍ଲା ସଭାପତି ନିରାକାର ଜେନାଙ୍କ ପ୍ରସ୍ତାବ ଏବଂ ଜିଲ୍ଳା ସଂପାଦକ ଆଡ୍‌ଭୋକେଟ ଗିରିଧାରୀ ନାଥଙ୍କ ସଂଗଠନିକ ଆଲୋଚନା କ୍ରମେ ସାରା ଜିଲ୍ଳାରେ ୭ଟି ବ୍ଲକରରୁ ପ୍ରତିନିଧି ନିର୍ବାଚିତ କରାଯାଇ ସେମାନଙ୍କୁ ଜିଲ୍ଳା କମିଟିରେ ସ୍ଥାନିତ କରାଯାଇଛି। ଜିଲ୍ଳାରେ ନିଶାମୁକ୍ତ ଆନ୍ଦୋଳନ ପାଇଁ ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବରେ ସାମିଲ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗ୍ରାମ୍ୟସ୍ତର ଠାରୁ ପଞ୍ଚାୟତ ଏବଂ ସଦର ମହକୁମାରେ ବିଜ୍ଞାପିତ ପୌରାଞ୍ଚଳ ଶାଖା ଗଠନ କରି ନିଶା ବିରୋଧୀ ଆନ୍ଦୋଳନରେ ଯୁବକ ଯୁବତୀ, ମହିଳା, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ସାମିଲ କରିବାକୁ ମଧ୍ୟ ନିଷ୍ପତ୍ତି ଗ୍ରହଣ ହୋଇଛି। ଏହି କନ୍‌ଭେନ୍‌ସନ୍‌ରେ ରାଜ୍ୟ ସଂଯୋଜକ ଖଗେଶ୍ୱର ବଳ, ରାଜ୍ୟ ସମ୍ପାଦକ ରମାକାନ୍ତ ମଣ୍ଡଳ, ଯୁଗ୍ମ ସମ୍ପାଦକ ଶୁଭେନ୍ଦୁ ରାଉତରାୟ, ଉପସଭାପତି ଅଗଣି ଚରଣ ଜେନା, ସମାଜସେବୀ ତଥା ଶିକ୍ଷାବିତ୍ ଅମର କୁମାର ପାଣିଗ୍ରାହୀ, ସରସ୍ୱତୀ ସେନାପତି, ଅନ୍ନପୂର୍ଣ୍ଣା ସାହୁ, ଅଧ୍ୟାପକ ସଂଗ୍ରାମ ମହାନ୍ତି, ଜଗନ୍ନାଥ ରାୟ, ସ୍ନେହଲତା ପହି, ଅବଦୁଲ ଦୟାନ, ଇଂ କାହ୍ନୁ କିଶୋର ସାହୁ, ସଂଗୀତା ମହାନ୍ତି, ଗୌରାଙ୍ଗ ବାରିକ, ବିନୟ କୁମାର ରାଉତ, ଶକୁନ୍ତଳା ପାତ୍ର, ଲକ୍ଷ୍ମୀକାନ୍ତ ବାରିକ, ସାର୍ଥକ ବିଶ୍ୱାଳ, ସୁକାନ୍ତ ପ୍ରଧାନ, କିଶୋର ପାଣିଗ୍ରାହୀ ଓ ବାବୁଲାଲ ଦାସ ପ୍ରମୁଖ ସୁଚିନ୍ତିତ ମତାମତ ପ୍ରକାଶ କରି ଆଗାମୀ ନଭେମ୍ବର ୨୩ ଜିଲ୍ଳାସ୍ତରୀୟ ଗଣଆନ୍ଦୋଳନକୁ ସଫଳ କରିବାକୁ ଦୃଢୋକ୍ତି ପ୍ରକାଶ କରିଥିଲେ। ଅଧିବକ୍ତା ଶୁକମଣି ବେହେରାଙ୍କ ଦ୍ୱାରା ଲିଖିତ ‘ମଦ ଭାଙ୍ଗିଦେଲା ସୁନା ସଂସାର’ ନାଟକକୁ ଉନ୍ମୋଚନ କରିଥିଲେ ରାଜ୍ୟ ସମ୍ପାଦକ ପଦ୍ମ ଚରଣ ନାୟକ। ଶେଷରେ ଅଧିବକ୍ତା ଅଗଣି ଚରଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.