Home ଓଡ଼ିଶା ନିରାଡ଼ମ୍ବରରେ ଅରୁଣଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସଭା: ମନ୍ତ୍ରୀତ୍ୱ ମୋପାଇଁ କ୍ଷମତା ନୁହେଁ ଗୁରୁ ଦାୟିତ୍ୱ-ମନ୍ତ୍ରୀ ଡ.ଅରୁଣ...

ନିରାଡ଼ମ୍ବରରେ ଅରୁଣଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସଭା: ମନ୍ତ୍ରୀତ୍ୱ ମୋପାଇଁ କ୍ଷମତା ନୁହେଁ ଗୁରୁ ଦାୟିତ୍ୱ-ମନ୍ତ୍ରୀ ଡ.ଅରୁଣ ସାହୁ

692

ନୟାଗଡ଼, ୨-୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଡ.ଅରୁଣ କୁମାର ସାହୁ କ୍ୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗରେ ସ୍ଥାନିତ ହେବା ପରେ ଶନିବାର ନୟାଗଡ଼କୁ ସେ ତାଙ୍କର ପ୍ରଥମ ପ୍ରବେଶ କରିଛନ୍ତି। ଏଥିପାଇଁ ତାଙ୍କୁ ବିଜିପୁର, ପୁରୁଷୋତ୍ତମପୁର ଛକ, ହରେକୃଷ୍ଣପୁର, ପଣ୍ଡୁସ, ଇଟାମାଟି, ପ୍ରତାପପ୍ରସାଦ, ଘଡ଼ୁଆଳ, ଦୁର୍ଗାପ୍ରସାଦ, ସିନ୍ଦୁରିଆଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ପରିପ୍ରେକ୍ଷିରେ ନୟାଗଡ଼ ପୁରୁଣା ବସଷ୍ଟାଣ୍ଡଠାରେ ତାଙ୍କୁ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ, କର୍ମୀ, ଶୁଭେଚ୍ଛୁ ଓ ବିଭିନ୍ନ ବର୍ଗର ଲୋକ ସମବେତ ହୋଇ ନିଜର ପ୍ରିୟ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ହେଲେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଏକ ନିଆରା ଢଙ୍ଗରେ ପାଳିତ ହୋଇଥିଲା। ସମ୍ବର୍ଦ୍ଧନା ଉତ୍ସବର ମଂଚ ସାଧାସିଧାରେ ତିଆରି ହୋଇଥିଲା। ଏଥିରେ ସେ ନିଜେ ବା ଅନ୍ୟ କୌଣସି ସ୍ଥାନୀୟ ନେତା ଆଡମ୍ବରରେ ବସିବାରେ ସେମିତି କୌଣସି ଆଖି ଦୃଶିଆ ବ୍ୟବସ୍ଥା ହୋଇନଥିଲା। କୌଣସି ବ୍ୟକ୍ତି ବିଶେଷ ଯେପରି ତାଙ୍କୁ ବାଜା, ବାଣ ସହ ଫୁଲତୋଡ଼ା ଦେଇ ଜାକଜମକରେ ସମ୍ବର୍ଦ୍ଧିତ ନକରନ୍ତି ସେଥିପ୍ରତି ଆଗୁଆ ୍ବାରଣ କରିଥିବା ଦେଖାଦେଇଥିଲା। ଯେହେତୁ ସେ ନିଜକୁ ଜଣେ ସେବକ ବୋଲି ଭାବି ନେଇଛନ୍ତି ସେ କେବଳ ସେବକରେ ରହିବେ ବୋଲି ସ୍ୱିକୋରୋକ୍ତି ପ୍ରକାଶ କରିଥିଲେ। ରାଜନୀତି ହେଉଛି ସେବା କରିବାର ଏକ ପ୍ରଧାନ କ୍ଷେତ୍ର। ସେ ଯେହେତୁ ସେବା କରିବାର ସୁଯୋଗ ପାଇଛନ୍ତି ଏହାକୁ ସେ ଯଥାରୀତି ପାଳନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏବଂ ପାଳନ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ ବହୁତ ସଂସ୍କାରମୂଳକ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିବା ସହିତ ଦୁର୍ନୀତିକୁ ରୋକିବାରେ ତାଙ୍କର ପଦକ୍ଷେପ କଠୋର ହେବ ବୋଲି ପରୋକ୍ଷରେ ଦୁର୍ନୀତିଖୋରଙ୍କୁ ଚେତାବନୀ ଦେଇଥିବା ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ସେ କହିଥିଲେଯେ, ମନ୍ତ୍ରୀ ମୋପାଇଁ କ୍ଷମତା ନୁହେଁ ଏହା ମୋପାଇଁ ଗୁରୁ ଦାୟିତ୍ୱ। ଏହାକୁ ମୁଁ ଯେପରି ସୂଚାରୁ ରୂପେ ନିର୍ବାହ କରିପାରିବି ସେଥିପ୍ରତି ସମସ୍ତଙ୍କର ସହଯୋଗର ଆବଶ୍ୟତା ରହିଛି। ନକରାତ୍ମକ ଚିନ୍ତାଧାରାରେ ନରହି ସୂକ୍ଷ୍ମ ଚିନ୍ତାଧାରାରେ ମନୋନିବେଶ କରିବା ପାଇଁ ପରାମର୍ଶ ଦେଇଥିବାବେଳେ ସେ ଜନସାଧାରଣଙ୍କର ଅଭିଯୋଗକୁ ପ୍ରତିମାସରେ ଏହିଠାରେ ଶୁୂଣିବେ ବୋଲି କହିଥିଲେ। ଗରୀବର ପେଟଳୁ ନାତ ମାରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ସେ କ୍ଷମା ଦେବେନାହିଁ ବୋଲି କଠୋର ଚେତାବନୀ ଦେଇଥିଲେ। ମନ୍ତ୍ରୀ ଶ୍ରୀ ସାହୁଙ୍କ ଏପରି ସଂସ୍କାରମୂଳକ ପଦକ୍ଷେପକୁ ଉପସ୍ଥିତ ଦର୍ଶକ ହାତତାଳି ମାରି ସମର୍ଥନ ଦେଉଥିବା ଦେଖିବାକୁ ମିଳିଥିଲା। ମନ୍ତ୍ରୀ ଡ.ସାହୁଙ୍କ ଚେଷ୍ଟାରେ ନୟାଗଡର ବିକାଶ ଯେପରି ଅଗ୍ରଗତି ହେବାରେ ଲାଗିଛି ଏବଂ ତାଙ୍କର ଆହ୍ୱାନ ‘ଆମ ନୟାଗଡ଼ ଆମପାଇଁ ବଡ଼’ କୁ ସଦା ସର୍ବଦା ପ୍ରାଧାନ୍ୟ ଦେଉଥିବା ମନ୍ତ୍ରୀ ଡ.ସାହୁ ନୟାଗଡର ବିକାଶକୁ ଆହୁରି ଆଗେଇ ନେବାକୁ ଜନସାଧାରଣ ଆଶା ପୋଷଣ କରିଛନ୍ତି। ଏହି ସମ୍ବର୍ଦ୍ଧନା ସଭାରେ ଏନଏସି ପୂର୍ବତନ ଚେୟାରମ୍ୟାନ ଗୁରୁପ୍ରସାଦ ଜେନା, ୍ବ୍ଳକ ଚେୟାରମ୍ୟାନ ସୁବାଶ କଅଁର, ଜନାର୍ଦ୍ଦନ ଦଳବେହେରା, ଶ୍ରବଣରାମ, ଜଗନ୍ନାଥ ପଣ୍ଡା, ମାଳତୀ ଗୁରୁ, ନେତ୍ରାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ଡ.ସାହୁ ନୟାଗଡ଼ରେ ପାଦଦେଇ ପ୍ରଥମେ ମା’ଦକ୍ଷିଣକାଳୀଙ୍କ ଆଶୀର୍ବାଦ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.