Home ଜିଲ୍ଲା ପରିକ୍ରମା ନାରୀ ସଚେତନତା ବିନା ସମାଜର ପ୍ରଗତି ଅସମ୍ଭବ, ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରା ଆଇନ୍ ସଚେତନତା...

ନାରୀ ସଚେତନତା ବିନା ସମାଜର ପ୍ରଗତି ଅସମ୍ଭବ, ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ

55

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାକୁ ରାଜ୍ୟ ମହିଳା ଆୟୋଗଙ୍କ ଦୁଇଦିନିଆ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଅନ୍ତିମ ଦିବସରେ ଟାଉନ୍ ହଲ ଠାରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା ଆୟୋଗ ଡ. ମିନତୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଭଣ୍ଡାରୀପୋଖରୀ ପ୍ରଫୁଲ୍ଲ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍‌.ପି. ଚରଣ ସିଂ ମୀନା, ଆୟୋଗଙ୍କ ରେଜିଷ୍ଟ୍ରାର ସୁସିଲ କୁମାର ରାୟ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁଯାଇ ମହିଳା ଆୟୋଗ ଡ. ବେହେରା ନିଜର ବକ୍ତବ୍ୟ ପ୍ରସଙ୍ଗରେ ମହିଳା ଆଇନ୍ ସମ୍ବନ୍ଧରେ ମହିଳାମାନେ ସଚେତନ ହେବା କେତେ ଜରୁରୀ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ନାରୀ ଓ ପୁରୁଷ ଉଭୟ ପରିପୂରକ। ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଉଭୟଙ୍କୁ ନେଇ ସୁନ୍ଦର ସମାଜ ଗଠିତ ହୁଏ। ଏ କଥା ଆମେ ସମସ୍ତେ ଜାଣି ବି ଆଜି ନାରୀ ଘରେ କି ବାହାରେ ସୁରକ୍ଷିତ ରହିପାରୁନାହିଁ। ସମ୍ବିଧାନ ସମସ୍ତଙ୍କୁ ସମାନ ସୁବିଧା, ସୁଯୋଗ, ସମ୍ମାନ, ଅଧିକାର ପ୍ରଦାନ କରିଥିଲେ ବି ଅଦ୍ୟାବଧି ନାରୀ ନିର୍ଯ୍ୟାତନାର ଅନ୍ତଘଟିନାହିଁ। ସୁସ୍ଥ, ସୁନ୍ଦର, ନିରାପଦ ଜୀବନଯାପନରେ ଅସୁରକ୍ଷିତ ଥିବା ମହିଳାମାନେ ନିଜର ଅଧିକାର ପାଇବା ପାଇଁ ମହିଳା କମିଶନର ଆଶ୍ରୟ ନିଅନ୍ତୁ ବୋଲି ସେ ପରାମର୍ଶ ପ୍ରଦାନ କରିଥିଲେ। ଶିଶୁ ଅତ୍ୟାଚାର, ଯୁବତୀ ଚାଲାଣ, ଯୌତୁକ ନିର୍ଯ୍ୟାତନା, ଯୌନ ଅତ୍ୟାଚାର ଆଦି ସମସ୍ୟାର ଶିକାର ହେଉଥିବା ମହିଳାମାନଙ୍କୁ ବିନା ଖର୍ଚ୍ଚରେ ମହିଳା କମିଶନ ସାହାଯ୍ୟ ଯୋଗାଇଦେବ।

ମହିଳା ଆଇନ୍‌ର ସୁଯୋଗ ନେଇ ସେମାନଙ୍କର ଅଧିକାର ଫେରିପାଇପାରିବେ। ସମାଜ ପାଇଁ ନାରୀ ମହତ୍ୱ ଅଧିକ। ନାରୀ ନିଜର ସୁରକ୍ଷା ପାଇଁ ନିଜେ ସଚେତନ ନହେଲେ ସମାଜ ଠିକ୍ ଭାବରେ ଚାଲିପାରିବ ନାହିଁ ବୋଲି ଏସ୍‌.ପି. ପ୍ରକାଶ କରିଥିଲେ। ସେହିପରି ନାରୀଙ୍କୁ ସଚେତନ ପାଇଁ ଶିକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସବୁ ଝିଅଙ୍କୁ ଶିକ୍ଷିତ କରାଇବା ସହ ରୋଜଗାରକ୍ଷମ କରାଇବା। ଆୟ କରିପାରିଲେ ମହିଳାମାନେ ନିଜ ବିଷୟରେ ନିଜେ ନିଷ୍ପତ୍ତି ନେଇପାରିବେ ବୋଲି ଜିଲ୍ଲାପାଳ ନିଜର ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ। ସେହିପରି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାମଲ ମହିଳାଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ଓ ସଂରକ୍ଷଣ ସୁବିଧାର ଲାଭ ଉଠାଇ ନିଜ ନିଜର ଆତ୍ମନିର୍ଭରଶୀଳତା ବଢ଼ାନ୍ତୁ ଓ ସମାଜ ପାଇଁ ଉଦାହରଣ ସାଜନ୍ତୁ ବୋଲି ପରାମର୍ଶ ପ୍ରଦାନ କରିଥିଲେ। ଆଶା, ଅଙ୍ଗନୱାଡ଼ି କର୍ମୀ, ସି.ଡି.ପି.ଓ., ସୁପରଭାଇଜର, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଅନ୍ୟ ବିଭାଗୀୟ ମହିଳାମାନେ ଏହି କର୍ମଶାଳାରେ ଉପସ୍ଥିତ ରହିଥିଲେ। ଜିଲ୍ଲାର ମହିଳା କରୋନା ଯୋଦ୍ଧାମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଟେକ୍‌ନିକାଲ ଅଧିବେଶନରେ କର୍ମଶାଳାରେ ଉପସ୍ଥିତ ମହିଳାମାନଙ୍କ ସଚେତନତା ଉଦ୍ଦେଶ୍ୟରେ ମହିଳା ଆୟୋଗ ଡ. ବେହେରା ଡାହାଣୀ ହତ୍ୟା, ଯୌତୁକ ନିରୋଧ, ପାରିବାରିକ ହିଂସା ସମ୍ବନ୍ଧୀୟ ଆଇନ୍ ସମ୍ବନ୍ଧରେ ବୁଝାଇଥିଲେ। ଆୟୋଗଙ୍କ କନସଲ୍‌ଟାଣ୍ଟ ଡ. ଟୁନା ସାହୁ ବାଲ୍ୟବିବାହ ନିଷେଧ ଆଇନ୍‌, କର୍ମସ୍ଥଳୀରେ ଯୌନ ଆକ୍ଷେପ ସମ୍ବନ୍ଧୀୟ ଆଇନ୍ ଉପରେ, ରେଜିଷ୍ଟ୍ରାର ଶ୍ରୀଯୁକ୍ତ ରାୟ ହିନ୍ଦୁ ଉତ୍ତରାଧିକାରୀ ଆଇନ୍‌, ମହିଳା ଭରଣପୋଷଣ, ଅପରାଧ ଜନିତ କ୍ଷତିପୂରଣ ସମ୍ବନ୍ଧରେ ଏବଂ ଆୟୋଗଙ୍କ ଲିଗାଲ ଆସିଷ୍ଟାଣ୍ଟ ଅରବିନ୍ଦ ପଟ୍ଟନାୟକ ସାଇବର କ୍ରାଇମ୍ ସମ୍ବନ୍ଧରେ ଉପସ୍ଥାପନ ରଖିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ଜୟନ୍ତୀ ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ମହିଳା ସୁରକ୍ଷା ଅଧିକାରୀ ଚନ୍ଦ୍ରା ସାହୁ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.