Home ଓଡ଼ିଶା ନକଲି ମାଓବାଦୀ ନାମରେ ଆକ୍ରମଣ ଘଟଣାରେ ୨ ଗିରଫ

ନକଲି ମାଓବାଦୀ ନାମରେ ଆକ୍ରମଣ ଘଟଣାରେ ୨ ଗିରଫ

115

ଯୋଡା, ୨୮/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବାମେବାରୀ ଥାନା ଅନ୍ତର୍ଗତ ସିଲଯୋଡା ଗ୍ରାମରେ ଗତ ୨୫ ତାରିଖ ଦିନ ୧୨ ଘଟିକା ସମୟରେ ୨୫ ରୁ ୩୦ଜଣ ଯୁବକ ମୁହଁରେ ମୁଖା ପିନ୍ଧି ମାଓବାଦୀଙ୍କ ନାମରେ ସୁଶାନ୍ତ କୁମାର ଖିଲାର ନାମକ ଜଣେ ବ୍ୟକ୍ତିଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ସୁଶାନ୍ତ ଖିଲାର, ତାଙ୍କର ସ୍ତ୍ରୀ ଏବଂ ତାଙ୍କ ବୁଢୀ ମା ଆହତ ହୋଇଥିଲେ । ଏ ନେଇ ବାମେବାରୀ ଥାନାରେ କେଶ ନଂ. ୧୨୮/୨୦ରେ ଏକ ମାମଲା ଋଜୁ ହୋଇଥିଲା । ଏହି ଘଟଣାରେ ବାମେବାରୀ ପୁଲିସ ସିଲଯୋଡା ଗ୍ରାମର ସଞ୍ଜୟ ଲୋହାର ଓ ଦୀପକ ବାର୍ଲାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଖୁବ୍ ଶୀଘ୍ର ଗିରଫ କରିବ ବୋଲି ସୂଚନା ଦେଇଛି । ଘଟଣାରୁ ପ୍ରକାଶ ଯେ, ଘଟଣା ଦିନ ୨୫ରୁ ଉର୍ଦ୍ଧ୍ୱ ଯୁବକ ମୁହଁରେ ମୁଖା ପିନ୍ଧି ଆସି ସଂଘବଦ୍ଧ ଭାବେ ସୁଶାନ୍ତ ଖିଲାରଙ୍କ ଘରେ ପଶି ତାଙ୍କୁ ବାହାରକୁ ଘୋସାଡି ଆଣି ଅଚାନକ ମରଣାନ୍ତକ ଆକ୍ରମଣ କରିଥିଲେ । ଏହା ସହିତ ତାଙ୍କ ସ୍ତ୍ରୀଙ୍କୁ ଅଶାଳୀନ ବ୍ୟବହାର ଓ ବୁଢୀ ମାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଘଟଣାଟିରେ ତାଙ୍କର ଜଣେ ବନ୍ଧୁ ନିର୍ମଳ ପ୍ରଧାନ ଆକ୍ରମଣକାରୀମାନଙ୍କୁ ବାରଣ କରିବାରୁ ସେମାନେ ତାଙ୍କୁ ମଧ୍ୟ ଛାଡିନଥିଲେ । ଆକ୍ରମଣି କରି ସେମାନେ ଫେରିଯିବା ସମୟରେ ଏହି ବିଷୟ ପୁଲିସକୁ କହିଲେ ତାଙ୍କ ଘରେ ନିଆଁ ଲଗାଇଦେବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇ ପରେ ଲାଲ ସଲାମ ଜିନ୍ଦାବାଦ, ମାଓବାଦ ଜିନ୍ଦାବାଦ ସ୍ଲୋଗାନମାନ ଦେଇ ଫେରିଯାଇଥିଲେ । ସୂଚନା ଯୋଗ୍ୟ, ନୂତନ ଖଣି କମ୍ପାନୀମାନେ ବାହାର ରାଜ୍ୟରୁ ଶ୍ରମିକ ଆଣି ଖଣି କାର୍ଯ୍ୟ କରୁଥିବା ବେଳେ ସ୍ଥାନୀୟ ଯୁବକ, ଯୁବତୀମାନଙ୍କୁ ଅଣଦେଖା କରୁଥିବାର ପ୍ରତିବାଦରେ ସୁଶାନ୍ତ କୁମାର ଖିଲାରଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବକ, ଯୁବତୀମାନେ ଖଣି କାର୍ଯ୍ୟରେ ନିଯୁକ୍ତି ନିମନ୍ତେ ପ୍ରତିବାଦ କରିଆସୁଛନ୍ତି । ତେଣୁ ଏହି ଆକ୍ରମଣ ତାଙ୍କର ସ୍ୱରକୁ ଚପାଇଦେବାକୁ ଏକ ପ୍ରୟୋଜିତ ପଦକ୍ଷେପ ବୋଲି ସେ ଅଭିଯୋଗ କରିଥିଲେ । ଖଣି କମ୍ପାନୀଙ୍କ ଗୁଣ୍ଡା ଭାବେ ଆକ୍ରମଣ କରି ଏହାକୁ ମାଓବାଦୀର ରୂପ ଦେବାକୁ ସେମାନେ ପ୍ରୟାଶ କରିଥିଲେ । ଗୁରୁତର ଆହତ ହୋଇ ଖିଲାର ଏବେ ଚିକିତ୍ସାଧିନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.