ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ମତ୍ସ୍ୟପୋତାଶ୍ରୟ ସଭାଗୃହରେ ନେଟଫିସ , ଏମପେଡା ଏବଂ ପାରାଦ୍ୱୀପ ବନ୍ଦର (ସାମାଜିକ ମୁଲ୍ୟବୋଧ ବିଭାଗ)ର ମିଳିତ ସହଯୋଗରେ ଏକ ୨ଦିନିଆ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ତଥା ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଧାମରା ଅଂଚଳର ୨ଟି ସ୍ୱୟଂ ସହାୟିକା ଗୋଷ୍ଠୀର ୫୦ଜଣ ମହିଳା ଅଂଶ ଗ୍ରହଣ କରିଥିଲେ। ଏହି ମହିଳା ମାନେ ନିଜେ କିପରି ଆତ୍ମନିର୍ଭରଶୀଳ ହୋଇ ପାରିବେ ସେଥିପାଇଁ ବିଭିନ୍ନ ପ୍ରକାର ସାମୁଦ୍ରିକ ମାଛ ଓ ଚିଙ୍ଗୁଡିରୁ ମୂଲ୍ୟଯୁକ୍ତ ଖାଦ୍ୟ(ଫାଷ୍ଟଫୁଡ) ପ୍ରସ୍ତୁତ ଶିକ୍ଷା ପ୍ରଦାନ କରାଯାଇଥିଲା। ଏମପେଡାର ତାଲିମକାରୀ ମାନେ ଆସି ଏହି ମହିଳାମାନଙ୍କୁ ଫିସ ଫିଙ୍ଗର, ଫିସ କଟଲେଟ, ଚିଙ୍ଗୁଡି ଏବଂ ମାଛ ଆଚାର, ନୋକାସି, ଚିଙ୍ଗୁଡି ବଟରଫ୍ଲାଏ ଆଦି ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି ତାଲିମ ପ୍ରଦାନ କରିଥିଲେ। ପରେ ସଂପୃକ୍ତ ମହିଳା ମାନେ ନିଜେ ଏହି ଖାଦ୍ୟ ପ୍ରସ୍ତୁତି କରିବା ସହ ଆଜିର ଖାଦ୍ୟ ପ୍ରଦର୍ଶନୀରେ ଭାଗ ନେଇଥିଲେ। ଯୋଗ ଦେଇଥିବା ମହିଳା ମାନେ ଆଗାମୀ ଦିନରେ କେନ୍ଦ୍ର ତଥା ରାଜ୍ୟ ସରକାର ଏବଂ ଧାମରା ବନ୍ଦର(ଆଦାନୀ) ପକ୍ଷରୁ ପ୍ରୋତ୍ସାହନ ମିଳିଲେ ସେମାନେ ନିଜ ଗୋଡରେ ଛିଡା ହେବା ସହ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଭାରତର ଏକ ଅଂଶ ହୋଇ ପାରିବେ ବୋଲି ମତ ପ୍ରକାଶ ପାଇଥିଲା। ୨ ଦିନ ଧରି ଚାଲିଥିବା ଏହି କର୍ମଶାଳା ତଥା ପ୍ରଶିକ୍ଷଣ ଶିବିରରେ ଏମପେଡାର ଡେପୁଟି ଡାଇରେକ୍ଟର ଅର୍ଚିମାନ ଲାହିରୀ, ଏମପେଡାର ରାଜ୍ୟ ସଂଯୋଜକ ଶୁଭ୍ରକାନ୍ତ ମହାପାତ୍ର, ପଶ୍ଚିମବଙ୍ଗ ରାଜ୍ୟ ସଂଯୋଜକ ଅତନୁ ରାୟ, ଦେବ ପ୍ରସାଦ ଆଚାର୍ଯ,ପ୍ରଭାତ କୁମାର ବେହେରା, ଜଗନ୍ନାଥ ସ୍ୱାଇଁ, ଧାମରା ମତ୍ସ୍ୟଜିବୀ ସଂଘର ସଂପାଦକ ସୁଦର୍ଶନ ଲେଙ୍କା, ସଭାପତି ଅଶୋକ ଜାନା, ପ୍ରଫୁଲ ମଣ୍ଡଳ, ଉପଦେଷ୍ଟା ଅଭିମନ୍ୟୁ ରାଉତ ଏବଂ ଧାମରା ପଂଚାୟତର ୨ଟି ସ୍ୱୟଂ ସହାୟିକା ଗୋଷ୍ଠୀର ୫୦ ମହିଳା ଅଂଶ ଗ୍ରହଣ କରିବା ସହ ତାଲିମ ନେଇଥିଲେ।