Home ଜିଲ୍ଲା ପରିକ୍ରମା ଧାମନଗର ବନ୍ୟାଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ

ଧାମନଗର ବନ୍ୟାଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ

74

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବନ୍ୟାରେ ଧାମନଗର ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବୈତରଣୀ, କୋଚିଳା, ଗେଙ୍ଗୁଟି, ରେବ ଓ କପାଳି ନଦୀରେ ଭୟଙ୍କର ବନ୍ୟା ଓ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଧାମନଗର ବ୍ଲକର ପ୍ରାୟ ୨୭ ପଞ୍ଚାୟତ ପ୍ରଭାବିତ ହୋଇଥିଲା । ଏହି ପଞ୍ଚାୟତ ମାନଙ୍କରେ ଚାଷଜମି, ଘରଦ୍ୱାର, ରାସ୍ତାଘାଟ ଆଦି କ୍ଷତିଗ୍ରସ୍ତ ଘଟିଛି । ବନ୍ୟା ପରେ ଆଜି କେନ୍ଦ୍ରୀୟ ଟିମ ଧାମନଗର ଅଂଚଳର ବିଭିନ୍ନ ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି । କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ପିଡ୍ଲୁଡିର ସୁପରିଟେଣ୍ଡ ଇଞ୍ଜିନିୟର ଅମ୍ରିତ ପାଲସିଂ, ରାଜ୍ୟ କୃଷି ବିଭାଗ ନିର୍ଦେଶକ ଏମ ମୁଥୁ କୁମାର, ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀ ଯୁଗଳକିଶୋର ତ୍ରିପାଠୀ ପ୍ରମୁଖ ଧାମନଗର ବନ୍ୟାଞ୍ଚଳ ଗସ୍ତ କରିଛନ୍ତି । ପ୍ରଥମେ ଏହି ଟିମ ଧାମନଗର ବ୍ଲକ ଛକରୁ ରାଧାବଲ୍ଲଭପୁର ଦେଇ ବୟାଙ୍ଗଡିହ ପଞ୍ଚାୟତ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଛନ୍ଧାସାହି, ଗୁଡୁପୋଖରୀ, ନୂଆଗାଁ ଆଦି ଅଂଚଳର କ୍ଷତିଗ୍ରସ୍ତ ଚାଷଜମି ଓ ବୟାଙ୍ଗଡିହସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଥିଲେ । ସେହିପରି କୋଠାର, ମିର୍ଗାହାଟକୂଳ ଓ ଫତେପୁର ପଞ୍ଚାୟତ ଲେଞ୍ଜରା ଗାଁକୁ ଯାଇଁ ବନ୍ୟାରେ ନଷ୍ଟ ହୋଇଥିବା ଘର, ସଡକ ଓ କୃଷି ଆଦି ସଂପର୍କରେ ଦେଖିବା ସହିତ କେତେକ ଲୋକଙ୍କ ସହିତ କ୍ଷୟକ୍ଷତି ସଂପର୍କରେ ଏହି ଟିମ ଆଲୋଚନା କରିଥିଲେ । ଭଦ୍ରକ ଜିଲାପାଳ ଡ.ଜ୍ଞାନ ଦାସ ଏହି ଟିମ ସହିତ ଉପସ୍ଥିତ ରହି କ୍ଷୟକ୍ଷତି ସଂପର୍କରେ ରିପୋର୍ଟ ଦେଇଥିଲେ । ଏହି ଗସ୍ତରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପ୍ରକଳ୍ପ ନିର୍ଦେଶକ ମଧୁସୂଦନ ଦାସ, ଜଳ ସଂପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ, ଜିଲା କୃଷି ଅଧିକାରୀ ପ୍ରସାଦ ନାୟକ, ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଗୋଲେକ ଚନ୍ଦ୍ର ବେହେରା, ବ୍ଲକ କୃଷି ଅଧିକାରୀ ଭାସ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.