Home ଜିଲ୍ଲା ପରିକ୍ରମା ଧାମନଗର:ବିଭିନ୍ନ ସ୍ଥାନରେ ରାହାସ ଉତ୍ସବ

ଧାମନଗର:ବିଭିନ୍ନ ସ୍ଥାନରେ ରାହାସ ଉତ୍ସବ

8

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ରାହାସ ପୂର୍ଣ୍ଣିମା ପାଳିତ। ହୋଇଛି । ଏକ ମାସ ଧରି ହବିଷ୍ୟାଳି ମାନେ ପଂଚକ ବ୍ରତ ରଖି ବୁଧବାର ବ୍ରତ ଶେଷ କରିଛନ୍ତି । ବୁଧବାର ଭୋରରୁ ବୈତରଣୀ ନଦୀରେ ବିଭିନ୍ନ ଅଂଚଳରୁ ସହତ୍ସାଧିକ ବ୍ରତଧାରୀ ଓ ଶ୍ରଦ୍ଧାଳୁ ପହଂଚି ନଦୀରେ ବୁଡ ପକାଇ ଡଙ୍ଗା ଭସାଇଥିଲେ । ଦେହୁଡି ଆନନ୍ଦପୁର ପଂଚାୟତସ୍ଥିତ ପଣସମାହାରା, ମାନଲାପୁର ଓ ସୋହଡା ପଂଚାୟତ ଷେଣ୍ଢପୁର ଆଦି ନଦୀକୂଳରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତି ନିର୍ମାଣ କରାଯାଇ ପୂଜାର୍ଚ୍ଚନା ହେଉଛି। ମାନଲାପୁର ଏ ଗ୍ରୁପ ପୂଜା କମିଟି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତି ନିର୍ମାଣ କରାଯାଇ ସେଠାରେ ଦୀର୍ଘ ୫୨ ବର୍ଷ ଧରି ପୂଜା କରାଯାଉଛି। ଆଜିଠାରୁ ୧୦ ଦିନ ଧରି ମାନଲାପୁର ପୂଜା ମଣ୍ଡପରେ ଭଜନ ପରିବେଷଣ ସହିତ ପ୍ରବଚନ, ମେଲୋଡି, ଭଜନସନ୍ଧ୍ୟା ଓ ଅପେରା ସହିତ ମୀନାବଜାର ମେଳା ଆଦି କାର୍ଯ୍ୟକ୍ରମ କରାଯାଉଛି। ସେହିପରି ଷେଣ୍ଢପୁରସ୍ଥିତ ବୈତରଣୀଶ୍ୱରୀ ପାଲା କମିଟି ଆନୁକୂଲ୍ୟରେ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ହେଉଛି। ଚଳିତ ବର୍ଷ ଅନୁଷ୍ଠାନ ୫୦ ବର୍ଷ ପୂତି ପାଳନ କରୁଥିବାରୁ ବିଭିନ୍ନ ଦିବସରେ ପ୍ରବଚନ, ବାଦିପାଲା, ମେଲୋଡି ଆଦି କାର୍ଯ୍ୟକ୍ରମ ଦଶଦିନ ଧରି ଆୟୋଜନ କରାଯାଇଛି। ହବିଷ୍ୟାଳି ଓ ଶ୍ରଦ୍ଧାଳୁ ମାନେ ଏସବୁ ସ୍ଥାନରେ ପୂଜା ପାଉଥିବା ରାଧାକୃଷ୍ଣ ମୂର୍ତି ସହିତ ହରିହର ମହାଦେବ, ଝାଡେଶ୍ୱର, ଜଗତେଶ୍ୱର ମହାଦେବ, ଶନି ମନ୍ଦିର ଓ ଜଗନ୍ନାଥ ମଠରେ ପହଂଚି ଦର୍ଶନ କରିଥିଲେ। ସେହିପରି ଅନ୍ୟ ପୂଜା ମଣ୍ଡପ ଗୁଡିକରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବ୍ଲକର ବିଭିନ୍ନ ଦେବାଳୟ ମାନଙ୍କରେ ଆଜି ଶ୍ରଦ୍ଧାଳୁଙ୍କ ଗହଳି ରହିଥିବା ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.