Home ଜିଲ୍ଲା ପରିକ୍ରମା ଧାନ ବୋଝେଇ ଟ୍ରକ ଥାନାରେ ଅଟକ

ଧାନ ବୋଝେଇ ଟ୍ରକ ଥାନାରେ ଅଟକ

40

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ରାତିରେ ଚାଷୀମାନଙ୍କ ଠାରୁ ଅଭିଯୋଗ ପାଇ ଆଗରପଡ଼ା ପୋଲିସ ଏକ ଧାନ ବୋଝେଇ ଟ୍ରକକୁ ଥାନାରେ ଅଟକ ରଖିଛି । ଏହି ଖବର ପାଇ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଓ ବ୍ଲକ ମାର୍କେଟିଂ ଇନ୍ସପେକ୍ଟର ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଗତକାଲି ରାତିରେ କାଦବରାଙ୍ଗ ପଂଚାୟତ ସ୍ଥିତ ଭଗାରାମ ଗ୍ରାମର ଚାଷୀମାନେ ଓଆର-୨୨ସି-୦୭୫୯ନମ୍ବର ବିଶିଷ୍ଟ ଏକ ଟ୍ରକରେ ଧାନବସ୍ତା ଭର୍ତ୍ତି ହୋଇଯାଉଥବାର ଦେଖିବାକୁ ପାଇଥିଲେ । ଏହା ଦେଖି ଚାଷୀମାନେ ଟ୍ରକ କୁ ଅଟକାଇ ବୁଝାବୁଝି କରିବାରୁ ଡ୍ରାଇଭର ପୁରୁଷଣ୍ଢ ସେବା ସମବାୟ ସମିତି ଚାଲାଣ ଦେଖାଇ ଥିଲେ । ଏହି ଚାଷୀମାନେ ନିଜ ଧାନ ବିକ୍ରି ପାଇଁ ସମିତିରୁ ଟୋକନ ପାଇ ଥିଲେ ସୁଦ୍ଧା ତାଙ୍କ ଧାନକୁ ସମିତି ନ ନେଇ ରାତି ଅଧିଆ ଅନ୍ୟ ଚାଷୀମାନଙ୍କ ଧାନ କିପରୀ ଉଠୁଛି ବୋଲି ସନ୍ଦେହ ପ୍ରକାଶ କରିଥିଲେ । ଏହାର ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ଚାଷୀମାନେ ଥାନାକୁ ଖବର ଦେଇଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଧାନ ବୋଝେଇ ଟ୍ରକକୁ ଥାନାରେ ଆଣି ଅଟକ ରଖିଛି । ଚାଷୀମାନେ ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଜଣାଇବା ପରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଓ ବନ୍ତ ମାର୍କେଟିଂ ଇନ୍ସପେକ୍ଟର ଘଟଣାସ୍ଥଳରେ ପହଂଚି ଟ୍ରକ ଡ୍ରାଇଭରଙ୍କୁ ଏସଂପର୍କରେ ପଚରାଉଚରା କରିଥିଲେ । ପରେ ସମିତି କାର୍ଯ୍ୟାଳୟରେ ପହଂଚି ଉପରୋକ୍ତ ଅଧିକାରୀ ଦ୍ୱୟ କାଗଜପତ୍ର ଯାଂଚ କରିଥିଲେ । ସଂପୃକ୍ତ ଟ୍ରକକୁ କୈାଣସି ଚାଲାଣ ଇସ୍ୟୁ କରାଯାଇ ନାହିଁ ଏବଂ ସମବାୟ ସମିତିକୁ ବଦନାମ କରାଯାଉଛି ବୋଲି ସମିତି ସଂପାଦକ ନିତ୍ୟାନନ୍ଦ ନାୟକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିବା ସହ ଥାନାରେ ଏଥି ନେଇ ଏକ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଥିଲେ । ତୁରନ୍ତ ଏହାର ନିରପେକ୍ଷ ତଦନ୍ତ କରାଯାଇ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆଣିବା ପାଇଁ ସ୍ଥାନୀୟ କାଦବରାଙ୍ଗ ଅଂଚଳର ଯୁବନେତା ବିଷ୍ଣୁ ଦାସ, ବାସୁଦେବ ଯେନା, ସମିତିସଭ୍ୟ ରମେଶ ପହି, ସନାତନ ସାହୁ ପ୍ରମୁଖ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.