Home ଓଡ଼ିଶା ଧାନ ଜମିରେ ପାଣି ନାହିଁ ଚିନ୍ତାରେ ଚାଷୀ। କଟକ-ପାରାଦ୍ୱୀପ ରାଜରାସ୍ତା ଅବରୋଧ ପାଇଁ ଆନ୍ଦୋଳନର ଧମକ

ଧାନ ଜମିରେ ପାଣି ନାହିଁ ଚିନ୍ତାରେ ଚାଷୀ। କଟକ-ପାରାଦ୍ୱୀପ ରାଜରାସ୍ତା ଅବରୋଧ ପାଇଁ ଆନ୍ଦୋଳନର ଧମକ

245

ଜଗତସିଂହପୁର, ୧୭ା୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) : କୃଷି ଓ କୃଷକ ମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଥିବା ବେଳେ ପ୍ରକୃତରେ କୃଷି ଓ କୃଷକର ପ୍ରକୃତ ଉନ୍ନତି ହୋଇପାରୁ ନଥିବା ଏବେ ଦେଖିବାକୁ ମିଳିଛି। ସ୍ୱାଧୀନତାର ୭୦ବର୍ଷ ପରେ ମଧ୍ୟ ପ୍ରତ୍ୟେକ ଚାଷ ଜମିକୁ ଜଳସେଚନ କରାଯାଇ ପାରିଲାନାହିଁ। ଠିକ ସମୟରେ ଚାଷଜମିକୁ ସରକାର ପାଣି ଯୋଗାଇ ଦେଇପାରୁ ନାହାଁନ୍ତି। ଫଳରେ ଚାଷୀକୂଳ ଚିନ୍ତାରେ ପଡିଛନ୍ତି। ତାଳଦଣ୍ଡା କେନାଲ, ମାଛଗାଁ କେନାଲ ଓ ଏହାର ଶାଖା କେନାଲରେ ଏପର୍ଯ୍ୟନ୍ତ ଜଳସମ୍ପଦ ବିଭାଗ ପାଣି ଛାଡି ନାହିଁ। ବର୍ଷା ଉପରେ ଚାଷୀ ଯଦିଓ ନିର୍ଭର କରୁଛି ତଥାପି ବର୍ଷାର ଦେଖାନାହିଁ। କେନାଲ ପାଣି ଓ ବର୍ଷାକୁ ଚାହିଁ ଖରିଫ ଧାନଫସଲ ନିମନ୍ତେ ଚାଷୀ ଧାନତଳି ପକାଇଥିଲେ। ପାଣି ବିନା ଏହି ଧାନତଳି ଫସଲ ଏବେ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି। ଅଧିକାଂଶ ଚାଷୀ କେନାଲରେ ପାଣି ଆସିନଥିବାରୁ ଧାନବିହନ ଧରି ବସିଛନ୍ତି। କେନାଲରେ ପାଣି ଆସିଲେ ଚାଷ ଜମିରେ ମାଡିବାପରେ ସେମାନେ ଧାନବିହନକୁ ଗଜା କରି ତଳି ପକାଇବେ। ମାତ୍ର ଏପର୍ଯ୍ୟନ୍ତ ଶାଖା କେନାଲ ଗୁଡିକ ସଫେଇ କରାଯାଇନାହିଁ। ତାଳଦଣ୍ଡା ମୁଖ୍ୟ କେନାଲରେ ମଧ୍ୟ ପାଣି ଛଡାଯାଇନାହିଁ। ପ୍ରକାଶ ଥାଉକି, ଜଳସମ୍ପଦ ବିଭାଗ ମହାନଦୀ ସାଉଥ୍ ଡିଭିଜନ ଅଧିନରେ ଥିବା ତାଳଦଣ୍ଡା ମୁଖ୍ୟ କେନାଲରୁ ବାହାରି ଥିବା ଶାଖା କେନାଲ ଗୁଡିକ ଏପର୍ଯ୍ୟନ୍ତ ସଫେଇ କରାଯାଇନାହିଁ। ତାଳଦଣ୍ଡା ମୁଖ୍ୟ କେନାଲରୁ କଂଟୁଆରରୁ କୁଆମଙ୍ଗା ପର୍ଯ୍ୟନ୍ତ ଯାଇଥିବା ଶାଖା କେନାଲଟିର ଶଯ୍ୟା ଆଜକୁ ୭୦ବର୍ଷ ହେଲା ଖୋଳା ଯାଇନାହିଁ। ଫଳରେ ଏହି ଶାଖା କେନାଲଟିର ଶଯ୍ୟା ସମ୍ପୂର୍ଣ୍ଣ ପୋତି ହୋଇଗଲାଣି। ପ୍ରତିବର୍ଷ ଏହି କେନାଲରେ କେବଳ ଘାସ ଚଂଛାଯାଇ ଲକ୍ଷଲକ୍ଷ ଟଙ୍କାର ବିଲ କରାଯାଉଥିଲେ ମଧ୍ୟ ଏହି କେନାଲର ଅଧିକାଂଶ ଚାଷ ଜମିକୁ ଜଳସେଚନ ହୋଇପାରୁନାହିଁ। ଚଳିତ ବର୍ଷ ଜୁଲାଇ ମାସ ୧୬ ତାରିଖ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି କେନାଲଟି ସଫେଇ କରାଯାଇନାହିଁ। ସେହିପରି ସୋମପୁର ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଅଧିନରେ ଥିବା ତାଳଦଣ୍ଡା ମୁଖ୍ୟକେନାଲରୁ ବାହାରିଥିବା ୫ନମ୍ବର ଶାଖା କେନାଲ, ୬ନମ୍ବର ଶାଖା କେନାଲ, ୭ନମ୍ବର କ, ଖ, ଗ ଶାଖା କେନାଲ, ୮ନମ୍ବର କ, ଖ, ୯ନମ୍ବର ଏବଂ ୧୦ ନମ୍ବର ଶାଖା କେନାଲରେ ଏପର୍ଯ୍ୟନ୍ତ ସଫେଇ କରାଯାଇନାହିଁ। ରଘୁନାଥପୁର ବ୍ଲକର ୧୯ଗୋଟି ଗ୍ରା.ପ.ରେ ୫ହଜାର ହେକ୍ଟରରୁ ଉର୍ଦ୍ଧ୍ୱ ଚାଷଜମିରେ ଏପର୍ଯ୍ୟନ୍ତ ଜଳସେଚନ ହୋଇପାରିନାହିଁ। ଚାଷୀକୂଳ ଖରିଫ ଧାନଫସଲ ଉପରେ ନିର୍ଭର କରିଥାନ୍ତି। ବିଶେଷ କରି ହଜାର ହଜାର ଚାଷୀ ଏହି ଖରିଫ ଧାନଫସଲ ଦ୍ୱାରା ନିଜ ପରିବାରର ୧ବର୍ଷ ଭରଣ ପୋଷଣ କରିଥାନ୍ତି। ଏପର୍ଯ୍ୟନ୍ତ କୌଣସି କେନାଲରେ ପାଣି ଛଡା ଯାଇନଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରଘୁନାଥପୁର ଗ୍ରା.ପ.ର ଚାନ୍ଦପୁର, ସୁଦ୍ଧାଭୂମି, ଘୁଷୁରି ପଡିଆ, ଖଜୁରିଆ ମୁହଁ, ବାଛୁରିଆ ପଡା, ବସନ୍ତା, କୋଟକଣା, ବିରାଟ କଟକ, ଧରାଧରପୁର, କନ୍ଦରାପାଟୀ, ସାଦେଇପୁର, ଅଢେଇକୂଳ, ରେଢୁଆ, ତାରପୁର, ଚିକିଣିଆ, ହରିଶପୁର, ଗୋକୁଳପୁର, ଜଇପୁର, ଛପଡା, ଅନନ୍ତପୁର, କଳାଧାରୀ, ନେଉଳିଆ, ଅଚୁୂ୍ୟତପୁର, ବିଦ୍ୟାଦରପୁର, ଗୁଆଳିପୁର, ବର୍ତ୍ତୀ, କୁର୍ତାଙ୍ଗ, କୁଳସାହି, ଗୋପାଳପୁର, ଭାସିଲପୁର, ପୁରଣ ଓଡପଡା, ରାଧାନଗର, ଜଗନ୍ନାଥପୁର, ଗୋଠିଣା, ବରାଗୋଳ ଆଦି ଶହଶହ ଗ୍ରାମର ଚାଷଜମି ଶୁଖିଲା ପଡିଛି।ଆଷାଢ ମାସରେ ଆକାଶରେ ବର୍ଷା ନାହିଁ, ବୈଶାଖ ମାସ ପରି ଟାଣ ଖରାରେ ଯେଉଁ ଚାଷୀମାନେ ଖରିଫ ଧାନବିହନ ତଳି ପକାଇଥିଲେ ଉକ୍ତ ଚାଷଜମି ସମ୍ପୂର୍ଣ୍ଣ ଫାଟି ଆଁ କରିଛି। ଏହି ଧାନତଳି ଅଧିକାଂଶ ସ୍ଥାନରେ ମରିଗଲାଣି। ତୁରନ୍ତ ଶାଖା କେନାଲ ଗୁଡିକରେ ପାଣି ନଆସିଲେ ହଜାର ହଜାର ଚାଷୀ କଟକ-ପାରାଦ୍ୱୀପ ରାଜରାସ୍ତାରେ ରାସ୍ତାରୋକ ଆନ୍ଦୋଳନ କରିବେ ବୋଲି କୃଷକନେତା ଇଂ ବାବାଜୀ ଜେନା, କୃଷକ ଜୟରାମ ରାଉତ, କୃଷକ ତପନ କୁମାର ସାହୁ, ଶେଷଦେବ ରାଉତ, ନୃସିଂହ ରାଉତ, ରମେଶ ପାତ୍ର, କେଶବ ସାହୁ, ସୁକାନ୍ତ କୁମାର ମହାପାତ୍ର, ଗଣେଶ୍ୱର ଓଝା, ଶରତ ଜେନା, ରମାରଂଜନ ସ୍ୱାଇଁ, ଫକୀର ଚରଣ ଜେନା ପ୍ରମୁଖ ହଜାର ହଜାର ଚାଷୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.