Home ଜିଲ୍ଲା ପରିକ୍ରମା ଧାନଗଛ ପରିବର୍ତ୍ତେ ଚାଷଜମିରେ ବାଳୁଙ୍ଗା ଭୟ, ସେକ୍ରେଟାରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ବିଶେଷଜ୍ଞ ଦଳଙ୍କ ପରିଦର୍ଶନ

ଧାନଗଛ ପରିବର୍ତ୍ତେ ଚାଷଜମିରେ ବାଳୁଙ୍ଗା ଭୟ, ସେକ୍ରେଟାରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ବିଶେଷଜ୍ଞ ଦଳଙ୍କ ପରିଦର୍ଶନ

82

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାଷୀଙ୍କ ଆର୍ଥିକ ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଚାଲିଛନ୍ତି। ଯୋଜନାର ପ୍ରଚାର ପ୍ରସାର ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି ଯୋଜନା ଗୁଡିକର ସଫଳତା ଚାଷୀଙ୍କ ନିକଟରେ ପହଞ୍ଚି ପାରୁନାହିଁ। କାଳିଆ, ବଳିଆ ଯୋଜନା, ମାଗଣା କିମ୍ବା ସବ୍‌ସିଡି୍‌ରେ ସାର, ବାହନ ଓ ଟ୍ରାକ୍ଟର ଆଦି ଯୋଗାଇ ଦେବାର ସରକାରୀ ବ୍ୟବସ୍ଥା ରହିଛି। ତେବେ ଏହାର କାର୍ଯ୍ୟକାରିତା ସମୟରେ ଯୋଜନା ଗୁଡିକ ବାଟବଣା ହୋଇଯାଉଛି। ଚାଷୀ ଯୋଜନାର ସ୍ୱାଦୁ ପାରିପାରୁନାହିଁ। ସରକାରୀ ବିହନ (କଳାଚମ୍ପା) ଧାନ କିସମ ନେଇ ଚାଷ କରିବା ପରେ ଏବେ ଜମିରେ ଧାନଗଛ ପରିବର୍ତ୍ତେ ବାଳୁଙ୍ଗାମୟ ହୋଇପଡିଛି। ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଭୂଇଁବୃତ୍ତି ଓ ମହୁଲିଆ ପଞ୍ଚାୟତର କେତେକ ଚାଷୀ କଳାଚମ୍ପା ଧାନବିହନ ଓଡ଼ିଶା ବିହନ ନିଗମର ସ୍ୱୀକୃତିପ୍ରାପ୍ତ ଡିଲରଙ୍କ ଠାରୁ କିଣି ଚାଷ କରିଥିଲେ। ଅମଳ ବେଳକୁ ଏହି ବିହନ ଧାନଗଛ ପରିବର୍ତ୍ତେ ଚାଷଜମି ବାଳୁଙ୍ଗାମୟ ହୋଇପଡିଛି। ଏଭଳି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଚାଷୀମାନେ ଏବେ ଚିନ୍ତାରେ ପଡିଛନ୍ତି।

ସାର, କୀଟନାଶକ ଔଷଧ ପ୍ରୟୋଗ କରି ଭଲ ଅମଳ ହେବାକୁ ଆଶା କରିଥିବା ଚାଷୀ ଏବେ ସଂକଟରେ ପଡିଛି। କ୍ଷତିଗ୍ରସ୍ତ ଚାଷୀମାନେ ବ୍ଲକ୍ କୃଷି ଅଧିକାରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ସମ୍ବେଦନଶୀଳ ଅଭିଯୋଗକୁ ପ୍ରଶାସନ ଅଣଦେଖା କରିଥିଲେ। ପରବର୍ତ୍ତୀ ସମୟରେ ଚାଷୀଙ୍କ ଏହି ସମସ୍ୟା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ କୃଷି ବିଭାଗ ସେକ୍ରେଟାରୀ ଏବେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେକ୍ରେଟାରୀଙ୍କ ଏହି ନିର୍ଦ୍ଦେଶ ପାଇବା ପରେ ଜିଲା କୃଷି ବିଭାଗ ତତ୍ପର ହୋଇପଡିଛି। ଗତକାଲି ଏକ ବିଶେଷଜ୍ଞ ଦଳ ସଂପୃକ୍ତ ଅଂଚଳକୁ ଯାଇ ଅଭିଯୋଗ ସଂପର୍କିତ କ୍ଷତିଗ୍ରସ୍ତ ଚାଷୀଙ୍କ ଚାଷଜମି ଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ବିଶେଷଜ୍ଞ ଦଳ ମଧ୍ୟରେ ମୁଖ୍ୟ ଜିଲା କୃଷି ଅଧିକାରୀ ତରୁଣ କୁମାର ଛୋଟରାୟ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଅରବିନ୍ଦ ଦାସ, ଭଦ୍ରକ ଜିଲା କୃଷି ଅଧିକାରୀ ଅଶୋକ କୁମାର କର, ଚାନ୍ଦବାଲି ବ୍ଲକ୍ କୃଷି ଅଧିକାରୀ ଅରୁଣ କୁମାର ପାତ୍ର ସାମିଲ ଥିଲେ। ବିଶେଷଜ୍ଞ ଦଳ ପରିଦର୍ଶନ କରିବା ପରେ ସଂପୃକ୍ତ ଚାଷୀମାନଙ୍କୁ ଆସନ୍ତା ବର୍ଷରେ ଭଲ ଚାଷ ପାଇଁ ସଂପୂର୍ଣ୍ଣ କ୍ଷେତକୁ ଭଲ ଭାବେ ବାଳୁଙ୍ଗାମୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.