Home ଜିଲ୍ଲା ପରିକ୍ରମା ଦୋଳସାହି ମାଛହାଟ ଉଚ୍ଛେଦ : ୧୬ ବ୍ୟବସାୟୀ ଜୀବିକା ହରାଇଲେ

ଦୋଳସାହି ମାଛହାଟ ଉଚ୍ଛେଦ : ୧୬ ବ୍ୟବସାୟୀ ଜୀବିକା ହରାଇଲେ

80

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି ବ୍ଲକ୍ ଅନ୍ତର୍ଗତ ଦୋଳସାହି ଗେଟ୍ ବଜାରେ ଥିବା ବହୁ ପୁରାତନ ମାଛ ହାଟକୁ ସ୍ଥାନୀୟ ପ୍ରଶାସନ ଉଚ୍ଛେଦ କରିଛି । ଏହି ଉଚ୍ଛେଦ ଯୋଗୁଁ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ହେବ ପରିବାର ପ୍ରତିପୋଷଣ କରୁଥିବା ୧୬ ମାଛ ବ୍ୟବସାୟୀ ନିଜର ଜୀବିକା ହରାଇଛନ୍ତି । ଦୋଳସାହି ଗେଟ୍ ବଜାରସ୍ଥିତ ଭଦ୍ରକ-ଚାନ୍ଦବାଲି ରାସ୍ତା ପାର୍ଶ୍‌ବ ସରକାରୀ ଜମିରେ ପ୍ରାୟ ୩୦ ବର୍ଷ ଧରି ୧୬ ଜଣ ବ୍ୟବସାୟୀଙ୍କୁ ନେଇ ଏକ ମାଛ ହାଟ ଚାଲି ଆସୁଥିଲା । ଏହି ହାଟ ଉପରେ ପ୍ରତିଦିନ ହଜାର ହଜାର ଲୋକ କାରବାର କରୁଥିଲେ । ତେବେ ଏହି ହାଟ ପଛକୁ ଲାଗିଥିବା ଏକ ବ୍ୟକ୍ତିଗତ ଜାଗାକୁ ୩ ଜଣ ଲୋକ କିଣି ଏଠାରେ ବ୍ୟବସାୟ କରିବା ପାଇଁ ଗୃହ ନିର୍ମାଣ କରିଥିଲେ । ତେବେ ସେମାନଙ୍କ ଘରକୁ ଯାତାୟତ ପାଇଁ ଏହି ମାଛହାଟ ଅବରୋଧ କରୁଥିବା ନେଇ ସଂପୃକ୍ତ ୩ ବ୍ୟକ୍ତି ତହସିଲଦାର୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ପରେ ତହସିଲ ପକ୍ଷରୁ ଏଠାରୁ ମାଛହାଟ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏଠାରୁ ମାଛହାଟ ହଟାଇବା ପାଇଁ ବ୍ୟବସାୟୀଙ୍କୁ ବାରମ୍ବାର ତହସିଲ ପକ୍ଷରୁ ନୋଟିସ୍ କରାଯାଇଥିଲା । ଦୀର୍ଘ ୩୦ ବର୍ଷ ଧରି ଏଠାରୁ ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀମାନେ ମାଛ ହାଟ ନଭାଙ୍ଗିବାକୁ ତହସିଲଦାରଙ୍କୁ ନିବେଦନ କରିଥିଲେ । ଅପର ପକ୍ଷେ ଯଦି ଏଠାରୁ ହାଟ ଉଠାଯାଉଛି, ତେବେ ଅନ୍ୟତ୍ର ତାଙ୍କୁ ଥଇଥାନ କରିବାକୁ ମଧ୍ୟ ବ୍ୟବସାୟୀମାନେ ନିବେଦନ କରିଥିଲେ । ମାତ୍ର ଏହି ବ୍ୟବସାୟୀଙ୍କୁ ବିନା ଥଇଥାନରେ ପ୍ରଶାସନ ୩୦ ବର୍ଷର ହାଟକୁ ଭାଙ୍ଗି ଦେଇଥିବାରୁ ୧୬ ପରିବାରକୁ ଜୀବିକା ହରାଇବାକୁ ପଡିଛି । ଉଚ୍ଛେଦ ସମୟରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲେ ମଧ୍ୟ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ଘଟିନାହିଁ । ଅପରପକ୍ଷେ ଉଚ୍ଛେଦ ହୋଇଥିବା ଏହି ବ୍ୟବସାୟୀଙ୍କୁ ଥଇଥାନ ପାଇଁ ସାଧାରଣରେ ଦାବି କରାଯାଇଛି । ଏହି ଉଚ୍ଛେଦ ବେଳେ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ତିହିଡି ଥାନା ଅତିରିକ୍ତ ଅଧିକାରୀ ତପନ କୁମାର ପ୍ରଧାନ, ଏସଆଇ ବନମାଳି ବାରିକ, ସ୍ମୃତିରଂଜନ ନାୟକ, ଏଏସ୍‌ଆଇ ସୁନିତା ହେମ୍ବ୍ରମ୍‌, ରାଜସ୍ୱ ନିରୀକ୍ଷକ ଇତିଶ୍ରୀ ଖଟୁଆଙ୍କ ସମେତ ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.