ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ନୂଆବର୍ଷ ନୁହେଁ ମହାବିଷୁବ ସଂକ୍ରାନ୍ତୀ ରାଷ୍ଟ୍ରିୟ ସଂସ୍କୃତିର ନୂଆବର୍ଷ ରୂପେ ପ୍ରତିଭାତ । ଯେହେତୁ ଆମ ରାଶି ଚକ୍ରରେ ଏହା ମେଷରାଶି ପ୍ରାରମ୍ଭରୁ ପାଳିତ ହୋଇଥାଏ । ଏ କ୍ଷେତ୍ରରେ ଆମେ ସମସ୍ତେ କଳିଯୁଗର ଯୁଗବତାରୀ ପୁରୁଷ ଶ୍ରୀ ଜଗନ୍ନାଥଙ୍କୁ ଆପଣେଇ ପାରିଲେ ଦୁନିଆରୁ ସମସ୍ତ ଦୁଃଖ ଦୂରିଭୂତ ହୋଇ ପାରିବ ବୋଲି ତିହିଡ଼ି ବ୍ଲକସ୍ଥ ଆରୁହା ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ “ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତି” ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କୁ ଆରାଧନା ସହ ଆୟୋଜିତ ଆଧ୍ୟାତ୍ମିକ ସଭାରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ମହାବିଷୁବ ସଂକ୍ରାନ୍ତୀ ଉପଲକ୍ଷେ ପୂର୍ବାହ୍ନରେ ଦ୍ୱାରାପାଳ ପୂଜା, ସୂର୍ଯ୍ୟପୂଜା, ଗୋପୂଜନ ସମେତ ଶ୍ରୀ ଜଗନ୍ନାଥଙ୍କ ଷୋଢ଼ଶ ଉପଚାର ପୂଜା, ବିଶ୍ୱ ଶାନ୍ତି ମହାଯଜ୍ଞ, ଜଳଛତ୍ର ପ୍ରଦାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୪ ଘଟିକା ସମୟରେ ଦିବ୍ୟ ଚେତନା ଅଭିଜାନ ସହ ଭକ୍ତିଚେତନା ମଂଚ ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗୀରଥି ନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକ ପ୍ରାରମ୍ଭରେ ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ ଏଥିରେ ବକ୍ତା ଭାବରେ ସମିତିର ସହ ପରିଚାଳକ ସୁଦର୍ଶନ ପଣ୍ଡା, ସହ ଆବାହକ ବାବୁଲାଲ ଦାସ, ନାରାୟଣ ଚନ୍ଦ୍ର ପ୍ରଧାନ, ପ୍ରବଚିକା ସୁଶ୍ରୀ ତପସ୍ୱିନୀ ପାଢ଼ୀ ଅର୍ଣ୍ଣପୂର୍ଣ୍ଣା ଦେବୀ ପ୍ରମୁଖ ଯୋଗାଦନ କରି ଶ୍ରୀ ଜଗନ୍ନାଥଙ୍କ ଗୁଣଗାରିମା ସହ ମହାବୀର ହନୁମାନଙ୍କ ଜନ୍ମ ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ । ଏଥିରେ ସମିତିର ମୁଖ୍ୟ ଉପଦେଷ୍ଠା ଶ୍ରୀ ଶରତ ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ କୁମାର ଦେ, ଲକ୍ଷ୍ମୀଧର ଖଟୁଆ, ସହଯୋଗ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିନିଧି ଶ୍ରୀ ଭାବଗ୍ରାହୀ ମଲିକ, ସୀମାଂଚଳ ମହାପାତ୍ର ଓ ତାଳପଦା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିନିଧି କ୍ଷିରୋଦ କୁମାର ମହାପାତ୍ର ସହ ଗ୍ରାମବାସୀ ଓ ମନ୍ଦିର ପରିଚାଳନା ସଭ୍ୟବୃନ୍ଦ ଓ ଶରତ ଚନ୍ଦ୍ର ମଲିକ ସହଯୋଗ କରି ଧନ୍ୟବାଦ ପ୍ରଦାନ କରିଥିଲେ ।