Home ଜିଲ୍ଲା ପରିକ୍ରମା ଦୁଃଖୀ ମଣିଷର ସାଥି ବିଷ୍ଣୁ ସେଠୀ, ‘ଘାସଫୁଲ’ ସମ୍ପାଦକଙ୍କୁ ‘ତ୍ୟାଗଭୂମି’ର ଶ୍ରଦ୍ଧାଞ୍ଜଳି

ଦୁଃଖୀ ମଣିଷର ସାଥି ବିଷ୍ଣୁ ସେଠୀ, ‘ଘାସଫୁଲ’ ସମ୍ପାଦକଙ୍କୁ ‘ତ୍ୟାଗଭୂମି’ର ଶ୍ରଦ୍ଧାଞ୍ଜଳି

33

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଷ୍ଣୁ ସେଠୀଙ୍କ ଜୀବନ ଓ କବିତାରେ ସୁଦୃଢ ସାଂସ୍କୃତିକ ପଟ୍ଟଭୂମି, ମାଟିମନସ୍କତା ଓ ଏକ ଆଧିଭୌତିକ ବୁନିଆଦିପଣ ଭରି ରହିଥିଲା। ସାମାଜିକ ବିଡମ୍ବନାର ମର୍ମସ୍ପର୍ଶୀ ସ୍ୱର ତାଙ୍କ କାବ୍ୟଚେତନାକୁ ଆନ୍ଦୋଳିତ କରିଥିଲା। ‘ନିର୍ମାୟା ଆକାଶ ତଳେ’ ଓ ‘ନିସ୍ୱ ମାଟିର ସ୍ୱର’ କବିତା ସଂକଳନରେ ସେ ସମାଜର ନିମ୍ନବର୍ଗଙ୍କ ପ୍ରତି ସହାନୁଭୂତି ପ୍ରକଟ କରିଛନ୍ତି। ଓଡ଼ିଆ ଭାଷା ଓ ଜାତୀୟ ଜୀବନର ଉନ୍ନତିକଳ୍ପେ ସେ ବହୁବିଧ ରଚନାତ୍ମକ କାର୍ଯ୍ୟ କରିବା ସହିତ ‘ଘାସଫୁଲ’ ପତ୍ରିକା ସମ୍ପାଦନା କରିଆସୁଥିଲେ। ‘ତ୍ୟାଗଭୂମି’ର ପ୍ରତିଷ୍ଠାତା ସଦସ୍ୟ ଭାବେ ତାଙ୍କ ଅଙ୍ଗୀକାରବଦ୍ଧତାର ପଟାନ୍ତର ନାହିଁ ବୋଲି ଭଦ୍ରକ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ପକ୍ଷରୁ ଅନୁଷ୍ଠିତ ଏ ମାଟିର ବହୁମୁଖୀ ପ୍ରତିଭା ବିଷ୍ଣୁ ସେଠୀଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ‘ତ୍ୟାଗଭୂମି’ର ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ସ୍ମୃତିଚାରଣ ଉତ୍ସବରେ ବିଶିଷ୍ଟ ନାଟ୍ୟକାର ସୁଧାକର ନନ୍ଦ, ପ୍ରାଧ୍ୟାପକ ଡକ୍ଟର ଶଶଧର ଦାସ, ଡାକ୍ତର ପ୍ରଦୀପ କୁମାର ନାୟକ ଓ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ର. ଶୈଳେନ୍ଦ୍ର ମହାପାତ୍ର, ବାସୁଦେବ ବାରିକ, ଦିବ୍ୟସିଂହ ନାୟକ, ଶ୍ରୀହର୍ଷ ସ୍ୱାଇଁ, ଡଃ ପଦ୍ମକାନ୍ତ ଧଳ, ଡ. ପ୍ରଭାସ ମହାନ୍ତି, ଡ. ଅଭୟ କୁମାର ଦାସ, ପ୍ରଭାତ ଜେନା, ସ୍ୱାଧୀନ ସୁନ୍ଦର ଦାସ, ଅମ୍ବିକା ଦାସ, ଡଃ ପ୍ରଭାତନଳିନୀ ମହାପାତ୍ର, ପବିତ୍ର ପାଣିଗ୍ରାହୀ, ରୂପକ ରାୟ, ଡଃ ରାଧାରାଣି ମହାପାତ୍ର, ବିଶ୍ୱରଂଜନ ଦାସ, ଡାକ୍ତର ଦୁର୍ଯ୍ୟୋଧନ ଦାସ, ଅଧିବକ୍ତା ଗଦାଧର ବଳ, ବାବୁଲାଲ ଦାସ, ମନୋରମା ରାୟ, ବିପ୍ଳବ ହୋତା, ପୂର୍ଣ୍ଣଚନ୍ଦ୍ର ବହଳି, ଧୀରେନ୍ଦ୍ର କୁମାର ସାହୁ, ସୁଧାକର ରାଉତ ପ୍ରମୁଖ ସ୍ମୃତିଚାରଣ କରିଥିବା ବେଳେ ବୈକୁଣ୍ଠ ବିଶ୍ୱାଳ ମଞ୍ଚ ଆମନ୍ତ୍ରଣ କରିଥିଲେ। ଗୌରାଙ୍ଗ ବାରିକ ଓ ବସୁମିତ୍ରା ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି ସ୍ମୃତିସଭାରେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱରୁ ବିଭିନ୍ନ ସଂଗଠନ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.