
ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାରୋ ପଂଚାୟତ ଅଧୀନ ଦହପାଣିଆ ମା’ ବାସୁଳୀ ପୀଠରେ ପଣାସଂକ୍ରାନ୍ତି ପର୍ବ ମହା ସମାରୋହରେ ପାଳିତ ହୋଇଯାଇଛି । ପଣାସଂକ୍ରାନ୍ତି ସନ୍ଧ୍ୟାରେ ମା’ ବାସୁଳୀଙ୍କ ପୀଠରେ କଂଟାଫୁଡ଼ାଇ ନିଆଁହୁଳା ଧରି ପାଟୁଆନାଚ ଏକ ନିଆରା ପରମ୍ପରା ଅଟେ । ମା’ ବାସୁଳୀଙ୍କ ପୀଠରେ ଏହି ପଣାସଂକ୍ରାନ୍ତି ପର୍ବ ଏପ୍ରିଲ ୬ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଥମ ଦିନ ମା’ଙ୍କ ଘଟସ୍ଥାପନ, ପର ଦୁଇଦିନ ଘଟ ଗ୍ରାମ ପରିକ୍ରମା, ପରେ ତିନିଦିନ ପାଟୁଆ ଯାତ୍ର ଓ ଗ୍ରାମ ଭ୍ରମଣ ଅନୁଷ୍ଠିତ ହୋଇଥିଲା । ଶେଷ ଦିନରେ ପାଟୁଆମାନଙ୍କ ଦେହରେ କଂଟାଫୁଡ଼ା ପରେ ସେମାନେ ନିଆଁହୁଳା ଧରି ମା’ ବାସୁଳିଙ୍କ ସମ୍ମୁଖରେ ନାଚ କରିଥିଲେ । ୧୯୩୫ ମସିହାରେ ମା’ ବାସୁଳୀଙ୍କର ଆବିର୍ଭାବ ହେବା ପରେ ୧୯୩୬ ମସିହା ଠାରୁ ଏହି ପର୍ବ ପାଳନ କରାଯାଇ ଆସୁଅଛି । ମା’ଙ୍କ ସ୍ୱପ୍ନାଦେଶ ପରେ ସ୍ୱର୍ଗତ କୃଷ୍ଣ ଚରଣ ନାୟକ, ବିମ୍ବାଧର ମଳିକ, ନରୋତମ ମଳିକ, ଧତେଇ ମଳିକ, ବିମ୍ବାଧର ମଳିକ (ଖ), ରାଧୁ ମଳିକ ପ୍ରମୁଖ ମା’ଙ୍କୁ ଆଣି ଏଠାରେ ସ୍ଥାପନ କରିଥିଲେ । ବିଶେଷତଃ ଦହପାଣିଆ, ଚବିଶପଡ଼ା ଓ ଡାଙ୍ଗମାଳ ଗ୍ରାମର ଅଧିବାସୀମାନେ ଏହି ପର୍ବରେ ଅଂଶଗ୍ରହଣ କରିଥାନ୍ତି । ଏହି ପର୍ବ ପାଇଁ ଦହପାଣିଆ ମା’ ବାସୁଳୀ ପଡ଼ିଆ ଉତ୍ସବ ମୁଖର ହୋଇଥିଲା । ବହୁ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରିବା ସହିତ ପାଟୁଆନାଚ ଦେଖିଥିଲେ । ଏଠାରେ ଏହି ପର୍ବ ପାଇଁ ମଧ୍ୟ ଅପେରା ପରିବେଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଚଳିତ ବର୍ଷ କର୍ତା ଭାବେ ନୀଳମଣି ମଳିକ ଓ ଜିତେନ ମଳିକ, ଗଣେଶ ଚନ୍ଦ୍ର ନାୟକ, ପୂଜକ ଭାବେ ରବିନ୍ଦ୍ର ବାରିକ ଓ ସରୋଜ ଦାଶ ପୂଜାକାର୍ଯ୍ୟ ତୁଲାଇଥିଲେ । କମିଟିର ସଭାପତି ପଦ୍ମଲୋଚନ ମଳିକ, ସମ୍ପାଦକ ସଂଜୟ କୁମାର ମଳିକ, ସଦସ୍ୟ ସନାତନ ମଳିକ, ରବିନ୍ଦ୍ର ମଳିକ, ରଘୁନାଥ ମଳିକ, ଶ୍ୟାମସୁନ୍ଦର ମଳିକ, କୈଳାସ ମଳିକ, ଅନାଦି ମଳିକ, ସୀତାକାନ୍ତ ମଳିକ, ନିତ୍ୟାନନ୍ଦ ମଳିକ, ପ୍ରଶାନ୍ତ ମଳିକ, ସୁଦର୍ଶନ ମଳିକ, ଗୋବର୍ଦ୍ଧନ ଦାସ, ମହେନ୍ଦ୍ର ମଳିକ, ହରେକୃଷ୍ଣ ମଳିକ, ଅରବିନ୍ଦ ମଳିକ, ଶ୍ରୀନିବାସ ମଳିକ, ରମେଶ ଦାସ, ମନୋଜ ମଳିକ, ଜିତେନ୍ଦ୍ର ମଳିକ, ବୁଦ୍ଧିରାମ ମଳିକ, ସୋମନାଥ ମଳିକଙ୍କ ସମେତ ସମସ୍ତ ଗ୍ରାମବାସୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।