Home ଜିଲ୍ଲା ପରିକ୍ରମା ଦରପୁର ଗ୍ରାମରେ ମା’ ଖରାଖାଇଙ୍କ ବାର୍ଷିକ ଉତ୍ସବ

ଦରପୁର ଗ୍ରାମରେ ମା’ ଖରାଖାଇଙ୍କ ବାର୍ଷିକ ଉତ୍ସବ

17

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଜାମଯୋଡ଼ି ପଂଚାୟତ ଅଧୀନ ଦରପୁର ଗ୍ରାମର ପ୍ରସିଦ୍ଧ ଦେବୀ ମା’ ଖରାଖାଇଙ୍କର ବାର୍ଷିକ ଉତ୍ସବ ପବିତ୍ର ଅକ୍ଷୟ ତୃତୀୟା ଦିନ ଅନୁଷ୍ଠିତ ହୋଇ ଯାଇଛି। ମା’ ଖରାଖାଇ ପ୍ରତ୍ୟେକ ଦିନ ପୂଜା ପାଉଥିବା ବେଳେ ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନ ତାଙ୍କର ବାର୍ଷିକ ଉତ୍ସବ ଗ୍ରାମବାସୀଙ୍କ ସହଯୋଗରେ ପାଳିତ ହୋଇଥାଏ। ମା’ଙ୍କର ମହିମା ଅପାର। ତାଙ୍କୁ ଯିଏ ଯେଉଁ ମାନସିକ କରେ ତାହା ପୂରଣ ହୋଇଥାଏ ବୋଲି ସ୍ଥାନୀୟ ଲୋକମାନେ କହନ୍ତି। ମା’ଙ୍କ ଆବିର୍ଭାବ ସମ୍ପର୍କରେ ସ୍ଥାନୀୟ ଲୋକ ସଠିକ୍ ଭାବେ କହି ପାରୁନଥିବା ବେଳେ ମା’ଙ୍କର ଆବିର୍ଭାବ ପ୍ରାୟ ୨୦୦ ବର୍ଷ ପୂର୍ବରୁ ହୋଇଥିବା କୁହାଯାଉଛି। ଦରପୁର ଗ୍ରାମର କିଛି ଦୂରରେ ପୂର୍ବରୁ ଏକ ଜନବସତି ଥିଲା। ମା’ ସେଠାରେ ଆବିର୍ଭାବ ହେବା ପରେ ଧୀରେ ଧୀରେ ଜନବସତି ଲୋପ ପାଇ ଯାଇଥିଲା। ଏବେ ଏକ ନିଛାଟିଆ ପଦାରେ ମା’ଙ୍କର ଏକ ଆସ୍ଥାନ କରାଯାଇ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କ ନିକଟକୁ ପୂଜା ପାଇଁ ପ୍ରତିଦିନ ବହୁ ଶ୍ରଦ୍ଧାଳୁ ଯାଇଥାନ୍ତି। ଅକ୍ଷୟ ତୃତୀୟା ବାର୍ଷିକ ଉତ୍ସବ ଦିନ ସେଠାରେ ଆଖପାଖ ଅଂଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କୁ ସମାଗମ ହୋଇଥାଏ। ମା’ଙ୍କର ଅଦ୍ୟାବଧି ମନ୍ଦିରଟିଏ ନିର୍ମାଣ ହୋଇ ପାରିନାହିଁ। ଏଥି ସହିତ ଶ୍ରଦ୍ଧାଳୁମାନଙ୍କ ପାଇଁ ମଧ୍ୟ ସେଠାରେ କୌଣସି ବିଶ୍ରାମାଗାର ଓ ପ୍ରସାଦ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ଗୃହଟିଏ ନାହିଁ। ଶ୍ରଦ୍ଧାଳୁମାନେ ଖରାରେ ବହୁ କଷ୍ଟରେ ସେଠାରେ ପହଂଚି ମା’ଙ୍କୁ ଦର୍ଶନ କରି ଭୋଗ କରିଥାନ୍ତି। ପୂର୍ବତନ ବିଧାୟକ ବିଜୟ କୁମାର ନାୟକ ବିଧାୟକ ଥିବା ସମୟରେ ପାନୀୟଜଳର ସୁବିଧା ପାଇଁ ଏକ ନଳକୂପ ବସାଇଥିଲେ। ମା’ଙ୍କ ନିକଟରେ ପୋଖରୀଟିଏ ଥିଲେ ମଧ୍ୟ ତାହା ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ତେବେ ମା’ଙ୍କ ପୀଠର ଉନ୍ନତି ପାଇଁ କୌଣସି ରାଜନୈତିକ ବ୍ୟକ୍ତିଙ୍କର ଲକ୍ଷ୍ୟ ନାହିଁ। ତେବେ ମା’ଙ୍କର ମନ୍ଦିର ସହିତ ଶ୍ରଦ୍ଧାଳୁମାନଙ୍କର ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.